ବିହାରରେ କରୋନା ମୃତ୍ୟୁସଂଖ୍ୟା ଉପରେ ପ୍ରଶ୍ନବାଚୀ; ୭୫ ହଜାର ମୃତ୍ୟୁର ହିସାବ ମିଳୁନି, ଭର୍ତ୍ସନା କଲେ ହାଇକୋର୍ଟ | News Room Odisha

ବିହାରରେ କରୋନା ମୃତ୍ୟୁସଂଖ୍ୟା ଉପରେ ପ୍ରଶ୍ନବାଚୀ; ୭୫ ହଜାର ମୃତ୍ୟୁର ହିସାବ ମିଳୁନି, ଭର୍ତ୍ସନା କଲେ ହାଇକୋର୍ଟ

ପାଟଣା: ବିହାରରେ କରୋନା ମୃତ୍ୟୁ ସଂଖ୍ୟା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସରକାରୀ ଭାବେ ରାଜ୍ୟରେ ଯେତିକି ମୃତ୍ୟୁ ହୋଇଛି ବୋଲି କୁହାଯାଉଛି ତା’ଠାରୁ ବହୁଗୁଣ ଲୋକ ଦ୍ୱିତୀୟ ଲହରୀ ସମୟରେ ପ୍ରାଣ ହରାଇଥିଲେ । ଦ୍ୱିତୀୟ ଲହରୀ ସମୟରେ ବିହାରରେ ପ୍ରାୟ ୭୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା । ଯାହା କି ସରକାରୀ ମୃତ୍ୟୁସଂଖ୍ୟା ଠାରୁ ୧୦ ଗୁଣ ଅଧିକ । ସରକାରୀ ତଥ୍ୟ ଓ ଦ୍ୱିତୀୟ ଲହରୀ ସମୟରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ମଧ୍ୟରେ ବଡ଼ ଅନ୍ତର ଥିବାରୁ ନୀତିଶ ସରକାର ଉପରେ ସନ୍ଦେହ ବଢ଼ିଛି । ବିହାର ସରକାର କରୋନା ଜନିତ ମୃତ୍ୟୁର ପ୍ରକୃତ ତଥ୍ୟ ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି ।

ଏହି ପ୍ରସଙ୍ଗରେ ପାଟଣା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ରାଜ୍ୟରେ ଚଳିତ ବର୍ଷ ପ୍ରଥମ ପାଞ୍ଚ ମାସରେ ହୋଇଥିବା ମୃତ୍ୟୁର ପ୍ରକୃତ ତଥ୍ୟ ପ୍ରକାଶ ନ କରିବା ସରକାରଙ୍କ ଅଦୂରଦର୍ଶିତାର ପରିଚାୟକ । ଏହା ଆଇନତଃ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି । କୋଭିଡ୍ ମୃତ୍ୟୁ ସଂଖ୍ୟା ସାର୍ବଜନୀନ କରିବାକୁ ରାଜ୍ୟ ସରକାରଙ୍କ ଅନିଚ୍ଛା ଠିକ୍ ନୁହେଁ । କୋଭିଡ୍‌-୧୯ ମୃତ୍ୟୁର ପ୍ରକୃତ ତଥ୍ୟ ସରକାର ନିଜ ପୋର୍ଟାଲରେ ଅପଡେଟ୍ କରିବା ଉଚିତ । ରାଜ୍ୟବାସୀ ଏହା ଜାଣିବାକୁ ହକ୍‌ଦାର ବୋଲି କୋର୍ଟ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବିହାର ସରକାର ଚଳିତ ମାସରେ କରୋନା ମୃତ୍ୟୁ ସଂଖ୍ୟାର ଅଡିଟ୍ କରିଥିଲେ । ଫଳସ୍ୱରୂପ ଦିନକରେ ରାଜ୍ୟରେ ମୃତ୍ୟୁସଂଖ୍ୟା ୩୯୫୧ ବୃଦ୍ଧି ପାଇଥିଲା ଏବଂ ମୋଟ ମୃତ୍ୟୁ ୫୪୨୪ରୁ ବଢ଼ି ୯୩୭୫ରେ ପହଞ୍ଚି ଯାଇଥିଲା ।

BiharCOVID-19Death