ବିକାଶ ସହ ପରିବର୍ତ୍ତନ… ନେତୃତ୍ବ ନେଉଛନ୍ତି ଏସଏଚଜି

ସମାଜରେ ନାରୀଙ୍କୁ ଯଦି ସୁଯୋଗ ମିଳେ, ସେମାନେ ନିଜ ପ୍ରତିଭାର ଉଚିତ ନିଦର୍ଶନ ଦେଖାଇ ପ୍ରତିଟି କାର୍ଯ୍ୟକୁ ସୂଚାରୁ ରୂପେ ଆଗେଇ ନେବେ। ଏହାଦ୍ୱାରା ସମାଜ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବା ସହ ସାମଗ୍ରୀକ ବିକାଶ ତ୍ବରାନ୍ବିତ ହୋଇପାରିବ। ଗଞ୍ଜାମ ଜିଲ୍ଲାରେ ଗୋଟିଏ କି ଦୁଇଟି ନୁହେଁ, ଏଭଳି ଅନେକ ନଜିର ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାରୀ ସଶକ୍ତୀକରଣ ମନ୍ତ୍ରରେ ଅନୁପ୍ରାଣିତ ହୋଇ ଏଠାରେ ସ୍ୱୟଂ ସହାୟିକା ଗୋଷ୍ଠୀ, ମହିଳା ଦଳଙ୍କୁ ଅନେକ ପ୍ରକଳ୍ପ ଦାୟିତ୍ବ ନ୍ୟସ୍ତ କରାଯାଇଛି। ଗୋଷ୍ଠୀଗତ କାର୍ଯ୍ୟରେ ଏବେ ନେତୃତ୍ବ ନେଇ ନାରୀମାନେ ତାହାର ସଫଳ ରୂପାୟନ କରି ଦେଖାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଶକ୍ତ ଓ ସମୃଦ୍ଧ ଓଡ଼ିଶାର ଭିଜନରେ ନିଜ ଅବଦାନକୁ ସେମାନେ ଯଥାର୍ଥ ପ୍ରତିପାଦନ କରୁଛନ୍ତି।

ମହିଳା ସଶକ୍ତୀକରଣକୁ ଆଉ ପାଦେ ଆଗେଇ ନେଇ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଆରମ୍ଭ ହୋଇଛି ‘ବିଭବ’ ଅଭିଯାନ। ଗ୍ରାମାଞ୍ଚଳ ପରିମଳ ପରିଚାଳନାର ନେତୃତ୍ବ ନେବା ଆରମ୍ଭ କରିଛନ୍ତି ମହିଳା। ଖଲ୍ଲିକୋଟ ବ୍ଲକ୍‌ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ସହଯୋଗରେ ଆବର୍ଜନା ସଂଗ୍ରହ କରାଯାଇ ତାହାର ପ୍ରକ୍ରିୟାକରଣ ଜରିଆରେ ପ୍ରାକୃତିକ ‘ମୋ ଖତ’ ବାହାର କରାଯାଉଛି। ସହରାଞ୍ଚଳରେ ପୂର୍ବରୁ ୱାର୍ଡମାନଙ୍କରେ ସାହି ବସ୍ତି ବୁଲି ଭ୍ରାମ୍ୟମାଣ ଯାନ ଦ୍ଵାରା ଘରୁ ଅଳିଆ ଆବର୍ଜନା ସଂଗ୍ରହ କରଯାଉ ଥିଲା। ଏବେ ଖଲ୍ଲିକୋଟ ବ୍ଲକର ୮ଟି ପଞ୍ଚାୟତରେ ଆରମ୍ଭ ହୋଇଥିବା ଅଭିଯାନରେ ବ୍ୟାଟେରୀଚାଳିତ ଗାଡ଼ିରେ ମହିଳା ସଦସ୍ୟାମାନେ ଘରକୁ ଘର ବୁଲି କଠିନ ଓ ତରଳ ଆବର୍ଜନା ସଂଗ୍ରହ କରୁଛନ୍ତି। ଅଣୁ ଜୈବିକ ଖତ ପ୍ରସ୍ତୁତ କେନ୍ଦ୍ରକୁ ତାହାକୁ ନିଆଯାଉଛି। ଘରୁ ଆବର୍ଜନା ସଂଗ୍ରହ ପାଇଁ ପ୍ରତି ଘରକୁ ଦୁଇଟି ଲେଖାଏଁ ପ୍ଲାଷ୍ଟିକ ବକେଟ୍ ଦିଆଯାଇଛି। ଜୈବିକ କେନ୍ଦ୍ରରେ ପ୍ରସ୍ତୁତ ସାର ଚାଷୀମାନେ ମହିଳା ଏସଏଚଜି ଠାରୁ କିଲୋ ପିଛା ୨୦ ଟଙ୍କାରେ କିଣି ପାରିବେ। ପୂର୍ବରୁ ଗଞ୍ଜାମ ବ୍ଲକର ମଲାଡ଼ ପଞ୍ଚାୟତରେ ଏଭଳି ଜୈବିକ ଖତ ପ୍ରସ୍ତୁତି କେନ୍ଦ୍ର କାର୍ଯ୍ୟାରମ୍ଭ କରିଥିଲା। ଜିଲ୍ଲାର ଅନ୍ୟାନ୍ୟ ଗ୍ରାମାଞ୍ଚଳରେ ମଧ୍ୟ ଏହି ପଦ୍ଧତି ଧିରେ ଧିରେ ଗ୍ରହଣ କରାଯିବ। ଫଳରେ ଗୋଟିଏ ପଟେ ଗାଁ ସ୍ଵଚ୍ଛ ରହିବ, ଆରପଟେ ହାତପାଆନ୍ତାରେ ଶସ୍ତାରେ ପ୍ରାକୃତିକ ଖତ ମିଳିପାରିବ, ପୁଣି ଏସଏଚଜି ମଧ୍ୟ ଆର୍ଥିକ ଦୃଷ୍ଟିରୁ ଅଧିକ ସଶକ୍ତ ହୋଇପାରିବେ।

ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଚଳିତ ବର୍ଷା ଋତୁ ପାଇଁ କରାଯାଇଥିବା ମେଗା ଚାରାରୋପଣ କାର୍ଯ୍ୟକ୍ରମର ଆଗଧାଡ଼ିରେ ଥିଲେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ। ଏହାର ସଦସ୍ୟାମାନେ ରାସ୍ତାପାର୍ଶ୍ଵରେ ସ୍ଥାନ ଚିହ୍ନଟରୁ ଆରମ୍ଭ କରି ଗଛ ଲଗାଇବା, ମାଟି ପୋତିବା, କଙ୍କ୍ରିଟକୁ ଘେରାଇ ଗଛର ସୁରକ୍ଷା କରିବା, ପାଣି ଦେଇ ଚାରାର ଯତ୍ନ ନେବା କାର୍ଯ୍ୟକୁ ଦାୟିତ୍ୱସମ୍ପନ୍ନ ଭାବେ ତୁଲାଇଥିଲେ। ସେହିପରି ଜିଲ୍ଲାର ମନରେଗା କାର୍ଯ୍ୟରେ ଅଧିକ ସଂଖ୍ୟାରେ ମହିଳା ଶ୍ରମିକଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରାଇବାକୁ ପ୍ରୟାସ କରୁଛି ଜିଲ୍ଲା ପ୍ରଶାସନ। ମହିଳା ଏସ୍ଏଚଜିଙ୍କୁ ପ୍ରୋତ୍ସାହିତ କରିବା ତଥା ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର ବିକ୍ରିବଟା ଦୃଷ୍ଟିରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶାସନ ‘ଗଞ୍ଜାମ ହାଟ’ ନାମରେ ବିକ୍ରୟ କେନ୍ଦ୍ର ଖୋଲିବାରେ ଲାଗିଛି। ହିଞ୍ଜିଳିକାଟୁରେ ପ୍ରଶାସନ ଏକ ନିଆରା ପଦକ୍ଷେପ ନେଇଛି ଯେଉଁଥିରେ ମହିଳାଙ୍କ ଭାଗିଦାରିତାର ଆଉ ଏକ ଉଜ୍ଜ୍ବଳ ଦୃଷ୍ଟାନ୍ତ ଦେଖିବାକୁ ମିଳେ। ସେଠାରେ ଖୋଲିଛି ‘ପୋଷାକ’ ନାମକ କେନ୍ଦ୍ର। ଏଠାରେ ପୁରୁଣା କିନ୍ତୁ ଉନ୍ନତମାନର କପଡ଼ା ସଂଗ୍ରହ କରାଯାଉଛି। ତାହାକୁ ସଫା କରି, ଆବଶ୍ୟକ ସିଲେଇ ପରେ ଇସ୍ତ୍ରୀ ଦେଇ ପ୍ୟାକିଂ କରି ଅସହାୟ, ଗରିବଙ୍କୁ ପିନ୍ଧିବାକୁ ଦିଆଯାଉଛି। ଏହି କେନ୍ଦ୍ରକୁ ଏକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ପରିଚାଳନା କରୁଛି।

ପୂର୍ବରୁ ମଧ୍ୟ ଆସିକା ଅଞ୍ଚଳରେ ମହିଳା ଏସଏଚଜି ନେତୃତ୍ୱରେ ଗୁଡ଼ ଉତ୍ପାଦନ ୟୁନିଟ୍‌କୁ କାର୍ଯ୍ୟକ୍ଷମ କରାଯାଇଥିଲା। ଫଳରେ ମହିଳାଙ୍କୁ ଭିନ୍ନ ଏକ ଉଦ୍ୟୋଗୀ ଭୂମିକାରେ ଦେଖିବାକୁ ମିଳିଥିଲା। ଏହା ଆଗରୁ ବ୍ରହ୍ମପୁରରେ ମଧ୍ୟ ମହିଳା ସଫେଇ କର୍ମୀଙ୍କ ଭୂମିକାକୁ ଉଦ୍ୟୋଗୀ ଭାବେ ରୂପାନ୍ତରିତ କରିବାରେ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ଚେଷ୍ଟା ଆରମ୍ଭ କରିଛି। ଆଉ ଏଭଳି ବ୍ରହ୍ମପୁର ସ୍ଵଚ୍ଛତା ବାହିନୀ ଗଠନ କରିବାରେ ବିଏମ୍‌ସି ଥିଲା ଦେଶର ପ୍ରଥମ ମହାନଗର ନିଗମ। କେବଳ ସେତିକି ନୁହେଁ କୋଭିଡ୍ ମୁକାବିଲା ଦୃଷ୍ଟିରୁ ଘରକୁ ଘର ବୁଲି ସାସ୍ଥ୍ୟ ଯାଞ୍ଚ କାର୍ଯ୍ୟ ପ୍ରାୟତଃ ମହିଳା ସ୍ଵାସ୍ଥ୍ୟ କର୍ମୀ, ଆଶା ଦିଦି, ଅଙ୍ଗନବାଡ଼ି କର୍ମୀ, ଏଏନ୍ଏମଙ୍କ ଉପରେ ନ୍ୟସ୍ତ ରହିଛି। ଏହାକୁ ମଧ୍ୟ ସେମାନେ ସଫଳତା ସହ ସମ୍ପାଦନ କରି ଆସିଛନ୍ତି। ଗାଁ ଗାଁରେ ଲୋକଙ୍କୁ କରୋନା ସତର୍କତା ହେଉ ବା ଟିକାକରଣ ନେଇ ସଚେତନ କରାଇବାରେ ଏମାନେ ତୃଣମୂଳସ୍ତରରେ ବିରାଟ ଭୂମିକା ଗ୍ରହଣ କରି ଆସିଛନ୍ତି। ବାସ୍ତବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ସମାଜର ବୃହତ ବିକାଶ ଦିଗରେ ଏକ ଆଖିଦୃଶିଆ ପରିବର୍ତ୍ତନ ନିମନ୍ତେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ନେତୃତ୍ବ ପ୍ରଦାନର ସଫଳତା ଲଗାତାର ସମସ୍ତଙ୍କ ସାମନାକୁ ଆସିବାରେ ଲାଗିଛି।

Comments are closed.