କୋଭିଡ୍ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇହେବ ନାହିଁ, ସୁପ୍ରିମକୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇ ହେବ ନାହିଁ । ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଦାଏର ଏକ ଜନସ୍ୱାର୍ଥ ମାମଲାର ଜବାବରେ ଏହା କହିଛନ୍ତି କେନ୍ଦ୍ର ସରକାର । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଅନୁକମ୍ପା ରାଶି କେବଳ ଭୂମିକମ୍ପ ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରଯୁଜ୍ୟ । ଯଦି କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଅନୁକମ୍ପା ରାଶି ଦିଆଯାଏ, ତେବେ ଅନ୍ୟ ରୋଗରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କୁ ବି କ୍ଷତିପୂରଣ ଦେବାକୁ ପଡିବ । ସବୁ କରୋନା ପୀଡିତଙ୍କୁ କ୍ଷତିପୂରଣ ଦିଆଯିବା ରାଜ୍ୟ ସରକାର ମାନଙ୍କ ସାମର୍ଥ୍ୟ ବାହାରେ ବୋଲି ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ କହିଛନ୍ତି କେନ୍ଦ୍ର ସରକାର ।

କରୋନାରେ ପ୍ରାଣ ହରାଇଥିବା ସବୁ ଲୋକଙ୍କ ପରିବାରକୁ କ୍ଷତିପୂରଣ ଦେବା ନେଇ ଦାଏର ଜନସ୍ୱାର୍ଥ ମାମଲାର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ । ବିପର୍ଯ୍ୟୟ ପରିଚାଳନା ଆଇନ,୨୦୦୫ ଅନୁସାରେ କେନ୍ଦ୍ର ଓ ରାଜ୍ୟମାନଙ୍କୁ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଆବେଦନରେ ଅନୁରୋଧ କରାଯାଇଥିଲା । ଏହି ମାମଲାର ଶୁଣାଣି ସୋମବାର ହେବ ।

ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ କହିଛନ୍ତି – କରୋନା ସଂକ୍ରମଣ କ୍ଷେତ୍ରରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ କ୍ଷତିପୂରଣ ଦିଆଯିବା ଉଚିତ ନୁହେଁ । କରୋନା ମହାମାରୀ ଉପରେ ଏହା ଲାଗୁ କରାଯାଇ ପାରିବ ନାହିଁ । ରାଜସ୍ୱ ପରିମାଣରେ ହ୍ରାସ ଏବଂ ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ ବୃଦ୍ଧି ଯୋଗୁଁ ପୂର୍ବରୁ କେନ୍ଦ୍ର ଓ ରାଜ୍ୟମାନଙ୍କ ଉପରେ ଆର୍ଥିକ ବୋଝ ରହିଛି । କରୋନା ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଦିଆଗଲେ ଏହି ମହାମାରୀ ବିରୋଧରେ ଲଢ଼େଇ ଓ ସ୍ୱାସ୍ଥ୍ୟସେବା ଉପରେ ହେଉଥିବା ଖର୍ଚ୍ଚ ଉପରେ ପ୍ରଭାବ ପଡିପାରେ । ଏଭଳି ବ୍ୟବସ୍ଥା ଅଧିକ କ୍ଷତିର କାରଣ ହେବ । ମହାମାରୀ ଯୋଗୁଁ ଭାରତରେ ଏଯାବତ୍ ୩,୮୫,୦୦୦ରୁ ଊ୍‌ଧ୍ୱର୍ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ସଂଖ୍ୟା ଆହୁରି ବଢ଼ିପାରେ ।

ଉଲ୍ଲେଖଯୋଗ୍ୟ, କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବି କରି ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାରେ ସୁପ୍ରିମକୋର୍ଟ ମେ ୨୪ରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିଲେ ।

Comments are closed.