ଆଣ୍ଟିବଡି କକ୍‌ଟେଲ୍‌ର କମାଲ, ଗୋଟିଏ ଡୋଜ୍ ନେବା ପରେ ଦିନକରେ ସୁସ୍ଥ ହେଲେ ୪୦ କୋଭିଡ୍ ରୋଗୀ

ହାଇଦ୍ରାବାଦ: କୋଭିଡ୍ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଆଣ୍ଟିବଡି କକ୍‌ଟେଲ୍ ନେବା ପରେ ପ୍ରାୟ ୪୦ ରୋଗୀ ଦିନକରେ ସୁସ୍ଥ ହୋଇଛନ୍ତି । ହାଇଦ୍ରାବାଦ୍ ସ୍ଥିତ ଏସିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଗାଷ୍ଟ୍ରୋଏଣ୍ଟୋରୋଲୋଜିରେ ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା ୪୦ ରୋଗୀଙ୍କ ଉପରେ ଏହି କକ୍‌ଟେଲ୍ ପ୍ରୟୋଗ କରାଯାଇଥିଲା । ସେମାନଙ୍କୁ ଏହାର ଗୋଟିଏ ଡୋଜ୍ ଦିଆଯାଇଥିଲା । ୨୪ ଘଣ୍ଟା ମଧ୍ୟରେ ଏହି କକ୍‌ଟେଲର୍ ପ୍ରଭାବ ଦେଖିବାକୁ ମିଳିଥିଲା । କକ୍‌ଟେଲ୍ ନେଇଥିବା ସମସ୍ତ ୪୦ ରୋଗୀଙ୍କ ସବୁ ଲକ୍ଷଣ ଦୂର ହୋଇଯାଇଥିଲା । ଔଷଧ କମ୍ପାନୀ ରୋଚ୍ ଦ୍ୱାରା ବିକଶିତ ଏହି କକ୍‌ଟେଲ କରୋନା ରୋଗୀଙ୍କ ଉପରେ କେତେ ପ୍ରଭାବୀ ସେ ସମ୍ପର୍କିତ ଏକ ଅଧ୍ୟୟନ ସମ୍ପ୍ରତି ଏସିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଗାଷ୍ଟ୍ରୋଏଣ୍ଟୋରୋଲୋଜ ଦ୍ୱାରା ଜାରି ରହିଛି । ଏହି ଅଧ୍ୟୟନର ଏକ ଅଂଶ ରୂପେ ୪୦ ରୋଗୀଙ୍କୁ ଏହି କକ୍‌ଟେଲ ପ୍ରୟୋଗ କରାଯାଇଥିଲା ।

ବ୍ରିଟେନ୍‌, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲରେ ଠାବ ଭାରିଆଣ୍ଟ୍ ଉପରେ ଏହି କକ୍‌ଟେଲ୍ ପ୍ରଭାବୀ ସାବ୍ୟସ୍ତ ହୋଇଛି । ତେବେ ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଅପେକ୍ଷାକୃତ ଘାତକ ‘ଡେଲ୍‌ଟା’ ଭାରିଆଣ୍ଟ ଉପରେ ଏହି କକ୍‌ଟେଲ କେତେ ଦୂର କାମ କରୁଛି ତାହା ଜଣାପଡି ନାହିଁ । ‘ଡେଲ୍‌ଟା’ ଭାରିଆଣ୍ଟ୍ ଉପରେ ଏହି କକ୍‌ଟେଲର ପରୀକ୍ଷଣ ଆମେ ଜାରି ରଖିଛୁ ବୋଲି ଏସିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଗାଷ୍ଟ୍ରୋଏଣ୍ଟୋରୋଲୋଜର ଅଧ୍ୟକ୍ଷ ଡକ୍ଟର ନାଗେଶ୍ୱର ରେଡୀ କହିଛନ୍ତି ।

ରୋଚ୍ ଦ୍ୱାରା ବିକଶିତ ଏହି ଆଣ୍ଟିବଡି କକ୍‌ଟେଲ୍ ସାମାନ୍ୟ ଓ ମଧ୍ୟମ ଲକ୍ଷଣ ଥିବା କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ପ୍ରଭାବୀ ସାବ୍ୟସ୍ତ ହୋଇଛି । ଏହା ରୋଗର ତୀବ୍ରତା ହ୍ରାସ କରିବାରେ ସହାୟକ ହୋଇଥାଏ । ଆମେରିକାର ପୂର୍ବତନ ରାଷ୍ଟ୍ରପତି କରୋନା ଆକ୍ରାନ୍ତ ଥିବାବେଳେ ଏହି କକ୍‌ଟେଲ ବ୍ୟବହାର କରିଥିଲେ । ଏହାପରେ ଏହି କକ୍‌ଟେଲ୍ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା । ଯଦିଓ ଏହି ଆଣ୍ଟିବଡ଼ି କକ୍‌ଟେଲ୍ ଗୋଟିଏ ପ୍ୟାକେଟ୍‌ର ଦାମ୍ ୭୦ ହଜାର ଟଙ୍କା, ଏହି ଥେରାପିର ଚାହିଦା ବଢ଼ିବାରେ ଲାଗିଛି ।

Comments are closed.