ଭେଣ୍ଟିଲେଟରରେ ନୂଆ ଜୀବନ

କରୋନା ସଙ୍କଟ କାଳରେ ଏକ ଆଶ୍ଵସ୍ତିକର ଖବର। ଏଭଳି ଏକ ଖବର ଯାହା ମହାମାରୀ ବିରୋଧରେ ମନୁଷ୍ୟର ସଂଗ୍ରାମରେ ବିଜୟର ଏକ କାହାଣୀ ବୋଲି କୁହାଯାଇ ପାରିବ। ମହାମାରୀ ବିପକ୍ଷ ଲଢ଼େଇରେ ନିଷ୍ଠାପର ଭାବେ ସେବାରତ ଡାକ୍ତରଙ୍କ ଏକ ବିଜୟ ଭାବେ ପରିଗଣିତ ହୋଇପାରିବ। ଖବର ଆସିଛି କନ୍ଧମାଳ ଜିଲ୍ଲାରୁ ଯେଉଁଠି କୋଭିଡ୍ ହସ୍‌ପିଟାଲର ଭେଣ୍ଟିଲେଟରରେ ଥିବା ଜଣେ ମହିଳାଙ୍କ ସୁରକ୍ଷିତ ସନ୍ତାନ ଜନ୍ମ କରାଇଛନ୍ତି ଡାକ୍ତରୀ ଟିମ୍।

ଫୁଲବାଣୀ ବ୍ଲକ୍ କଟ୍ରିଙ୍ଗିଆ ପଞ୍ଚାୟତ କିଲୁପାଙ୍ଗାର ଗର୍ଭବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ଆରମ୍ଭରୁ ଆଇସିୟୁ ଭିତରେ ହିଁ ଚାଲିଥିଲା ତାଙ୍କର ଚିକିତ୍ସା। ତେବେ ମଙ୍ଗଳବାର ରାତିରେ ତାଙ୍କର ଗର୍ଭ ବେଦନା ଆସିବା ବେଳେ ତାଙ୍କ ଶରୀରରେ ଅମ୍ଲଜାନ ସ୍ତର ୫୫ ପ୍ରତିଶତକୁ ହ୍ରାସ ପାଇ ସାରିଥିଲା। ଅର୍ଥାତ୍ ସ୍ଥିତି ଥିଲା ବେଶ୍ ସଙ୍କଟଜନକ। ତେବେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସତ୍ୟନାରାୟଣ ସାମଲ ଓ ଷ୍ଟାଫ୍ ନର୍ସମାନେ ନିଜ କର୍ତ୍ତବ୍ୟ ପରାୟଣତାର ଆଉ ଏକ ନଜିର ସୃଷ୍ଟି କରିଛନ୍ତି। ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କ ସହଯୋଗରେ ଏହି ଜଟିଳ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇ ମହିଳାଙ୍କ ସୁରକ୍ଷିତ କନ୍ୟା ସନ୍ତାନକୁ ଜନ୍ମ କରାଇ ପାରିଛନ୍ତି। ଛୁଆଟି ସୁସ୍ଥ ଅଛି ଏବଂ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଏସଏପସିୟୁରେ ରହିଥିବା କହିଛନ୍ତି ଡାକ୍ତର ସାମଲ। କୋଭିଡ୍ ୧୯ ଦ୍ବିତୀୟ ଲହରୀରେ ଏହି ଡାକ୍ତରଖାନାରେ ୨୦ରୁ ଅଧିକ କୋଭିଡ୍ ପଜିଟିଭ୍ ମହିଳାଙ୍କ ସୁରକ୍ଷିତ ପ୍ରସବ କରାଗଲାଣି।

ଯଦିଓ କୋଭିଡ୍ ସଂକ୍ରମିତ ମହିଳାଙ୍କ ସୁରକ୍ଷିତ ଓ ନିରାପଦ ପ୍ରସବ ପ୍ରଥମ ନୁହଁ, ତେବେ ଭେଣ୍ଟିଲେଟରରେ ଥାଇ ସୁରକ୍ଷିତ ସନ୍ତାନ ଜନ୍ମ କରାଇବା ମହାମାରୀ ବିରୋଧରେ ଡାକ୍ତରଙ୍କ ଏକ ବିଜୟ ବୋଲି ନିଶ୍ଚିତ କୁହାଯାଇ ପାରିବ। ଉଲ୍ଲେଖଯୋଗ୍ୟ ଯେ- ଏହା ପୂର୍ବରୁ ବ୍ରହ୍ମପୁର ସିଟି ହସ୍‌ପିଟାଲ୍ ଓ ଏମ୍‌କେସିଜି ମେଡିକାଲ କଲେଜ ହସ୍‌ପିଟାଲରେ କୋଭିଡ୍ ସାଙ୍ଗକୁ ଏଚ୍ଆଇଭି ସଂକ୍ରମିତ ମହିଳାଙ୍କ ନିରାପଦ ପ୍ରସବ କରାଯାଇ ପାରିଛି। ଡାକ୍ତରମାନଙ୍କ ନିଷ୍ଠାପର ଡ୍ୟୁଟି, ସେବା ମନୋଭାବ ଫଳରେ ଏଭଳି ଜଟିଳ ଅବସ୍ଥାରେ ମଧ୍ୟ ମହାମାରୀକୁ ହରାଇ କୋଭିଡ୍ ହସ୍‌ପିଟାଲରେ ନୂଆ ଜୀବନ ସଞ୍ଚାର ହୋଇପାରୁଛି ।

Comments are closed.