ଭର୍ଚୁଆଲ ଭାବେ ପାଳିତ ହେଲା ୩ୟ ଲୋକକଳା ଦିବସ, ସାମିଲ ହେଲେ ୩୦୦ କଳାକାର

ଭୁବନେଶ୍ବର: ଆଜି ରାଜ୍ୟସ୍ତରରେ ତୃତୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହା ଦେଶର ଏକ ଅନନ୍ୟ କାର୍ଯ୍ୟକ୍ରମ ବୋଲି ଦର୍ଶାଇ ଲୋକକଳା ସହ ଜଡ଼ିତ ସମସ୍ତ କଳାକାରଙ୍କ ପ୍ରତି ସରକାର ସମ୍ବେଦନଶୀଳ ଅଛନ୍ତି ବୋଲି କହିଥିଲେ । ରାଜ୍ୟରୁ କୌଣସି କଳାଶୈଳୀ ଯେପରି ବିଲୁପ୍ତିର ଶିକାର ନହୁଏ ସେ ଦିଗରେ ଏହି କାର୍ଯକ୍ରମ ଅଭିପ୍ରେତ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥ ସହିତ ସେ ରାଜ୍ୟର ସମସ୍ତ କଳାକାରଙ୍କୁ ରଜ ଉତ୍ସବର ଶୁଭେଚ୍ଛା ଜଣାଇ ସମସ୍ତଙ୍କ ନିରାମୟ ଜୀବନ କାମନା କରିଥିଲେ ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ ଯେ ଓଡ଼ିଶା ଏକ କଳାର ପ୍ରଦେଶ । ଏହା ଲୋକକଳାର ବିଶାଳ ବୈଭବକୁ ତା’କୋଳରେ ମଣ୍ଡନ କରିଛି । ଆଜିର ଏହି କାର୍ଯ୍ୟକ୍ରମ ଭାରତ ବର୍ଷରେ ଅନନ୍ୟ କାର୍ଯ୍ୟକ୍ରମ ବୋଲି ସେ ଅଭିହିତ କରିଥିଲେ । ପରେ ରାଜ୍ୟର କଳାକାରମାନଙ୍କ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତ୍ତା ଭର୍ଚୁଆଲ ମାଧ୍ୟମରେ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବ ନିର୍ଦ୍ଧାରଣ ପ୍ରକାରେ କଳାହାଣ୍ଡିର ଘୁମୁରା , କୋରାପୁଟର ଢେମସା , ବରଗଡ଼ର ଡାଲଖାଇ , ଖୋର୍ଦ୍ଧାର ଘୋଡ଼ାନାଚ , ପଦ୍ମନୀ ଦୋରାଙ୍କ ସମ୍ବଲପୁରୀ ଗୀତ ଓ ଗଞ୍ଜାମର ବାଘନାଚ ପରିବେଷଣ କରାଯାଇଥିଲା ।

ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଓ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇଙ୍କ ରଚିତ ଗୀତ ‘ ଆମେ ମାନିବା ଲକଡାଉନ୍ ’ ଓ କରୋନା ଯୁଦ୍ଧ ପରିବେଷଣ କରାଯାଇଥିଲା । ପରିଶେଷରେ ସଂସ୍କୃତି ନିର୍ଦ୍ଦେଶକ ଦାସ ୟୁନିସେଫ୍ ଏହି ଉପକ୍ରମ ନିମନ୍ତେ ବିଗତ ୧୦ ବର୍ଷ ଧରି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଥିବାରୁ କୃତଜ୍ଞତା ଜଣାଇଥିଲେ । ଏହି ଭର୍ଚୁଆଲ ଉତ୍ସବରେ ରାଜ୍ୟର ପ୍ରାୟ ୩୦୦ ଜଣ କଳାକାର ସାମିଲ ହୋଇଥିଲେ । ଅନୁରୂପ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରରେ ଆୟୋଜନ ହୋଇଥିବା ଜଣାପଡ଼ିଛି । ୨୦୧୯ ମସିହାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ଉତ୍ସବ ଗତବର୍ଷ ଏବଂ ଚଳିତ ବର୍ଷ କୋଭିଡ୍‌ କଟକଣା ଯୋଗୁଁ ଭର୍ଚୁଆଲ ଭାବେ ଜୁନ୍ ୧୪ ତାରିଖରେ ପାଳନ କରାଯାଉଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ବାସୁଦେବ ମାଳବିଶୋଇ ଓ ରାଜ୍ୟ କଳାକାର ମହାସଂଘର ଉପସଭାପତି ଅବନୀ ମିଶ୍ର ପରିଚାଳନା କରିଥିଲେ ।

Comments are closed.