ତୃଣମୂଳ କଂଗ୍ରେସକୁ ଫେରିଲେ ମୁକୁଲ ରୟ ଓ ପୁଅ ଶୁଭ୍ରାଂଶୁ

କୋଲକାତା: ବିଧାନସଭା ନିର୍ବାଚନରେ ପରାଜୟ ପରେ ବିଜେପିକୁ ଆଉ ଏକ ଶକ୍ତ ଝଟକା ଲାଗିଛି । ଦଳର ଜାତୀୟ ଉପାଧ୍ୟକ୍ଷ ମୁକୁଲ ରୟ ତୃଣମୂଳ କଂଗ୍ରେସକୁ ଫେରିଛନ୍ତି । ପାର୍ଟି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ମୁକୁଲ ଓ ତାଙ୍କ ପୁଅ ଶୁଭ୍ରାଂଶୁ ରୟ ଶୁକ୍ରବାର ତୃଣମୂଳ କଂଗ୍ରେସକୁ ଫେରିଛନ୍ତି ।

ଟିଏମ୍‌ସିକୁ ଫେରିବା ପୂର୍ବରୁ ପୁଅ ଶୁଭ୍ରାଂଶୁଙ୍କ ସହ ମୁକୁଲ ଆଜି ଅପରାହ୍ନ ୩ଟାରେ ‘ତୃଣମୂଳ ଭବନ’ରେ ପହଞ୍ଚି ମମତା ଓ ଅନ୍ୟ ବରିଷ୍ଠ ଦଳୀୟ ନେତାଙ୍କୁ ଭେଟିଥିଲେ । ସେ ଆଉ ଭାରତୀୟ ଜନତା ପାର୍ଟି(ବିଜେପି) ପାଇଁ କାମ କରିବେନି ବୋଲି ତୃଣମୂଳ କଂଗ୍ରେସକୁ ଫେରିବା ପରେ କହିଛନ୍ତି ମୁକୁଲ । ମମତା କହିଛନ୍ତି ଯେ, ମୁକୁଲଙ୍କୁ ଡ଼ରାଇ ଧମକାଇ ବିଜେପିରେ ସାମିଲ କରାଯାଇଥିଲା । ମୁକୁଲଙ୍କ ଘର ବାହୁଡ଼ା ହୋଇଛି । ତାଙ୍କୁ ଜୋର ଜବରଦସ୍ତି ବିଜେପିରେ ସାମିଲ କରାଯାଇଥିଲା । ବିଜେପିରେ ଯୋଗ ଦେବା ପରଠୁ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହୁନଥିଲା । ଏବେ ସେ ମାନସିକ ଶାନ୍ତି ଫେରି ପାଇବେ ବୋଲି ମମତା କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ମୁକୁଲ ୨୦୧୭ରେ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ପରେ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଟିଏମ୍‌ସିର ଆହୁରି କିଛି ବଡ଼ ନେତା ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ତେବେ ନିର୍ବାଚନରେ ବିଜେପିର ପରାଜୟ ପରେ ଦଳ ଛାଡ଼ିଥିବା ନେତା ପୁଣି ଟିଏମ୍‌ସିକୁ ଫେରିବାରେ ଲାଗିଛନ୍ତି ।

Comments are closed.