ହସ୍ପିଟାଲ ବାହାରେ ହେଉଥିବା ମୃତ୍ୟୁକୁ ବି କରୋନା ଜନିତ ମୃତ୍ୟୁ ଭାବେ ବିବେଚନା କରାଯିବ

ନୂଆଦିଲ୍ଲୀ: ହସ୍ପିଟାଲ ବାହାରେ ହୋଇଥିବା ମୃତ୍ୟୁକୁ ବି ଏଣିକି କରୋନା ମୃତ୍ୟୁ ଭାବେ ବିବେଚନା କରାଯିବ। ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ କେନ୍ଦ୍ର ସରକାର ଏହା କହିଛନ୍ତି । ​ ସରକାର କେବଳ ହସ୍ପିଟାଲରେ ଭର୍ତ୍ତି କରୋନା ରୋଗୀଙ୍କ ମୃତ୍ୟୁକୁ ଏହି ମହାମାରୀ ଜନିତ ମୃତ୍ୟୁ ଭାବେ ବିବେଚନା କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏହି ପ୍ରସଙ୍ଗରେ ଦାୟର ହୋଇଥିବା ଆବେଦନ ଉପରେ ସରକାର ୧୮୩ ପୃଷ୍ଠା ସମ୍ବଳିତ ସତ୍ୟପାଠ ଦାଖଲ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଏହି ନିୟମ ପାଳନ କରୁ ନ ଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କରୋନା କାରଣରୁ ମୃତ୍ୟୁ ନେଇ ପ୍ରଭାବିତ ପରିବାରଙ୍କୁ କ୍ଷତିପୂରଣ ଏବଂ ପ୍ରମାଣପତ୍ର ଦାବି କରି ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଜବାବ ମାଗିଥିଲେ। ଆବେଦନରେ କୁହାଯାଇଥିଲା ଯେ ଅଧିକାଂଶ କରୋନା ପୀଡିତଙ୍କ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ କରୋନା ବୋଲି ଉଲ୍ଲେଖ କରାଯାଇ ନାହିଁ । ଯାହା ଦ୍ବାରା ପ୍ରଭାବିତ ପରିବାରକୁ କ୍ଷତିପୂରଣ ମିଳିବା କଷ୍ଟକର ହେଉଛି। ଏ ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ୍ ଜାରି କରି କରୋନା ପୀଡିତଙ୍କୁ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ପାଇଁ କୌଣସି ଏକକ ନୀତି କିମ୍ବା ଗାଇଡଲାଇନ ଅଛି କି ବୋଲି ପଚାରିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ କାରଣରୁ କେବଳ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କ ମୃତ୍ୟୁକୁ କରୋନା ମୃତ୍ୟୁ ବୋଲି ବିବେଚନା କରାଯାଉଥିଲା। ଏପରିକି ହୋମ୍ ଇସୋଲେସନରେ କିମ୍ବା ହସ୍ପିଟାଲ ବାହାରେ ହେଉଥିବା ‌ ମୃତ୍ୟୁକୁ କରୋନା ମୃତ୍ୟୁ ଭାବେ ଗଣା ଯାଉନଥିଲା। ଏହି କାରଣରୁ ମୃତ୍ୟୁ ସଂଖ୍ୟାରେ ଅସଙ୍ଗତି ଅଭିଯୋଗ ଆସିଥିଲା।

 

Comments are closed.