ମିଥୁନଙ୍କ ବଢ଼ିଲା ଅଡ଼ୁଆ, ଉତ୍ତେଜନା ମୂଳକ ଭାଷଣ ଅଭିଯୋଗରେ ପୋଲିସ ଜେରାର ସମ୍ମୁଖୀନ

କୋଲକାତା: ଉତ୍ତେଜନା ମୂଳକ ଭାଷଣ ଦେବା ଅଭିଯୋଗ ଲୋକପ୍ରିୟ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତିଙ୍କୁ କୋଲକାତା ପୋଲିସ୍ ଆଜି ଜେରା କରିଛି । ଉତ୍ତେଜନା ମୂଳକ ଭାଷଣ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରିବା ଅଭିଯୋଗରେ ମିଥୁନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।

ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ ଉତ୍ତେଜନା ମୂଳକ ଭାଷଣ ଦେବା ଅଭିଯୋଗରେ ମିଥୁନଙ୍କ ନାମରେ କୋଲକାତା ମାଣିକତଲ୍ଲା ଥାନାରେ ଏଫ୍‌ଆଇଆର୍ ରୁଜୁ କରାଯାଇଥିଲା । ଏଥିରେ ଦାବି କରାଯାଇଛି ଯେ, ମାର୍ଚ୍ଚ ୭ରେ ବିଜେପିରେ ସାମିଲ ହେବା ପରେ ଏକ ବିଶାଳ ରାଲିରେ ମିଥୁନ ଫିଲ୍ମ ଷ୍ଟାଇଲରେ ଭାଷଣ ଦେଇଥିଲେ । ଉକ୍ତ ରାଲିରେ ସେ ‘ଗୋଟେ ଲାତ ମାରିଲେ ଶ୍ମଶାନରେ ଯାଇ ପଡ଼ିବ..’ ଏବଂ ‘ସାପର ଗୋଟିଏ ଦଂଶନରେ ତୁମେ ଫଟୋରେ କଏଦ୍ ହୋଇଯିବ..’ ଆଦି ଡାଏଲଗ୍ ମାରିଥିଲେ । ତାଙ୍କର ଏଭଳି ଭାଷଣ ଯୋଗୁଁ ରାଜ୍ୟରେ ନିର୍ବାଚନ ପରେ ବ୍ୟାପକ ହିଂସା ଘଟିଥିଲା ବୋଲି ଏଫ୍‌ଆଇଆର୍‌ରେ ଦାବି ହୋଇଛି ।

ନିର୍ବର୍ାଚନ ଫଳାଫଳ ଘୋଷଣା ହେବାର ଏକ ମାସ ପରେ ମିଥୁନ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌କୁ ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲେ । ତାଙ୍କ ନାମରେ ଏଫ୍‌ଆଇଆର୍ ରଦ୍ଦ କରିବାକୁ ସେ ନିବେଦନ କରିଥିଲେ । ତାଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ଭେଟେରାନ ଅଭିନେତାଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୋଲିସ୍ ଜେରାର ସମ୍ମୁଖୀନ ହେବାକୁ ଅନୁମତି ଦେଇଥିଲେ । ତେବେ ଏଥିପାଇଁ ତାଙ୍କୁ ସୁହାଇଲା ଭଳି ସମୟ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ଏହି ମାମଲାରେ ପୋଲିସ୍ ତାଙ୍କୁ ଆଜି ପଚରା ଉଚରା କରିଛି । ଉଲ୍ଲେଖ ଯୋଗ୍ୟ ଯେ, ଆଜି ମଧ୍ୟ ମିଥୁନଙ୍କ ୭୧ତମ ଜନ୍ମଦିନ ।

Comments are closed.