ଭାରତ ପ୍ରତି ଶତ୍ରୁତା ଆଚରଣ ସତ୍ତ୍ୱେ ଚୀନ୍ ରାଷ୍ଟ୍ରପତିଙ୍କ ସହ ୧୮ ଥର ସାକ୍ଷାତ କରିଛନ୍ତି ମୋଦି, ପ୍ରଶ୍ନ ଉଠାଇଲେ ସ୍ୱାମୀ

ନୂଆଦିଲ୍ଲୀ: ଚୀନ୍ ପ୍ରସଙ୍ଗରେ ମୋଦି ସରକାରଙ୍କ ନୀତିକୁ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ସମାଲୋଚନା କରିଛନ୍ତି । ଭାରତ ପ୍ରତି ଚୀନ ସର୍ବଦା ଶତ୍ରୁତା ଆଚରଣ କରୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ଚୀନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କୁ ସସମ୍ମାନର ସହ ସାକ୍ଷାତ କରୁଛନ୍ତି ? ନିଜ ଶାସନକାଳରେ ମୋଦି ୧୮ ଥର ଜିନ୍‌ପିଙ୍ଗ୍‌ଙ୍କୁ ଭେଟିବା ନେଇ ସ୍ୱାମୀ ଏକ ଟିଭି ବିତର୍କ ଅବସରରେ ପ୍ରଶ୍ନ ଉଠାଇଛନ୍ତି ।

ସ୍ୱାମୀ କହିଛନ୍ତି ଯେ, ଚୀନ୍ ଭାରତ ପ୍ରତି କ୍ରମାଗତ ଭାବେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଛି । ଏହା ସତ୍ତ୍ୱେ ଜିନ୍‌ପିଙ୍ଗ୍‌ଙ୍କୁ କାହିଁକି ଆତିଥେୟତା ପ୍ରଦାନ କରିଥିଲେ ମୋଦି ? ଜିନ୍‌ପିଙ୍ଗ୍‌ଙ୍କ ସହ ମୋଦି ଇତି ମଧ୍ୟରେ ୧୮ ଥର ସାକ୍ଷାତ କରିସାରିଛନ୍ତି । ଶେଷଥର ତାଙ୍କୁ ତାମିଲନାଡୁରେ ମୋଦି ଭେଟିଥିଲେ । ଚୀନ୍ ରାଷ୍ଟ୍ରପତିଙ୍କୁ ମୋଦି ଏତେ କାହିଁକି ସମ୍ମାନ ଦେଉଛନ୍ତି ବୋଲି ସ୍ୱାମୀ ପ୍ରଶ୍ନ କରିଛନ୍ତି ।

ଏହା ପୂର୍ବରୁ ମ୍ୟାଁମାର ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଥିଲେ ସ୍ୱାମୀ । ଚୀନ୍ ସମର୍ଥକ ମ୍ୟାଁମାର ସେନା ଗଣତନ୍ତ୍ରକୁ ହତ୍ୟା କରି ଅଙ୍ଗ୍ ସାନ୍ ସୁ’କି ଓ ଅନ୍ୟ ନେତାଙ୍କୁ ବନ୍ଦୀ ରଖିଛି । କିନ୍ତୁ ଜାତିସଂଘରେ ଏହି ପ୍ରସଙ୍ଗ ଉପରେ ହୋଇଥିବା ଭୋଟିଂରେ ଭାରତ ଭାଗ ନେଇନଥିଲା । ସେହିପରି ଇସ୍ରାଏଲ-ହାମାସ ସଂଘର୍ଷ ପ୍ରସଙ୍ଗରୁ ବି ଭାରତ ନିବୃତ୍ତ ରହିଥିଲା । ମୋଦି ସରକାରଙ୍କ ଏଭଳି ନୀତିକୁ ସ୍ୱାମୀ ସମାଲୋଚନା କରିଥିଲେ ।

Comments are closed.