ଆମେରିକାରେ ଜରୁରୀ ବ୍ୟବହାର ପାଇଁ ‘କୋଭାକ୍ସିନ’କୁ ମିଳିଲାନି ଅନୁମତି

ହାଇଦ୍ରାବାଦ: ଭାରତର କୋଭିଡ୍ ଟିକା ‘କୋଭାକ୍ସିନ’କୁ ଆମେରିକାରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିନାହିଁ । ଆମେରିକାର ଔଷଧ ଓ ଖାଦ୍ୟ ନିୟନ୍ତ୍ରକ (ଏଫ୍‌ଡିଏ) ‘କୋଭାକ୍ସିନ’ର ନିର୍ମାତା ଭାରତ ବାୟୋଟେକ୍‌କୁ ଏହି ଟିକା ବାବଦରେ ଅଧିକ ତଥ୍ୟ ଦାଖଲ କରିବାକୁ କହିଛନ୍ତି । ଭାରତୀୟ ବାୟୋଟେକ୍‌ର ଆମେରିକୀୟ ପାର୍ଟନର ‘ଅକ୍ୟୁଜେନ’ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ।

ଜରୁରୀ ବ୍ୟବହାର ପାଇଁ ଭାରତ ବାୟୋଟେକ୍‌ର ଆବେଦନକୁ ଆମେରିକୀୟ ଏଫ୍‌ଡିଏ ଖାରଜ କରିବା ପରେ ଆମେରିକାରେ ‘କୋଭାକ୍ସିନ’କୁ ଲଞ୍ଚ୍ କରିବା ଯୋଜନା ବିଳମ୍ବିତ ହୋଇପାରେ ବୋଲି ଅକ୍ୟୁଜେନ୍ ପକ୍ଷରୁ କୁହାଯାଇଛି । ଅକ୍ୟୁଜେନ କହିଛି ଯେ, କାନାଡାରେ ‘କୋଭାକ୍ସିନ’ର ବଜାର ପ୍ରବେଶ ନେଇ କାନାଡା ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ଚାଲିଛି ।

ଅନ୍ୟପକ୍ଷେ ଭାରତ ବାୟୋଟେକ୍ କହିଛି ଯେ, ଏହାର ‘କୋଭାକ୍ସିନ’ ଟିକାକୁ ଏଯାବତ୍ ୧୪ଟି ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଆଉ ୫୦ ଦେଶରେ ଏହି ଟିକାର ଆବେଦନ ବିଚାରାଧୀନ ରହିଛି । ‘କୋଭାକ୍ସିନ’ ଟିକା ଭାରତରେ ପ୍ରଥମେ ଠାବ ହୋଇଥିବା କରୋନାର ‘ଡେଲଟା’ ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ବୋଲି ନିକଟରେ ଏକ ଅଧ୍ୟୟନରେ କୁହାଯାଇଥିଲା ।

Comments are closed.