ବିଶ୍ୱ ଟେଷ୍ଟ ଚାମ୍ପୟନସିପ ଫାଇନାଲ: ପ୍ରଥମ ଇନିଂସରେ ଭାରତ ୨୧୭ରେ ଅଟକିଲା, ନ୍ୟୁଜିଲାଣ୍ଡ ୧୦୧/୨

ସାଉଥମ୍ପଟନ,୨୦ ।୬: ଭାରତର ବ୍ୟାଟିଂ ଲାଇନ ଅପକୁ ଘାଇଲା କରିଛନ୍ତି ନ୍ୟୁଜିଲାଣ୍ଡର ଯୁବ ପେସର କାଇଲ ଜାମିସନ । ଜାମିସନଙ୍କ ଘାତକ ବୋଲିଂର ସାମ୍ନା କରିନପାରି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲର ତୃତୀୟ ଦିବସରେ ଭାରତ ପ୍ରଥମ ଇନିଂସରେ ମାତ୍ର ୨୧୭ ରନରେ ଅଲଆଉଟ୍ ହୋଇଯାଇଛି । ଏହାର ଜବାବରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୨ ଓ୍ବିକେଟ୍ ହରାଇ ୧୦୧ ରନ୍ କରିଛି । ଟମ୍ ଲାଥମ ୩୦ ରନ୍ କରି ଆଉଟ୍ ହୋଇଥିବା ବେଳେ ଡେଭନ କନଓ୍ବେ ୫୪ ରନ୍ କରିବା ପରେ ପ୍ୟାଭିଲିୟନ ଫେରିଛନ୍ତି । ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ କେନ ଓ୍ବିଲିୟମସନ ୧୨ ରନ୍ କରି ଅପରାଜିତ ଥିବା ବେଳେ ତାଙ୍କ ସହ ରସ୍ ଟେଲର କ୍ରିଜରେ ଅଛନ୍ତି । ଭାରତ ପକ୍ଷରୁ ଅଶ୍ବିନ ଓ ଇଶାନ୍ତ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଛନ୍ତି ।

ପୂର୍ବରୁ ଜାମିସନ ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ଛାଡ଼ି ଦଳର ବାକି ବ୍ୟାଟ୍ସମ୍ୟାନ୍ ନିରାଶ କରିଛନ୍ତି । ଭାରତୀୟ ଇନିଂସରେ କେହି ବି ଅର୍ଦ୍ଧଶତକଟିଏ ହାସଲ କରିପାରି ନାହାନ୍ତି । ଭାରତ ପକ୍ଷରୁ ରାହାଣେ ୪୯ ରନ୍ କରିଥିବା ବେଳେ କୋହଲି ୪୪ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ତରଫରୁ ଜାମିସନ ମାତ୍ର ୩୧ ରନରେ ୫ଟି ୱିକେଟ୍ ନେଇ ଭାରତୀୟ ବ୍ୟାଟିଂର ବିପର୍ଯ୍ୟୟ ଘଟାଇଥିଲେ । ଟ୍ରେଣ୍ଟ ବୋଲ୍ଟ ଓ ନିଲ ୱାଗନର ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

ଆଜି ଭାରତ ତାର ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୧୪୬/୩ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । କ୍ରିଜରେ ଥିଲେ ଅଧିନାୟକ ବିରାଟ କୋହଲି(୪୪) ଓ ଆଜିଙ୍କ୍ୟ ରାହାଣେ(୨୯)। ଲାଗୁଥିଲା ଦଳ ୩୦୦ ଉପରେ ସ୍କୋର କରିବ। କିନ୍ତୁ ପ୍ରଥମ ସେସନରେ ହିଁ ଭାରତ ଝୁଣ୍ଟିଥିଲା। ଦଳୀୟ ସ୍କୋରରେ ୩ ରନ ଯୋଡିବା ପରେ ୧୪୯ ରନ ସ୍କୋରରେ ଭାରତକୁ ବହୁତ ବଡ ଝଟକା ଲାଗିଥିଲା। ଅଧିନାୟକ କୋହଲି ୪୪ ରନ କରି ଜେମିସନଙ୍କ ଶିକାର ହୋଇଥିଲେ। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଏହି ସେସନରେ ଭାରତ ୪ ଓ୍ଵିକେଟ୍ ହରାଇଥିଲା। ଋଷଭ ପନ୍ତ(୪) ସଅଳ ଆଉଟ୍ ହୋଇଥିଲେ। କ୍ରିଜରେ ଜମି ରହିଥିବା ଆଜିଙ୍କ୍ୟ ରାହାଣେଙ୍କ ଉପରେ ଦଳ ଇନିଂସ ସଜାଡିବାର ଦାୟିତ୍ଵ ଥିଲା। ହେଲେ ରାହାଣେ ମାତ୍ର ଗୋଟିଏ ରନରୁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇ ୪୯ ରନ କରି ଆଉଟ୍ ହୋଇଥିଲେ।

ଏହା ପରେ ରବିଚନ୍ଦ୍ରନ ଅଶ୍ଵିନ ଦ୍ରୁତ ବ୍ୟାଟିଂ କରି ଦଳ ପାଇଁ କିଛି ଆଶା ସଞ୍ଚାର କରିଥିଲେ। ସେ ୨୭ ବଲ୍‌ରୁ ୨୨ ରନ କରି ସାଉଦିଙ୍କ ଶିକାର ହୋଇଥିଲେ। ରବୀନ୍ଦ୍ର ଜାଡେଜା କିଛି ସମୟ କ୍ରିଜରେ ସଂଘର୍ଷ କରିଥିଲେ ମଧ୍ୟ ଦଳକୁ ବ୍ୟାଟିଂ ବିପର୍ଯ୍ୟୟରୁ ଉଦ୍ଧାର କରି ପାରିନଥିଲେ। ସେ ୧୫ ରନ କରି ବିଦାୟ ନେଇଥିଲେ। ବିଶେଷ କରି ନ୍ୟୁଜିଲାଣ୍ଡର କାଇଲ ଜେମିସନ ଘାତକ ବୋଲିଂ କରି ଭାରତୀୟ ବ୍ୟାଟିଂର ବିପର୍ଯ୍ୟୟ ଘଟାଇଥିଲେ। ଶେଷରେ ଭାରତ ୯୨.୧ ଓଭରରେ ୨୧୭ ରନରେ ଅଲଆଉଟ୍ ହୋଇଥିଲା।

Comments are closed.