ଚୋକ୍‌ସିର ଜାମିନ ଆବେଦନ ଖାରଜ କଲେ ଡୋମିନିକା ହାଇକୋର୍ଟ

ନୂଆଦିଲ୍ଲୀ: ଡୋମିନିକାରେ ବେଆଇନ ଭାବେ ପ୍ରବେଶ କରିବା ମାମଲାରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିକୁ ଝଟ୍‌କା ଲାଗିଛି । ଡୋମିନିକା ହାଇକୋର୍ଟ ତାର ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ‘ଫ୍ଲାଇଟ୍ ରିସ୍କ’ ବା ଖସି ପଳାଇବା ସମ୍ଭାବନା ଥିବା ଦର୍ଶାଇ ଡୋମିନିକା କୋର୍ଟ ଚୋକ୍‌ସିର ଜାମିନ ନାମଞ୍ଜୁର କରିଥିଲେ । ମାଜିଷ୍ଟ୍ରେଟ୍ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ଚୋକ୍‌ସି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ।

ଚୋକ୍‌ସି ଆଣ୍ଟିଗୁଆ ଓ ବାର୍ବୁଡାରୁ ଗତ ମେ ୨୩ରୁ ହଠାତ୍ ନିଖୋଜ ହୋଇଯାଇଥିଲା । କିଛି ଦିନ ପରେ ଚୋକ୍‌ସିକୁ ଡୋମିନିକାରେ ଠାବ କରାଯାଇଥିଲା । ନିଜ ଗର୍ଲଫ୍ରେଣ୍ଡ୍ ସହ ବେଆଇନ ଭାବେ ଡୋମିନିକାରେ ପ୍ରବେଶ କରିଥିବାରୁ ଚୋକ୍‌ସିକୁ ଗିରଫ କରାଯାଇଥିଲା ।
ପ୍ରାୟ ୧୪ ହଜାର କୋଟି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ସ୍କାମ୍‌ର ଚୋକ୍‌ସି ହେଉଛି ଅନ୍ୟତମ ଅଭିଯୁକ୍ତ । ଏହି ସ୍କାମ୍‌ର ପର୍ଦ୍ଦାଫାସ୍ ହେବା ପରେ ଚୋକ୍‌ସି ଭାରତ ଛାଡ଼ି କାରିବିୟାନ୍ ପଳାଇଥିଲା । ୨୦୧୮ରୁ କାରିବିୟାନ ଦେଶ ଆଣ୍ଟିଗୁଆ ଓ ବାର୍ବୁଡାରେ ଚୋକ୍‌ସି ଜଣେ ନାଗରିକ ଭାବେ ରହି ଆସୁଛି ।

ଚୋକ୍‌ସିକୁ ଆଣିବା ପାଇଁ ଭାରତର ଏକ ଦଳ ଡୋମିନିକା ଯାଇଥିଲା । ତେବେ ତାର ଭାରତ ପ୍ରତ୍ୟର୍ପଣ ଉପରେ ଡୋମିନିକା କୋର୍ଟ ଅନିର୍ଦ୍ଦିଷ୍ଟ କାଳ ଯାଏଁ ରୋକ୍ ଲଗାଇଥିବାରୁ ଭାରତରୁ ଯାଇଥିବା ଟିମ୍‌କୁ ଖାଲି ହାତରେ ଫେରିବାକୁ ପଡିଥିଲା । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଠକେଇର ଅନ୍ୟତମ ଅଭିଯୁକ୍ତ ତଥା ଚୋକ୍‌ସିର ପୁତୁରା ନୀରବ ମୋଦି ସମ୍ପ୍ରତି ଲଣ୍ଡନର ଏକ ଜେଲ୍‌ରେ ଅଛି । ତାକୁ ମଧ୍ୟ ଭାରତ ଆଣିବା ପାଇଁ ଉଦ୍ୟମ ଚାଲିଛି ।

Comments are closed.