ବିଜନ କୁମାର ମହାପାତ୍ର
ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ଜୀବନ ଥିଲା ସଂଘର୍ଷ,ସାଧନା ଓ ସଫଳତାର ଏକ ରୋମାଂଚକର, ପ୍ରେରଣାପ୍ରଦ କାହାଣୀ । ସଂଘର୍ଷ, ସାଧନା ଓ ସଫଳତାର ବଳିଷ୍ଠ ଉଦାହରଣ ହେଉଛନ୍ତି ମିଲଖା, ଯିଏ କି ଅତି ଅଳ୍ପ ବୟସରେ ହିଁ ଜୀବନ ଓ ମୃତ୍ୟୁକୁ ଖୁବ୍ ନିକଟରୁ ଦେଖିଥିଲେ । ବ୍ୟକ୍ତିଗତ ଟ୍ରାଜେଡିକୁ ସାମନା କରିଥିଲେ । ପେଟ ପାଇଁ ଚୋରି କରିଥିଲେ । ଜୋତା ସଫା କରିଥିଲେ । କମ୍ ବୟସରୁ ହିଁ ଜୀବନ ପାଇଁ ସେ ଦୌଡିଥିଲେ ମିଲଖା । ସେ ଦୌଡ ଥିଲା ବଂଚିବା ପାଇଁ , ପେଟ ପୋଷିବା ପାଇଁ । ଆଉ ଏହା ବ୍ୟର୍ଥ ଯାଇ ନ ଥିଲା । ଜୀବନ କିଛି ଦିନ ପାଇଁ ଅସହ୍ୟ ଥିଲେ ମଧ୍ୟ ମିଲଖାଙ୍କ ପାଇଁ ଭାଗ୍ୟ ଲେଖି ରଖିଥିଲା ଏକ ସୁନେଲୀ ଭବିଷ୍ୟତ ।
ଅବିଭକ୍ତ ଭାରତର ପଞ୍ଜାବ ରାଜ୍ୟରେ ଗୋବିନ୍ଦପୁରା ଗାଁ ରେ ( ବର୍ତ୍ତମାନ ପାକିସ୍ତାନରେ )୧୯୨୯ ମସିହା ନଭେମ୍ବର ୨୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମିଲଖା । ୧୫ ଭାଇଭଉଣୀଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ୧୯୪୭ରେ ଦେଶ ବିଭାଜନ ପରବର୍ତ୍ତୀ ସାଂପ୍ରଦାୟିକ ଦଙ୍ଗାର ଶୀକାର ହୋଇଥିଲେ ମିଲଖାଙ୍କ ପରିବାର । ଦଙ୍ଗାରେ ବାପାମାଆ,ଦୁଇ ଭଉଣୀ ଓ ଜଣେ ଭାଇଙ୍କୁ ହରାଇ ବସିଲେ କିଶୋର ମିଲଖା । ଦେଶ ବିଭାଜନ ପୂର୍ବରୁ ଆଉ କିଛି ଭାଇ ଭଉଣୀଙ୍କ ମୃତ୍ୟୁ ହୋଇସାରିଥିଲା । ଜୀବନ ବଂଚାଇ ଦିଲ୍ଲୀ ପଳାଇ ଆସିଥିଲେ ମିଲଖା । ଦିଲ୍ଲୀରେ ବିବାହ କରିଥିବା ଜଣେ ଭଉଣୀଙ୍କ ଘରେ କିଛି ଦିନ ରହିଲା ପରେ ଶରଣାର୍ଥୀ ଶିବିର ଓ ପୁନର୍ବାସ କଲୋନୀରେ କିଛି ଦିନ ବିତାଇଥିଲେ ମିଲଖା ।
ଜୀବନ ତାଙ୍କ ପ୍ରତି ବେଶ୍ ନିର୍ଦ୍ଦୟ ଥିଲା । ଜୀବନ ପ୍ରତି ବୀତସ୍ପୃହ ହୋଇ ପଡିଥିବା ବେଳେ ଜଣେ ଭାଇ ମଲଖାନ ତାଙ୍କୁ ସେନାରେ ଭର୍ତ୍ତି ହେବା ପାଇଁ ପରାମର୍ଶ ଦେଇଥିଲେ । ତିନି ତିନି ଥର ବିଫଳ ହେଲା ପରେ ଚତୁର୍ଥ ଉଦ୍ୟମରେ ସଫଳ ହୋଇଥିଲେ ମିଲଖା । ସିକନ୍ଦରାବାଦରେ ଥିବା ସେନାର ଇଲେକଟ୍ରିକାଲ୍ ମେକାନିକାଲ ଇଂଜିନିୟରିଂ ସେଂଟରରେ ତାଙ୍କୁ ଅବସ୍ଥାପିତ କରାଗଲା । ଏଠାରେ ହିଁ ଆଥଲେଟିକ୍ସ ସଂସ୍ପର୍ଶରେ ଆସିଥିଲେ ମିଲଖା ସିଂହ । ସେନାରେ ନୂଆ କରି ଭର୍ତ୍ତି ହୋଇଥିବା ଯୁବକମାନଙ୍କ ପାଇଁ ବାଧ୍ୟତାମୂଳକ କ୍ରସ୍ କଂଟ୍ରି ରନରେ ମିଲଖା ଷଷ୍ଠ ସ୍ଥାନ ହାସଲ କଲା ପରେ ତାଙ୍କୁ ଆଥଲେଟିକ୍ସର ସ୍ପେଶାଲ୍ ଟ୍ରେନିଂ ପାଇଁ ସେନା ପକ୍ଷରୁ ଚୟନ କରାଯାଇଥିଲା । ବାସ୍ ,ଏଠାରୁ ଆରମ୍ଭ ହେଲା ମିଲଖା ସିଂହଙ୍କ ସୁଦୀର୍ଘ ଓ ସଫଳ ଆଥଲେଟିକ୍ସ ଜୀବନ । ହାବିଲଦାର ଗୁରଦେବ ସିଂହ ଥିଲେ ମିଲଖାଙ୍କ ପ୍ରଥମ କୋଚ୍ ।
ଇଂଟର-ସର୍ଭିସ ଆଥଲେଟିକ୍ସ ମିଟ୍ରେ ଲଗାତର ଉଲ୍ଲେଖନୀୟ ପ୍ରଦର୍ଶନ ପରେ ୧୯୫୬ ମସିହା ମେଲବୋର୍ଣ୍ଣ ଅଲିମ୍ପିକ୍ସ ପାଇଁ ଭାରତୀୟ ଆଥଲେଟିକ୍ସ ଦଳରେ ସ୍ଥାନ ପାଇଥିଲେ ମିଲଖା । ୨୦୦ ଓ ୪୦୦ ମିଟର ଦୌଡରେ ଭାଗ ନେବା ପାଇଁ ସେ ମନୋନୀତ ହୋଇଥିଲେ । ଅଲିମ୍ପିକ୍ସରେ ନିଜର ପ୍ରଥମ ପଦାର୍ପଣ ଥିଲା ମିଲଖାଙ୍କ ପାଇଁ ଶିକ୍ଷଣୀୟ ଅନୁଭୂତି । ବିଶ୍ୱର ମହାନ ଧାବକମାନଙ୍କୁ ନିକଟରୁ ଦେଖି ସେମାନଙ୍କ ଭଳି ଦୌଡିବାକୁ ଦୃଢପ୍ରତିଜ୍ଞ ହୋଇଥିଲେ ମିଲଖା । ତାଙ୍କୁ ପ୍ରେରଣା ଯୋଗାଇଥିଲେ ୪୦୦ ମିଟର ଚାମ୍ପିଅନ ଚାର୍ଲସ ଜେନକିନ୍ସ । ପ୍ରଶିକ୍ଷଣର କେତୋଟି ମୌଳିକ ଦିଗ ସଂପର୍କରେ ମିଲଖାଙ୍କୁ କହିଥିିଲେ ଜେନକିନ୍ସ ।
୧୯୫୮ ମସିହାରେ କଟକରେ ଆୟୋଜିତ ଜାତୀୟ କ୍ରୀଡାରେ ୨୦୦ ଓ ୪୦୦ ମିଟର ଦୌଡରେ ନୂଆ ରେକର୍ଡ କଲା ପରେ ସେହି ବର୍ଷ ହିଁ ଅନୁଷ୍ଠିତ ଏସୀୟ କ୍ରୀଡାରେ ବି ସେହି ଦୁଇ ଇଭେଂଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ମିଲଖା । ଭାରତୀୟ ଆଥଲେଟିକ୍ସରେ ଆରମ୍ଭ ହୋଇଥିଲା ମିଲଖା ସିଂହଙ୍କ ଯୁଗ । ୧୯୫୮ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଥିଲା ମିଲଖାଙ୍କ ପ୍ରଥମ ଆନ୍ତର୍ଜାତିକ ସଫଳତା । ସେହିବର୍ଷ ହିଁ ଆୟୋଜିତ ବ୍ରିଟିଶ ଏଂପାୟାର ଆଣ୍ଡ୍ କମନୱେଲଥ ଗେମସରେ ( ରାଜ୍ୟଗୋଷ୍ଠୀ କ୍ରୀଡା) ରେ ମିଲଖା ସିଂହ ୪୪୦ ୟାର୍ଡ ରେସରେ ବହୁ ଖ୍ୟାତନାମା ଧାବକଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣବିଜେତା ହୋଇଥିଲେ ମିଲଖା ସିଂହ । ଭାରତୀୟ କ୍ରୀଡା ପାଇଁ ଏହା ଥିଲା ଏକ ଐତିହାସିକ ସଫଳତା । ଏହାକୁ ମନେ ରଖିବାକୁ ମିଲଖାଙ୍କ ଅନୁରୋଧରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦିନକ ପାଇଁ ଜାତୀୟ ଛୁଟି ଘୋଷଣା କରିଥିଲେ । ଏସବୁ ଆନ୍ତର୍ଜାତିକ ସଫଳତା ମିଲଖା ସିଂହଙ୍କୁ ଏସିଆର ଅଗ୍ରଣୀ ଧାବକ ଭାବେ ପ୍ରତିଷ୍ଠିତ କରିଥିଲା ।
ପାକିସ୍ତାନୀ ପ୍ରତିଦ୍ୱନ୍ଦୀ ଓ ଫ୍ଲାଇଂ ଶିଖ୍ ସମ୍ବୋଧନ
ମିଲଖା ସିଂହଙ୍କ ସମସାମୟିକ ଥିଲେ ପାକିସ୍ତାନର ମହାନ ଧାବକ ଅବଦୁଲ ଖଲିକ୍ । ୧୦୦ ଓ ୨୦୦ ମିଟର ଦୌଡରେ ଏସିଆର ଶ୍ରେଷ୍ଠଙ୍କ ମଧ୍ୟରେ ଖଲିକ ଥିଲେ ଅନ୍ୟତମ । ମିଲଖା ସିଂହ ୧୯୫୮ ଏସୀୟ କ୍ରୀଡାର ୨୦୦ ମିଟର ଦୌଡରେ ଖଲିକଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ ପାକିସ୍ତାନୀମାନେ ବି ମିଲଖାଙ୍କ ସମ୍ମାନ କରିବାକୁ ଲାଗିଲେ । ୧୯୬୦ ମସିହାରେ ଲାହୋରରେ ଆୟୋଜିତ ଏକ ଦୌଡକୁଦ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମିଲଖାଙ୍କୁ ନିମନ୍ତ୍ରଣ ମିଳିଥିଲା । ଦେଶ ବିଭାଜନ ବେଳର ଦଙ୍ଗାର ସ୍ମୃତି ଲିଭି ନ ଥିଲା । ସେଥିପାଇଁ ପାକିସ୍ତାନ ଯିବାକୁ ଚାହୁଁ ନ ଥିଲେ ମିଲଖା । କିନ୍ତୁ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ତାଙ୍କୁ ପାକିସ୍ତାନ ଯିବା ପାଇଁ ପ୍ରବର୍ତ୍ତାଇଲା ପରେ ସେ ରାଜି ହୋଇଥିଲେ । ଲାହୋରରେ ଆୟୋଜିତ ପ୍ରତିଯୋଗିତାର ୨୦୦ ମିଟର ରେସରେ ପୁଣି ଥରେ ଅବଦୁଲ ଖଲିକଙ୍କୁ ହରାଇଥିଲେ ମିଲଖା । ଦର୍ଶକଙ୍କ ମଧ୍ୟରେ ଥିଲେ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଜେନେରାଲ୍ ଆୟୁବ ଖାନ୍ । ରେସ ସରିଲା ପରେ ମିଲଖାଙ୍କୁ ଆୟୁବ କହିଥିଲେ , ‘‘ତୁମେ ଆଜି ଦୌଡୁ ନ ଥିଲ, ତୁମେ ଉଡୁଥିଲ ।’’ ଜେନେରାଲ ଆୟୁବଙ୍କ ଏହି ମନ୍ତବ୍ୟ ପରେ ମିଲଖା ‘ଫ୍ଲାଇଂ ଶିଖ୍’ ଭାବେ ଲୋକପ୍ରିୟ ହେଲେ ।
ରୋମ୍ ଅଲିମ୍ପିକ୍ସରେ ଅଳ୍ପକେ ପଦକରୁ ବଂଚିତ
ମିଲଖାଙ୍କ ଆଥଲେଟିକ୍ସ କ୍ୟାରିୟରର ସବୁଠାରୁ ସ୍ମରଣୀୟ ଥିଲା ୧୯୬୦ ରୋମ୍ ଅଲିମ୍ପିକ୍ସର ୪୦୦ ମିଟର ରେସ୍ । ଏହି ଇଭେଂଟର ଫାଇନାଲ୍ରେ ପ୍ରବେଶ କରିଥିଲେ ମିଲଖା । ଏକ ଅଲିମ୍ପିକ ଆଥଲେଟିକ୍ସ ଇଭେଂଟରେ ଫାଇନାଲରେ ପ୍ରବେଶ କରିବାରେ ମିଲଖା ସିଂହ ହୋଇଥିଲେ ପ୍ରଥମ ଭାରତୀୟ ପୁରୁଷ ଆଥଲେଟ୍ । ଫାଇନାଲ ରେସରେ ସେ ସମସ୍ତଙ୍କଠାରୁ ଆଗରେ ଦୌଡୁଥିଲେ । କିନ୍ତୁ ଫିନିସ ଲାଇନ୍ ମାତ୍ର ଅଳ୍ପ ଦୂର ଥିଲା ବେଳେ ଭୁଲ୍ ଆକଳନ କରି ନିଜ ଗତିକୁ ଧୀମା କରିଦେଇଥିଲେ ମିଲଖା । ଏହାର ଫାଇଦା ଅନ୍ୟ ପ୍ରତିଯୋଗୀଙ୍କୁ ମିଳିଥିଲା । ମାତ୍ର ୦.୧ ସେକେଣ୍ଡ ପଛରେ ରହି ବ୍ରୋଞ୍ଜ ପଦକଠାରୁ ଦୂରରେ ରହିଯାଇଥିଲେ ମିଲଖା । ଚତୁର୍ଥ ସ୍ଥାନରେ ରହିଥିଲେ ମଧ୍ୟ ଏହି ଇଭେଂଟରେ ମିଲଖା ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ, ଯାହା କି ୩୮ ବର୍ଷ ଯାଏଁ ଅତୁଟ ଥିଲା । ତେବେ ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ମଧ୍ୟ ପଦକ ଜିତିପାରି ନ ଥିବାରୁ ବଂଚିଥିବା ଯାଏ ଅବଶୋଷ ପ୍ରକାଶ କରିଆସୁଥିଲେ ମିଲଖା । ଏଥିପାଇଁ ନିଜର ‘ଏରର ଅଫ୍ ଜଜମେଂଟ’କୁ ଦାୟୀ କରୁଥିଲେ ମିଲଖା । ରୋମ୍ ଅଲିମ୍ପିକ୍ସର ୪୦୦ ମିଟର ଫାଇନାଲ ମିଲଖାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଛି ।
ନିଜର ଘଟଣାବହୁଳ କ୍ୟାରିୟରରେ ମିଲଖା ଜିତିଥିବା ଅସଂଖ୍ୟ ପଦକ ମଧ୍ୟରୁ ରହିଛି ୪ଟି ଏସୀୟ କ୍ରୀଡା ସ୍ୱର୍ଣ୍ଣ ଓ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ । ଅନେକ ଜାତୀୟ ରେକର୍ଡର ସ୍ରଷ୍ଟା ହେଉଛନ୍ତି ମିଲଖା । କହିବାକୁ ଗଲେ ଭାରତୀୟ କ୍ରୀଡାର ସେ ଥିଲେ ପ୍ରଥମ ଗ୍ଲୋବାଲ ସୁପରଷ୍ଟାର୍ । ୧୯୫୯ ମସିହାରେ ମିଲଖାଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଇଥିଲା । ତେବେ ବିଡମ୍ବନାର ବିଷୟ ଯେ, ମିଲଖା ସିଂହଙ୍କ ପରି ଜଣେ କିମ୍ବଦନ୍ତୀ ଆଥଲେଟଙ୍କୁ ୨୦୦୧ ମସିହାରେ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । କିନ୍ତୁ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଥିଲେ ମିଲଖା । ୧୯୬୧ରେ ପ୍ରଚଳନା କରାଯାଇଥିବା ଅର୍ଜୁନ ପୁରସ୍କାର ମିଲଖା ସିଂହଙ୍କ ପରି ମହାନ ଧାବକଙ୍କୁ ୨୦୦୧ରେ ଦିଆଯିବାକୁ କିପରି ନିଷ୍ପତ୍ତି ନିଆଗଲା ପରି ସେତେବେଳେ ପ୍ରଶ୍ନ ସୃଷ୍ଟି ହୋଇଥିଲା ।
ଜଣେ ଭାରତୀୟ ଆଥଲେଟ୍ ଅଲିମ୍ପିକ ଟ୍ରାକ୍ ଆଣ୍ଡ୍ ଫିଲଡରେ ପଦଦ ଜିତିବା ସେ ଚାହାନ୍ତି ବୋଲି ମିଲଖା କହିଥିଲେ । ମିଲଖାଙ୍କ ସ୍ୱପ୍ନ ଆଗାମୀ ଟୋକିଓ ଅଲିମ୍ପିକ୍ସରେ କଣ ପୂରଣ ହୋଇପାରିବ ?
ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ
ବ୍ରହ୍ମପୁର -୭୬୦୦୦୮
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ )