ପଞ୍ଚଭୂତରେ ଲୀନ ହେଲେ ଫ୍ଲାଇଙ୍ଗ୍ ଶିଖ୍, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମିଲଖାଙ୍କୁ ଅନ୍ତିମ ବିଦାୟ

ଚଣ୍ଡିଗଡ଼: ମହାନ ଧାବକ ମିଲଖା ସିଂଙ୍କୁ ଶନିବାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ ଦିଆଯାଇଛି । ଚଣ୍ଡିଗଡ଼ରେ ଏହି ୯୧ ବର୍ଷୀୟ ଦିବଂଗତ ଆଥଲେଟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର ସଦସ୍ୟଙ୍କ ବ୍ୟତୀତ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମିଲଖାଙ୍କ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ରହି ‘ଫ୍ଲାଇଙ୍ଗ୍ ଶିଖ୍‌’ଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି । ପଞ୍ଜାବ ପୋଲିସ୍ ପକ୍ଷରୁ ଏହି କିମ୍ବଦନ୍ତୀ କ୍ରୀଡ଼ାବିତଙ୍କୁ ତୋପ ସଲାମୀ ଦିଆଯାଇଥିଲା । ମିଲଖାଙ୍କ ପୁଅ ତଥା ବିଶିଷ୍ଟ ଗଲ୍ଫ ଖେଳାଳି ଜୀଭ୍ ମିଲ୍‌ଖା ସିଂ ତାଙ୍କ ଚିତାରେ ମୁଖାଗ୍ନି ଦେଇଥିଲେ । ପଞ୍ଜାବ ରାଜ୍ୟପାଳ ଭିପି ସିଂହ ବଦନୋର, ପଞ୍ଜାବ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ, ହରିୟାଣା କ୍ରୀଡ଼ାମନ୍ତ୍ରୀ ସନ୍ଦୀପ ସିଂ ସହ ଅନେକ ଲୋକ ଉପସ୍ଥିତ ରହି ମିଲଖାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମିଲଖାଙ୍କ ଅନ୍ତିମ ସଂସ୍କାର ବେଳେ ଚଣ୍ଡିଗଡ଼ ପିଜିଆଇ ହସ୍ପିଟାଲର ନିର୍ଦ୍ଦେଶକ ପ୍ରଫେସର ଜଗତ ରାମ ମଧ୍ୟ ଉପସ୍ଥିତ ଥଲେ ।

କୋଭିଡ୍ ଜନିତ ଜଟିଳତା ଯୋଗୁଁ ମିଲଖା ସିଂଙ୍କ ଚଣ୍ଡିଗଡ଼ ପିଜିଆଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତି ପ୍ରାୟ ୧୧ଟା ୩୦ ମିନିଟରେ ଦେହାନ୍ତ ହୋଇଥିଲା । ପାଞ୍ଚ ଦିନ ତଳେ ତାଙ୍କ ପତ୍ନୀ ତଥା ଭାରତୀୟ ମହିଳା ଭଲିବଲ ଦଳର ପୂର୍ବତନ କ୍ୟାପଟେନ ନିର୍ମଳ କୌରଙ୍କ ମଧ୍ୟ କରୋନାରେ ବିୟୋଗ ଘଟିଥିଲା ।

ଗତ ବୁଧବାର ମିଲଖାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ପରେ ତାଙ୍କୁ କୋଭିଡ୍ ଆଇସିୟରୁ ସାଧାରଣ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟ ହଠାତ ବିଗିଡ଼ି ଯାଇଥିଲା । ତାଙ୍କର ଜ୍ୱର ବଢିବା ସହ ଶରୀରରେ ଅକ୍ସିଜେନ ସ୍ତର ହଠାତ ହ୍ରାସ ପାଇଥିଲା । ଡାକ୍ତରଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ମିଲଖା ରାତି ୧୧ଟା ୩୦ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ମିଲଖାଙ୍କ ସମ୍ମାନରେ ପଞ୍ଜାବ ସରକାର ଗୋଟିଏ ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏହି ଦିବଂଗତ ଆଥଲେଟଙ୍କ ଘରକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ସ୍ୱାଧୀନତ୍ତୋର ଭାରତର ପ୍ରଥମ ସ୍ୱର୍ଣ୍ଣ ବିଜେତା ଆଥଲେଟ ମିଲଖାଙ୍କ ବିୟୋଗରେ ଭାରତୀୟ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ନିଧନ ସହ ଭାରତୀୟ କ୍ରୀଡ଼ାରେ ଏକ ଯୁଗର ଅବସାନ ଘଟିଛି । ନିଜ ବେଗ ପାଇଁ ‘ଫ୍ଲାଇଙ୍ଗ୍ ଶିଖ୍‌’ ଭାବେ ପରିଚିତ ମିଲଖା ଚାରିଥର ଏସିଆଡ୍ ଚାମ୍ପିୟନ ଥିଲେ । ସେ ୧୯୫୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିବାରେ ମଧ୍ୟ ଏହି ମହାନ ଧାବକ ଥିଲେ ଭାରତର ପ୍ରଥମ ଆଥଲେଟ୍ । ତେବେ ୧୯୬୦ ରୋମ୍ ଅଲିମ୍ପିକ୍ସରେ ସେ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ସେହି ଅଲିମ୍ପିକସର ୪୦୦ ମିଟର ଇଭେଣ୍ଟରେ ମିଲଖା ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇ ଚତୁର୍ଥ ସ୍ଥାନ ହାସଲ କରିଥିଲେ । ତାଙ୍କର ଟାଇମିଂ ୪୫.୬ ସେକେଣ୍ଡ୍ ମଧ୍ୟ ବହୁବର୍ଷ ଧରି ଜାତୀୟ ରେକର୍ଡ ଥିଲା । ମିଲଖାଙ୍କ ଏହି ରେକର୍ଡକୁ ୧୯୯୮ରେ ପରମଜୀତ ସିଂହ ଭାଙ୍ଗିଥିଲେ ।

ମିଲଖା ମଧ୍ୟ ୧୯୫୬ ଏବଂ ୧୯୬୪ ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ୧୯୫୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।

Comments are closed.