ବର୍ଷୀୟାନ ଅଭିନେତା ଚନ୍ଦ୍ରଶେଖରଙ୍କ ଦେହାନ୍ତ

ମୁମ୍ବାଇ: ବର୍ଷୀୟାନ ବଲିଉଡ୍ ଅଭିନେତା ଚନ୍ଦ୍ରଶେଖରଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା । ଜଣେ ଜୁନିୟର କଳାକାରରୁ କ୍ୟାରିୟର ଆରମ୍ଭ କରିଥିବା ଚନ୍ଦ୍ରଶେଖର ପରବର୍ତ୍ତୀ ସମୟରେ ହିନ୍ଦୀ ଫିଲ୍ମ ଜଗତର ଏକ ପ୍ରମୁଖ ଚରିତ୍ର ଅଭିନେତା ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ଏହି ଭେଟେରାନ ଅଭିନେତା ୨୫୦ରୁ ଊର୍ଦ୍ଧ୍ୱ ଫିଲ୍ମ ଓ ଟିଭି ସିରିଏଲ୍‌ରେ କାମ କରିଥିଲେ । ତାଙ୍କ ଅଭିନୀତ କିଛି ପ୍ରମୁଖ ଫିଲ୍ମ ହେଉଛି ସୁରଙ୍ଗ (୧୯୫୩), ମସ୍ତାନା (୧୯୫୪), ବସନ୍ତ ବାହାର (୧୯୫୬), କାଲି ଟୋପି ଲାଲ୍ ରୁମାଲ୍ (୧୯୫୯), ବରସାତ୍ କି ରାତ୍ (୧୯୬୦), ରୁସ୍ତମ୍ – ଏ – ବାଗଦାଦ୍ (୧୯୬୩) ଏବଂ କନ୍ୟାଦାନ (୧୯୬୮) । ଶାନ୍ତାରାମ, ମନମୋହନ ଦେଶାଇ, ପ୍ରକାଶ ମେହେରା, ବିଆର୍ ଚୋପ୍ରା, ଶକ୍ତି ସାମନ୍ତ ଓ ରାମାନନ୍ଦ ସାଗରଙ୍କ ଭଳି ନିର୍ଦ୍ଦେଶକ ଓ ଫିଲ୍ମ ନିର୍ମାତାଙ୍କ ସହ ଚନ୍ଦ୍ରଶେଖର କାମ କରିଥିଲେ । ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ପୌରାଣିକ ସିରିଏଲ୍ ‘ରାମାୟଣ’ରେ ମଧ୍ୟ ସେ ଆର୍ଯ୍ୟ ସୁମନ୍ତ ଚରିତ୍ରରେ ଅଭିନୟ କରିଥିଲେ । ୨୦୦୦ରେ ରିଲିଜ୍ ହୋଇଥିବା ‘ଖୌଫ୍‌’ ଥିଲା ତାଙ୍କର ଶେଷ ଫିଲ୍ମ ।

ଚନ୍ଦ୍ରଶେଖର ୧୯୮୫ ରୁ ୧୯୯୬ ପର୍ଯ୍ୟନ୍ତ ‘ସିନେ ଆର୍ଟିଷ୍ଟ୍‌ସ୍ ଆସୋସିଏସନ୍‌’ର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ ।

Comments are closed.