କଂଗ୍ରେସର ଅଭିଯୋଗ: କୋଭାକ୍ସିନ୍ ଟିକା ତିଆରିରେ ବାଛୁରୀ ସେରମ୍ ବ୍ୟବହାର ହେଉଛି

ନୂଆଦିଲ୍ଲୀ: ସ୍ୱଦେଶୀ କରୋନା ଟିକା ‘କୋଭାକ୍ସିନ’ ପ୍ରସ୍ତୁତିରେ ବାଛୁରୀର ବ୍ଲଡ୍ ସେରମ୍ ବ୍ୟବହାର ହେଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଏହି ଟିକା ତିଆରିରେ ବ୍ୟବହାର ହୋଇଥିବା ଉପାଦାନ ସମ୍ପର୍କରେ ଆରଟିଆଇ ଜରିଆରେ ଲୋଡା ଯାଇଥିବା ତଥ୍ୟରେ ବାଛୁରୀ ସେରମ୍‌ର ବ୍ୟବହାର ନେଇ ଉଲ୍ଲେଖ ରହିଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ଜାତୀୟ ସଂଯୋଜକ ଗୌରବ ପାଣ୍ଢି ।

ପାଣ୍ଢି କିଛି ଦସ୍ତାବିଜ୍ ସୋସିଆଲ ମିଡିଆରେ ସେୟାର କରି କହିଛନ୍ତି, ବିକାଶ ପାଟନୀ ନାମକ ଜଣେ ଯୁବକଙ୍କ ଆର୍‌ଟିଆଇ ଆବେଦନ ଉପରେ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ (ସିଡିଏସ୍‌ସିଓ) ଏହି ଉତ୍ତର ଦେଇଛନ୍ତି ।

୨୦ ଦିନରୁ କମ୍ ବାଛୁରୀକୁ ହତ୍ୟା କରାଯାଇ ତାର ସେରମ୍ କୋଭାକ୍ସିନ୍ ଟିକା ତିଆରିରେ ବ୍ୟବହାର କରାଯାଉଛି । ଲୋକଙ୍କ ବିଶ୍ୱାସ ଓ ଭାବନା ପ୍ରତି ମୋଦି ସରକାର କୁଠାରାଘାତ କରିଛନ୍ତି । ସରକାର ଏ ସମ୍ପର୍କରେ ଲୋକଙ୍କୁ ଆଗରୁ କହିବାର ଥିଲା ବୋଲି ପାଣ୍ଢି କହିଛନ୍ତି ।
କଂଗ୍ରେସର ଏହି ଅଭିଯୋଗକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, କୋଭାକ୍ସିନକୁ ନେଇ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ସୂଚନା ସେୟାର କରାଯାଉଛି । ତଥ୍ୟକୁ ଅତିରଞ୍ଜିତ କରି ପୋଷ୍ଟ କରାଯାଉଛି । ନବଜାତ ବାଛୁରୀର ସେରମ୍‌ର ବ୍ୟବହାର କେବଳ ଭେରୋ ସେଲ୍ ତିଆରି କରିବା ପାଇଁ ଉପଯୋଗ କରାଯାଉଛି । ଏହା ପରେ ଏହା ଆପେ ନଷ୍ଟ ହୋଇଯାଏ । ଟିକା ପ୍ରସ୍ତୁତିର ଚୂଡାନ୍ତ ପର୍ଯ୍ୟାୟରେ ବାଛୁରୀ ସେରମ୍ ବ୍ୟବହାର ହୋଇନଥାଏ ।

ସେପଟେ ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ (ଆଇସିଏମ୍‌ଆର) କହିଛି ଯେ, ପ୍ରାୟ ସବୁ ଟିକା ନିର୍ମାଣରେ ନବଜାତ ବାଛୁରୀର ବ୍ଲଡ୍ ସେରମ୍ ବ୍ୟବହାର ହୁଏ । ପୋଲିଓ, ରାବିଜ୍ ଓ ଇନ୍‌୍‌ଫ୍ଲୁଏଞ୍ଜା ଟିକା ପ୍ରସ୍ତୁତିରେ ବି ବାଛୁରୀ ସେରମ୍‌ର ବ୍ୟବହାର କରାଯାଏ । ବାଛୁରୀ ବ୍ଲଡ୍ ସେରମ୍ ସବୁ ବୟୋଲୋଜିକାଲ ରିସର୍ଚର ଏକ ଜରୁରୀ ଅଂଶ ବୋଲି ସେରମ୍ ପକ୍ଷରୁ କୁହାଯାଇଛି ।

Comments are closed.