ସମ୍ବଲପୁର ଶୀତଳଷଷ୍ଠୀ: ବାହା ମଣ୍ଡପରେ ଯୁଗଳ ଦର୍ଶନ

ସମ୍ବଲପୁର : ସମ୍ବଲପୁର ଶୀତଳଷଷ୍ଠୀର ବହୁ ପ୍ରତିକ୍ଷୀତ ମୁହୁର୍ତ୍ତ , ଦେବ ଦମ୍ପତ୍ତିଙ୍କ ହାତଗଣ୍ଠି ପଡିବାର ସମୟକୁ ପ୍ରତ୍ୟେକଟି ମଣିଷ ଚାତକ ପରି ଅନାଇ ବସି ରହିଥାଏ । ଆଜି ଭୋର୍‌ରେ ସେହି ବ୍ରାହ୍ମ ମୁହୁର୍ତ୍ତରେ ପୁରୁଷ ଏବଂ ପ୍ରକୃତିର ମିଳନର ପର୍ବ ବା ସଂହାରକର୍ତ୍ତା ଆଶୁତୋଷଙ୍କ ସହ ଜଗଜ୍ଜନନୀ ମାତା ପାର୍ବତୀଙ୍କ ବିବାହର ପର୍ବ ଅନୁଷ୍ଠିତ ହୋଇଯାଇଛି । ଆଉ ହାତଗଣ୍ଠି ପରେ ନବ ବିବାହିତ ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ କରି ଭକ୍ତ ଆତ୍ମବିଭୋର ହୋଇଉଠିଛି ।

ଗତକାଲି ରାତିରେ ମନ୍ଦିର ଭିତରୁ ସୁନା , ରୂପାର ଅଳଙ୍କାରରେ ଭୂଷିତ ହୋଇ ଦେବ ଦେବ ମହାଦେବ ବରଯାତ୍ରୀ ପାଇଁ ବାହାରିଥିଲେ ବାହା ମଣ୍ଡପ ଅଭିମୁଖେ । ସେପଟେ , ମାତା ପାର୍ବତୀ ବି ବଧୂ ବେଶରେ ସଜ୍ଜିତ ହୋଇ ଆସି ପହଞ୍ଚିଥିଲେ ଉକ୍ତ ମଣ୍ଡପକୁ ବିଳମ୍ବିତ ରାତିରେ ଆରମ୍ଭ ହୋଇଥିଲା ବିବାହ । ଆଉ ବ୍ରାହ୍ମ ମୁହୁର୍ତ୍ତରେ ଦେବ ଦେବ ମହାଦେବଙ୍କ ସହିତ ମାତା ପାର୍ବତୀଙ୍କ ମଧ୍ୟରେ ହାତଗଣ୍ଡି ପଡିଥିଲା ।

ଆଉ ଆଜି ଦିନତମାମ ନବ ବିବାହିତ ଦେବ ଦମ୍ପରି ମନ୍ଦିର ପ୍ରାଙ୍ଗଣରେ ବିବାହ ମଣ୍ଡପରେ ହିଁ ଭକ୍ତଙ୍କୁ ଯୁଗଳ ଦର୍ଶନ ଦେଉଛନ୍ତି । ତେବେ , କରୋନା କଟକଣା ପାଇଁ ଏଥର ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ପ୍ରତି ଥରରେ ମାତ୍ର ୨୦ ଜଣ ଲେଖାଏଁ ଭକ୍ତଙ୍କୁ ଦର୍ଶନର ଅନୁମତି ଥିବା ବେଳେ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ପୃଥକ ପୃଥକ ରାସ୍ତାର ବ୍ୟବସ୍ଥା କରାଯାଇଛି ।

ନନ୍ଦପଡାର ବଂବରାଡ଼ ବାଲୁଙ୍କେଶ୍ଵର ବାବାଙ୍କ ଯୁଗଳ ଦର୍ଶନ ବାଲୁଙ୍କେଶ୍ଵର କଲ୍ୟାଣ ମଣ୍ଡପରେ ଚାଲିଥିବା ବେଳେ ଝାଡୁଆପଡାର ଲୋକନାଥ ବାବାଙ୍କ ଯୁଗଳ ଦର୍ଶନ ଆରଣ୍ୟକ କଲ୍ୟାଣ ମଣ୍ଡପରେ ଚାଲିଛି । ସେହିପରି ମୁଦିପଡାର ମନ୍ଦିର ପ୍ରାଙ୍ଗଣରେ ଜାଗେଶ୍ଵର ବାବାଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ଜାରି ରହିଛି । ଏହାବାଦ୍ ନିଜ ନିଜର ମନ୍ଦିର ପରିସରରେ ବଡ଼ବଜାରର ଶୀତଳେଶ୍ଵର ବାବା , ବାଲିବନ୍ଧାର ସୋମନାଥ ବାବା , ବୁଝାରଜାର ପାହାଡେଶ୍ଵର ବାବା , ଠାକୁରପଡାର ଗୁପ୍ତେଶ୍ଵର ବାବା , ଦୁର୍ଗାପାଲିର ଗୁଡେଶ୍ଵର ବାବା , ମାନେଶ୍ଵରର ମାନଧାତା ବାବା ଏବଂ ସିନ୍ଦୁରପଙ୍କର ତାରକେଶ୍ଵର ବାବା ଆଦି ସମସ୍ତ ମନ୍ଦିରରେ ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ଜାରି ରହିଛି ।

 

Comments are closed.