କୁମ୍ଭମେଳାର ୧ ଲକ୍ଷ କୋଭିଡ୍ ଟେଷ୍ଟ ରିପୋର୍ଟ ଜାଲ୍‌

ହରିଦ୍ୱାର/ଡେରାଡୁନ୍‌: ଭାରତରେ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହରୀ ପାଇଁ କିଛି ବୁଦ୍ଧିଜୀବୀ କୁମ୍ଭମେଳାକୁ ଦାୟୀ କରିଥିଲେ । ଏବେ କୁମ୍ଭମେଳାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । କୁମ୍ଭମେଳାରେ ହୋଇଥିବା ୪ ଲକ୍ଷ କୋଭିଡ୍ ଟେଷ୍ଟ ମଧ୍ୟରୁ ପ୍ରାୟ ୧ ଲକ୍ଷ ରିପୋର୍ଟ ଜାଲ୍ ଥିଲା । ଖୋଦ୍ ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟ ବିଭାଗ ଏହା କହିଛି । କୁମ୍ଭମେଳାକୁ ଆସୁଥିବା ଲୋକଙ୍କୁ ଏପରି ଜାଲ୍ କୋଭିଡ୍ ଟେଷ୍ଟ ରିପୋର୍ଟ ଦେଉଥିଲା ଏକ ଘରୋଇ ସଂସ୍ଥା ।

ତଦନ୍ତରୁ କୁମ୍ଭମେଳା ପାଇଁ ହୋଇଥିବା କୋଭିଡ୍ ଟେଷ୍ଟରେ ବ୍ୟାପକ ଜାଲିଆତି ହୋଇଥିବା ସ୍ପଷ୍ଟ ହୋଇଛି । ୫୦ ଲୋକଙ୍କ ରିପୋର୍ଟରେ ଗୋଟିଏ ଫୋନ୍ ନମ୍ବର ଉଲ୍ଲେଖ କରାଯାଇଛି । ଯେଉଁ ଆଣ୍ଟିଜେନ୍ ଟେଷ୍ଟ କିଟ୍‌ରେ କେବଳ ଜଣଙ୍କର କରୋନା ପରୀକ୍ଷଣ ହେବା କଥା, ସେହି କିଟ୍‌ରେ ୭୦୦ ସାମ୍ପଲ୍ ପରୀକ୍ଷା କରାଯାଇଥିବା ଦର୍ଶାଯାଇଛି । ଅଧିକାଂଶ ଲୋକଙ୍କ ନାମ ଓ ଠିକଣା ମଧ୍ୟ ଜାଲ୍ ବୋଲି ଜଣାପଡିଛି । ପ୍ରାୟ ୫୩୦ ସାମ୍ପଲ୍ ଏକ ନିର୍ଦ୍ଦିଷ୍ଟ ‘ହାଉସ୍ ନମ୍ବର-୫’ରୁ ସଂଗ୍ରହ କରାଯାଇଥିବା ଉଲ୍ଲେଖ କରାଯାଇଛି । ଗୋଟିଏ ଘରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ରହିବା ସମ୍ଭବ ନୁହେଁ । ଲୋକଙ୍କ ଟେଷ୍ଟ ରିପୋର୍ଟରେ ମଧ୍ୟ ଦିଆଯାଇଥିବା ଠିକଣା ସବୁ କାଳ୍ପନିକ ବୋଲି ଜଣାପଡିଛି ।

କୋଭିଡ୍ ଟେଷ୍ଟରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିବା ପରେ ପ୍ରଶାସନିକ ସ୍ତରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ହରିଦ୍ୱାର ଜିଲ୍ଲାପାଳଙ୍କ ଠାରୁ ଏହି ମାମଲାରେ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ସଚିବ ଅମିତ ନେଗୀ କହିଛନ୍ତି ।

Comments are closed.