ସରକାରୀ ତଥ୍ୟ ଅପେକ୍ଷା ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୭ ଗୁଣ ଅଧିକ?

ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ନେଇ ଏବେ ନାନା ପ୍ରଶ୍ନ ଉଠୁଛି । କିଛି ରାଜ୍ୟ କରୋନା ମୃତ୍ୟୁ ଜନିତ ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି । ନିକଟରେ ବିହାର ଓ ମହାରାଷ୍ଟ୍ର ନିଜ କୋଭିଡ୍ ମୃତ୍ୟୁସଂଖ୍ୟା ଅଡିଟ୍ କରିବା ପରେ ଏଭଳି ସନ୍ଦେହ ଦୃଢ଼ୀଭୂତ ହୋଇଛି । ଭାରତରେ କୋଭିଡ୍‌-୧୯ ମୃତ୍ୟୁ ସଂଖ୍ୟା ନେଇ ଏବେ ଏକ ଅନ୍ତର୍ଜାତୀୟ ମାଗାଜିନ୍ ‘ ଦି ଇକୋନୋମିଷ୍ଟ’ରେ ଚକିତ କଲା ଭଳି ଦାବି କରାଯାଇଛି । ଉକ୍ତ ମାଗାଜିନ୍‌ରେ ଏକ ରିପୋର୍ଟରେ କୁହାଯାଇଛି ଯେ, ସରକାରୀ ତଥ୍ୟ ତୁଳନାରେ ଭାରତରେ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ପ୍ରକୃତରେ ୫ରୁ ୭ ଗୁଣ ଅଧିକ ହୋଇଥିବ ।

ତେବେ ଉକ୍ତ ମାଗାଜିନର ରିପୋର୍ଟକୁ ଭାରତ ସରକାର ସମାଲୋଚନା କରିବା ସହ ଏହାକୁ ଖଣ୍ଡନ କରିଛନ୍ତି । ଉକ୍ତ ମାଗାଜିନ୍‌ର ପ୍ରକାଶିତ ତଥ୍ୟ କେବଳ ଏକ କାଳ୍ପନିକ ଆକଳନ । ଏହା ପ୍ରାମାଣ ଆଧାରିତ ନୁହେଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ମାଗାଜିନ୍ ଯେଉଁ ମାନଦଣ୍ଡ ବ୍ୟବହାର କରିଛି, ତାହା କରୋନା ମୃତ୍ୟୁ ଆକଳନ କରିବାର ସ୍ୱୀକୃତ ପଦ୍ଧତି ନୁହେଁ । ମାଗାଜିନ୍ କେଉଁ ଅଧ୍ୟୟନ ଭିତ୍ତିରେ ଏଭଳି ଦାବି କରିଛି ତାହା ଉଲ୍ଲେଖ କରିନାହିଁ । ତେଣୁ ଭାରତରେ କୋଭିଡ୍ ମୃତ୍ୟୁ ନେଇ ‘ଦି ଇକୋନୋମିଷ୍ଟ’ ଯାହା ଦାବି କରିଛି ତାହା ଗ୍ରହଣୀୟ ନୁହେଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ‘ ଦି ଇକୋନୋମିଷ୍ଟ’ ର ଦାବିକୁ ଖଣ୍ଡନ କରିଥିଲେ ମଧ୍ୟ ଭାରତରେ କୋଭିଡ୍ ଜନିତ ମୃତ୍ୟୁର ସରକାରୀ ତଥ୍ୟ ନେଇ ବୁଦ୍ଧିଜୀବୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି । ନିକଟରେ ଭାରତର ସର୍ବୋଚ୍ଚ ଭେଷଜ ସଂସ୍ଥା ‘ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ (ଆଇସିଏମ୍‌ଆର)’ ମଧ୍ୟ ଦେଶରେ କୋଭିଡ୍ ମୃତ୍ୟୁ ସଂଖ୍ୟାର ଅଡିଟ୍ ହେବା ଉଚିତ ବୋଲି କହିଛି ।

ସରକାରୀ ତଥ୍ୟ ମୁତାବକ ଭାରତରେ କରୋନା ଯୋଗୁଁ ଏଯାବତ୍ ୩.୭୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି ।

Comments are closed.