ମୁକୁଲ ରୟଙ୍କ ହେବ ଘର ବାହୁଡ଼ା, ତୃଣମୂଳ ଭବନରେ ପହଞ୍ଚିଲେ

କୋଲକାତା: ବିଧାନସଭା ନିର୍ବାଚନରେ ପରାଜୟ ପରେ ବିଜେପିକୁ ଏବେ ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକଦା ଘନିଷ୍ଠ ସହଯୋଗୀ ଥିବା ମୁକୁଲ ରୟ ବିଜେପି ଛାଡ଼ିବେ । ଆଜି ଅପରାହ୍ନରେ ସେ ତୃଣମୂଳ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କ ଘର ବାହୁଡ଼ା ହେବା ସ୍ପଷ୍ଟ ହୋଇଛି ।

ମୁକୁଲ ରୟ ପ୍ରାୟ ୩ଟା ବେଳେ ‘ତୃଣମୂଳ ଭବନ’ରେ ପହଞ୍ଚି ତାଙ୍କର ପୁରୁଣା କୋଠରୀକୁ ଯାଇଥିଲେ । ମୁକୁଲ ତୃଣମଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିବେ । ଏହା ପରେ ତାଙ୍କ ଘର ବାହୁଡ଼ା ନେଇ ଔପଚାରିକ ଘୋଷଣା ହୋଇପାରେ । ମୁକୁଲଙ୍କ ସହ ତାଙ୍କ ପୁଅ ଶୁଭ୍ରାଂଶୁ ରୟ ମଧ୍ୟ ତୃଣମୂଳ କଂଗ୍ରେସକୁ ଫେରିବେ ।

ବିଜେପିରେ ସେ ଅଣନିଃ ସ୍ୱାସୀ ଓ ଉପେକ୍ଷିତ ମନେ କରୁଛନ୍ତି ବୋଲି ମୁକୁଲ କହି ଆସୁଥିଲେ ବୋଲି ତାଙ୍କର କିଛି ସହଯୋଗୀ କହିଛନ୍ତି । ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଦଳ ପ୍ରତି ତାଙ୍କର ମୋହ ଭଙ୍ଗ ଆରମ୍ଭ ହୋଇଥିଲା । ବିଜେପିର ରାଜନୈତିକ ଆଦର୍ଶ ଓ ସଂସ୍କୃତି ପଶ୍ଚିମବଙ୍ଗର ପରିପନ୍ଥୀ । ଭବିଷ୍ୟତରେ ବି ବିଜେପି ପଶ୍ଚିମବଙ୍ଗରେ ତିଷ୍ଠି ପାରିବ ନାହିଁ ବୋଲି ମୁକୁଲ ତାଙ୍କୁ କହିଥିଲେ ବୋଲି ତାଙ୍କ ସହଯୋଗୀ ପ୍ରକାଶ କରିଛନ୍ତି ।

ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅନେକ ନେତା ଇତି ମଧ୍ୟରେ ମମତାଙ୍କ ପାଖକୁ ଫେରିଛନ୍ତି । ମୁକୁଲ ମଧ୍ୟ ଟିଏମ୍‌ସିକୁ ଫେରିବେ ବୋଲି ନିକଟରେ ଚର୍ଚ୍ଚା ହୋଇଥିଲା । ମୁକୁଲ ତୃଣମୂଳ କଂଗ୍ରେସର ପ୍ରଥମ ନେତା ଭାବେ ବିଜେପିରେ ଯୋଗ ଦେଇଥିଲେ ।

Comments are closed.