ଆରମ୍ଭ ହେଲା ୟୁରୋ-୨୦୨୦, ଉଦ୍‌ଘାଟନୀ ମ୍ୟାଚ୍‌ରେ ତୁର୍କୀକୁ ୩-୦ରେ ହରାଇଲା ଇଟାଲୀ

ରୋମ୍‌: ୟୁରୋପ୍‌ର ଫୁଟବଲ୍ ମହାକୁମ୍ଭ ୟୁରୋ-୨୦୨୦ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ରୋମ୍‌ର ଅଲିମ୍ପିକ୍ ଷ୍ଟାଡିୟମ୍‌ରେ ୧୬ ହଜାର ଦର୍ଶକଙ୍କ ଗହଣରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଇଟାଲୀ ୩-୦ ରେ ତୁର୍କୀକୁ ହରାଇ ନିଜ ଅଭିଯାନ ଆରମ୍ଭ କରିଛି ।
ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟ ଭାବେ ଶେଷ ହେବା ପରେ ଦ୍ୱିତୀୟାର୍ଦ୍ଧରେ ତିନୋଟି ଯାକ ଗୋଲ୍ ହୋଇଥିଲା । ମ୍ୟାଚ୍‌ର ୫୩ତମ ମିନିଟ୍‌ରେ ତୁର୍କୀ ଡିଫେଣ୍ଡର ମେରିହା ଦେମିରାଲଙ୍କ ଆତ୍ମଘାତୀ ଗୋଲ୍ ଯୋଗୁଁ ଇଟାଲୀ ୧-୦ରେ ଅଗ୍ରଣୀ ହାସଲ କରିଥିଲା । ପରେ ୬୬ତମ ମିନିଟ୍‌ରେ ସିରୋ ଇମୋବାଇଲଙ୍କ ଚମତ୍କାର ଗୋଲ୍ ସହ ଇଟାଲୀ ନିଜ ଅଗ୍ରଣୀକୁ ୨-୦ କରିଥିଲା । ମ୍ୟାଚ୍‌ର ୭୯ତମ ମିନିଟ୍‌ରେ ଲୋରେଞ୍ଜୋ ଇନସିଗ୍ନେ ଦଳ ପକ୍ଷରୁ ତୃତୀୟ ଗୋଲ୍ ଦେଇଥିଲେ । ୟୁରୋ ଚାମ୍ପିୟନସିପ୍‌ରେ ଇଟାଲୀ ଏଯାବତ୍ ୨୮ ମ୍ୟାଚ୍‌ରେ ଅପରାଜେୟ ରହିଛି ।

ଶନିବାର ଟୁର୍ଣ୍ଣାମେଣ୍ଟରେ ତିନୋଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ ୱେଲ୍ସ-ସ୍ୱିଜରଲାଣ୍ଡ ମୁହାଁମୁହିଁ ହେବେ । ଦ୍ୱିତୀୟ ମ୍ୟାଚରେ ଡେନମାର୍କର ମୁକାବିଲା ଫିନ୍‌ଲାଣ୍ଡ ସହ ହେବାକୁ ଥିବା ବେଳେ ଆଉ ଏକ ମ୍ୟାଚରେ ବେଲଜିୟମ ସହ ରୁଷ୍‌ର ହେବ ଭେଟ ।

Comments are closed.