ଅଯୋଧ୍ୟା ରାମ ଜନ୍ମଭୂମି ଟ୍ରଷ୍ଟ ବିରୋଧରେ ଦୁର୍ନୀତି ଅଭିଯୋଗ, ଦୁଇ କୋଟି ମୂଲ୍ୟର ଜମିକୁ ୧୮ କୋଟିରେ କିଣାଯାଇଛି

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାୟିତ୍ୱରେ ଥିବା ଟ୍ରଷ୍ଟ ବିରୋଧରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି । ଆମ୍ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଓ ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ପବନ ପାଣ୍ଡେ ରାମଜନ୍ମଭୂମି ଟ୍ରଷ୍ଟ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ରାମ ମନ୍ଦିର ନିର୍ମାଣ ପାଇଁ ଜମି କିଣାରେ ବ୍ୟାପକ ଅର୍ଥ ହେରଫେର୍ ହୋଇଥିବା ଉଭୟ ଦାବି କରିଛନ୍ତି ।

ଆପ୍‌ ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ, ରାମମନ୍ଦିର ନିର୍ମାଣ ପାଇଁ ଉଦ୍ଦିଷ୍ଟ ଜମିର ମୂଲ୍ୟ ମାତ୍ର କିଛି ସେକେଣ୍ଡ୍ ମଧ୍ୟରେ ଅହେତୁକ ବଢ଼ି ଯାଇଥିଲା । ଯେଉଁ ଦ୍ରୁତ ଗତିରେ ଜମିର ମୂଲ୍ୟ ବଢ଼ିଥିଲା ତାହା ଏକ ରେକର୍ଡ । ରାମଜନ୍ମଭୂମି ଟ୍ରଷ୍ଟ ୨ କୋଟି ମୂଲ୍ୟର ଜମିକୁ ୧୮.୫୦ କୋଟିରେ କିଣିଥିଲା । ଏଥିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ରାମ ମନ୍ଦିର ନିର୍ମାଣ ପାଇଁ ସାଧାରଣ ଲୋକମାନେ ହାତ ଖୋଲି ଦେଇଥିବା ଦାନଅର୍ଥକୁ ରାଜମଜନ୍ମଭୂମି ଟ୍ରଷ୍ଟ ସଦସ୍ୟ ପରସ୍ପର ଭିତରେ ବାଣ୍ଟି ନେଇଛନ୍ତି ବୋଲି ସଞ୍ଜୟ ସିଂହ ଅଭିଯୋଗ କରିଛନ୍ତି ।

ସଞ୍ଜୟ ସିଂହ କିଛି କାଗଜପତ୍ର ମଧ୍ୟ ଉପସ୍ଥାପନ କରି ଦାବି କରିଛନ୍ତି ଯେ, ଯେଉଁ ଜମି ମନ୍ଦିର ଟ୍ରଷ୍ଟ କିଣିଥିଲା, ତାର ଷ୍ଟାମ୍ପ୍ ବହୁ ପୂର୍ବରୁ ହିଁ କିଣି ସାରିଥିଲା । କୌଣସି ଟ୍ରଷ୍ଟରେ ଜମି କିଣିବା ବେଳେ ବୈଠକ ଡକାଯାଇ ଏ ବାବଦରେ ପ୍ରସ୍ତାବ ଗୃହୀତ ହୋଇଥାଏ । କିନ୍ତୁ ରାମଜନ୍ମଭୂମି ଟ୍ରଷ୍ଟ ମାତ୍ର ପାଞ୍ଚ ମିନିଟ୍‌ରେ କିପରି ଜମି କିଣିବା ପାଇଁ ପ୍ରସ୍ତାବ ପାରିତ କରି ଦେଇଥିଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏହି ମାମଲାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ଦ୍ୱାରା ତଦନ୍ତ କରାଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ସଞ୍ଜୟ ସିଂହ ।

ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ପବନ ପାଣ୍ଡେ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଦୁଇ କୋଟି ମୂଲ୍ୟର ଜମି ମାତ୍ର ୧୦ ମିନିଟ୍‌ରେ କିପରି ୧୮ କୋଟି ହୋଇଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅନ୍ୟପକ୍ଷେ ରାମଜନ୍ମଭୂମି ଟ୍ରଷ୍ଟର ମହାସଚିବ ଚମ୍ପତି ରାୟ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏଭଳି ଅଭିଯୋଗରେ କୌଣସି ସତ୍ୟତା ନାହିଁ । ଏହା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଚମ୍ପତି ରାୟ କହିଛନ୍ତି ।

Comments are closed.