ଲକ୍ଷଦ୍ୱୀପ: ‘ଜୈବିକ ଅସ୍ତ୍ର’ ମନ୍ତବ୍ୟ ନେଇ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା

ଥିରୁଭନନ୍ତପୁରମ: ଲକ୍ଷଦ୍ୱୀପ ପ୍ରଶାସକଙ୍କ ମନମୁଖୀ ନିଷ୍ପତ୍ତି ବିରୋଧରେ ସ୍ୱର ଉଠାଇବାରୁ ଆଏଶା ସୁଲତାନା ନାମ୍ନୀ ଜଣେ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା ରୁଜୁ କରାଯାଇଛି । ଲକ୍ଷଦ୍ୱୀପ ପ୍ରାଶାସକ ପ୍ରଫୁଲ୍ଲ ଖୋଡା ପଟେଲଙ୍କ କୋଭିଡ୍ ପରିଚାଳନାକୁ ସମାଲୋଚନା କରିବା ସହ କେନ୍ଦ୍ର ଲକ୍ଷଦ୍ୱୀପରେ ‘ବାୟୋ ୱେପନ’ ବା ଜୈବିକ ଅସ୍ତ୍ରର ପ୍ରୟୋଗ କରିଛି ବୋଲି ଅଭିଯୋଗ କରିଥିଲେ । ତାଙ୍କର ଏଭଳି ଟିପ୍ପଣୀକୁ ବିରୋଧ କରି ଲକ୍ଷଦ୍ୱୀପ ବିଜେପି ଅଧ୍ୟକ୍ଷ ଅବଦୁଲ୍ ଖାଦର ସୁଲତାନାଙ୍କ ବିରୋଧରେ ଦେଶ ଦ୍ରୋହ ଏବଂ ଉତ୍ତେଜନାମୂଳକ ଭାଷଣ ଅଭିଯୋଗରେ କବରତି ପୋଲିସ୍ ଥାନରେ ମାମଲା ରୁଜୁ କରିଛନ୍ତି ।

ଏକ ମାଲାୟାଲମ ଚ୍ୟାନେଲ୍‌ର ବିତର୍କରେ ଭାଗନେଇ ସୁଲତାନା ଲକ୍ଷଦ୍ୱୀପରେ କରୋନା ସଂକ୍ରମଣ ବଢ଼ିବା ପାଇଁ ପ୍ରଶାସକ ପ୍ରଫୁଲ ପଟେଲଙ୍କୁ ଦାୟୀ କରିଥିଲେ । ସେ କହିଥିଲେ ଯେ, କେନ୍ଦ୍ର ଏକ ଜୈବିକ ଅସ୍ତ୍ର ବ୍ୟବହାର କରି ଲକ୍ଷଦ୍ୱୀପରେ କରୋନା ସଂକ୍ରମଣର ପ୍ରସାର କରୁଛି । ଲକ୍ଷଦ୍ୱୀପରେ ପୂର୍ବରୁ କରୋନାର ଗୋଟିଏ ବି ମାମଲା ନଥିଲା । ଏବେ ଦୈନିକ ୧୦୦ ମାମଲା ଚିହ୍ନଟ ହେଉଛି ବୋଲି ସୁଲତାନା କହିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କ କେତୋଟି ସଂସ୍କାର ମୂଳକ ପଦକ୍ଷେପକୁ ଲକ୍ଷଦ୍ୱୀପରେ ତୀବ୍ର ବିରୋଧ କରାଯାଉଛି ।

Comments are closed.