୬ ରୁ ୮ ସପ୍ତାହ ମଧ୍ୟରେ ଆସିପାରେ ତୃତୀୟ ଲହର, ସତର୍କ କରାଇଲେ ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣରୁ ମୁକୁଳି ନଥିବା ଭାରତ ଉପରେ ତୃତୀୟ ଲହରୀ ବିପଦ ବଢ଼ିଲାଣି । ତୃତୀୟ ଲହର ୬ରୁ ୮ ସପ୍ତାହ ମଧ୍ୟରେ ଆସିବା ଥୟ ବୋଲି ଦିଲ୍ଲୀ ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି । 

ପୂର୍ବରୁ ବିଶେଷଜ୍ଞ ମଧ୍ୟ ଭାରତରେ ତୃତୀୟ ଲହରୀ ଆଶଙ୍କା ନେଇ ଚେତାବନୀ ଦେଇ ସାରିଛନ୍ତି । ଦ୍ୱିତୀୟ ଲହରୀ ପ୍ରକୋପ କମୁଥିବାରୁ ଦୀର୍ଘଦିନର ଲକ୍‌ଡାଉନ୍ ପରେ ଅନେକ ରାଜ୍ୟରେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍‌ଲକ୍ ନେଇ ତରବରିଆ ନିଷ୍ପତ୍ତି ତୃତୀୟ ଲହର ବିପଦକୁ ଆମନ୍ତ୍ରଣ ସଦୃଶ ହେବ ବୋଲି ମଧ୍ୟ କିଛି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ।

ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲକୁ ଗୁଲେରିଆ କହିଛନ୍ତି, ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହେବା ପରେ ଲୋକମାନେ ଢ଼ିଲା ହୋଇଯାଇଛନ୍ତି । ଅଧିକାଂଶ ଲୋକ କୋଭିଡ୍ ସମ୍ବନ୍ଧୀୟ ଆଚରଣ ପାଳନ କରୁନଥିବା ଦେଖିବାକୁ ମିଳିଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଲୋକେ ପ୍ରଥମ ଓ ଦ୍ୱିତୀୟ ଲହରୀରୁ କିଛି ଶିକ୍ଷା ଗ୍ରହଣ କରିନାହାନ୍ତି । ବଜାର, ମଲ୍‌ରେ ପୁଣି ଭିଡ୍ ଜମୁଛି । ଲେକେ ଯଦି କୋଭିଡ୍ ନିୟମକୁ ଏମିତି ଫୁô’ କରିବେ ତେବେ ୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହରୀ ଆସିବା ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି ।

ନିକଟରେ ଏକ ରିପୋର୍ଟରେ କୁହାଯାଇଥିଲା ଯେ, ସମୟ ପୂର୍ବରୁ ମହାରାଷ୍ଟ୍ରରେ କୋଭିଡ୍‌-୧୯ର ତୃତୀୟ ଲହରୀ ଆସିପାରେ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦ୍ୱାରା ଗଠିତ ଏକ ବିଶେଜ୍ଞକ କମିଟି ଏହି ସୂଚନା ଦେଇଥିଲା । ମହାରାଷ୍ଟ୍ରର ଅଧିକାଂଶ ଅଞ୍ଚଳରେ କଟକଣା କୋହଳ ହେବା ପରେ ସର୍ବସାଧାରଣ ସ୍ଥାନରେ ଲୋକଙ୍କ ଭିଡ଼ ଜମୁଛି । ଏଭଳି ସ୍ଥିତିରେ ରାଜ୍ୟରେ କରୋନା ଗ୍ରାଫ୍ ପୁଣି ଉପର ମୁହାଁ ହେବା ଆଶଙ୍କା ରହିଛି ବୋଲି ବିଶେଷଜ୍ଞ କମିଟି ଚେତାଇଛି ।

Comments are closed.