ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ

ସାଉଥମ୍ପଟନ: ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (ଡବ୍ଲୁଟିସି) ଫାଇନାଲ୍ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । କ୍ରିକେଟର ଏହି କ୍ଲାସିକାଲ ଫର୍ମାଟରେ ଶ୍ରେଷ୍ଠତ୍ୱ ପାଇଁ ସାଉଥମ୍ପଟନର ଏଜିସ୍ ବାଉଲରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତର ମୁକାବିଲା କେନ୍ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ ସହ ହେବ । ଏହି ମ୍ୟାଚ୍ ଉପରେ ବିଶ୍ୱ ଟେଷ୍ଟ ଚାମ୍ପୟନସିପର ଭବିଷ୍ୟତ ବି ନିର୍ଭର କରୁଛି । ତିନି ଫର୍ମାଟ ମଧ୍ୟରୁ ଶ୍ରେଷ୍ଠ ଭାବେ ବିବେଚିତ ହେଉଥିଲେ ବି ୧୪୪ ବର୍ଷ ପୁରୁଣା ଟେଷ୍ଟ କ୍ରିକେଟର ଲୋକପ୍ରିୟତା ବଢାଇବା ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଭଳି ଏକ ଟୁର୍ଣ୍ଣାମେଣ୍ଟର ପରିକଳ୍ପନା କରିଥିଲା ଆଇସିସି । କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ଏହି ଚାମ୍ପିୟନସିପର ପ୍ରଥମ ସଂସ୍କରଣ ସଫଳ ସାବ୍ୟସ୍ତ ହୋଇଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ଡବ୍ଲୁଟିସି ଫାଇନାଲ ବିରାଟ କୋହଲିଙ୍କ ନେତୃତ୍ୱ ଦକ୍ଷତାର ଆଉ ଏକ ଅଗ୍ନି ପରୀକ୍ଷା ହେବ । ସର୍ବାଧିକ ବିଜୟ ଦୃଷ୍ଟିରୁ ଯଦିଓ ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ ଭାରତର ସବୁଠୁ ସଫଳ ଟେଷ୍ଟ ଅଧିନାୟକ ହୋଇପାରିଛନ୍ତି, ସେ ଜିତିଥିବା ଟ୍ରଫି ତାଲିକାରେ ଗୋଟିଏ ବି ଆଇସିସି ଟ୍ରଫି ନାହିଁ । ଅଧିନାୟକ ଭାବେ କୋହଲି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ହେଲେ ମହେନ୍ଦ୍ର ସିଂ ଧୋନିଙ୍କ ସହ ତାଙ୍କର ନେତୃତ୍ୱ ଦକ୍ଷତାର ତୁଳନା କରିବାକୁ ବିଶେଷଜ୍ଞ ଠିକ୍ ମଣୁ ନାହାନ୍ତି । କାରଣ ଅଧିନାୟକ ଭାବେ ଧୋନି ତିନୋଟି ଆଇସିସିି ଟ୍ରଫି ଜିତିଛନ୍ତି । ଏ ଦୃଷ୍ଟିରୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଟାଇଟଲ୍ କୋହଲିଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସବୁ ଅଧିନାୟକ ବିଶ୍ୱ ଟ୍ରଫି ଚାହାଁନ୍ତି, କିନ୍ତୁ କୋହଲିଙ୍କୁ ଏହି ଟ୍ରଫିର ଏବେ ଅଧିକ ଆବଶ୍ୟକତା ରହିଛି । ଆଇସିସି ଟ୍ରଫି ପାଇଁ ଭାରତୀୟ କ୍ରିକେଟରେ ଧୋନିଙ୍କ ନାମ ଯେଭଳି ସମ୍ମାନର ସହ ସ୍ମରଣ କରାଯାଏ, କୋହଲି ମଧ୍ୟ ଅନୁରୂଭ ଭାବେ ଇତିହାସରେ ନିଜ ନାମ ଲିପିବଦ୍ଧ କରିପାରିବେ ଯଦି ସେ ଡବ୍ଲୁଟିସି ଟାଇଟଲ ଜିତନ୍ତି । ତେବେ ଏହି ଲକ୍ଷ୍ୟ ହାସଲ ପଥରେ କୋହଲିଙ୍କ ସାମ୍ନାରେ ଅଛନ୍ତି ସାମ୍ପ୍ରତିକ ଯୁଗର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ୱିଲିୟମସନ ଓ ତାଙ୍କର ଲଢୁଆ ଦଳ । ଉଭୟ ଦଳ ମଧ୍ୟରେ ବିଶେଷ ଫରକ ନଥିବା ବେଳେ ଡବ୍ଲୁଟିସି ଫାଇନାଲ ଅତ୍ୟନ୍ତ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଏହି ହାଇ ଭୋଲେଟେଜ ମୁକାବିଲାରେ କୋହଲି ବନାମ ୱିଲିୟମସନ, କନୱେ ବନାମ ଅଶ୍ୱିନ ଓ ଜାଡେଜା, ରୋହିତ ବନାମ ବୋଲ୍ଟ ଭଳି ଲଢେଇର ମଜା ଉଠାଇବେ ପ୍ରଶଂସକ ।
ଭାରତ ତାର ଚୂଡାନ୍ତ ଏକାଦଶ ଘୋଷଣା କରିଛି । ଦଳ ତିନି ପେସର ଓ ଦୁଇ ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲାଇବ ।

ଡବ୍ଳୁଟିସି ଫାଇନାଲ ବିଜେତାଙ୍କୁ ଟେଷ୍ଟ ଚାମ୍ପିୟନସିପ ଗଦା ସହ ୧.୬ ମିଲିୟନ ଡଲାର ପୁରସ୍କାର ରାଶି ମିଳିବ । ରନର୍ସ ଅପ୍ ଦଳ ୮୦୦,୦୦୦ ଡଲାର ପୁରସ୍କାର ପାଇବେ ।

ଭାରତୀୟ ଏକାଦଶ: ରୋହିତ ଶର୍ମା, ଶୁଭମାନ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ରିଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସାମି ।ୟ
ନ୍ୟୁଜିଲାଣ୍ଡ: କେନ୍ ୱିଲିୟମସନ (ଅଧିନାୟକ), ଟମ୍ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, ଡେଭନ କନୱେ, କଲିନ୍ ଡି’ଗ୍ରାଣ୍ଡହୋମ, ମ୍ୟାଟ୍ ହେନରି, କାଇଲ ଜାମିସନ, ଟମ୍ ଲାଥମ୍‌, ହେନରୀ ନିକୋଲ୍ସ, ଏଜାଜ ପଟେଲ, ଟିମ୍ ସାଉଦି, ରସ୍ ଟେଲର, ନିଲ ୱାଗନର, ବିଜେ ୱାଟଲିଂ ଏବଂ ୱିଲ୍ ୟଙ୍ଗ୍ ।

Comments are closed.