ନୂଆ ଟିକାକରଣ ନୀତି ଲାଗୁ, ପ୍ରଥମ ଦିନରେ ରେକର୍ଡ ୪୭ ଲକ୍ଷ ଲୋକଙ୍କୁ ଦିଆଗଲା ଟିକା

ନୂଆଦିଲ୍ଲୀ: ଆଜି ଠାରୁ ସାରା ଦେଶରେ ନୂଆ ଟିକାକରଣ ନୀତି ଲାଗୁ ହୋଇଛି । ପ୍ରଥମ ଦିନରେ ହିଁ ରେକର୍ଡ ୪୭ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି ।

ନୂଆ ଟିକା ନୀତି ଅନୁଯାୟୀ କେନ୍ଦ୍ର ଏଣିକି କୋଭିଡ୍‌-୧୯ ବିରୋଧରେ ଚାଲିଥିବା ଟିକାକରଣର ସବୁ ଦାୟିତ୍ୱ ନେବ । କେନ୍ଦ୍ର ସରକାର ଟିକା କିଣି ରାଜ୍ୟମାନଙ୍କୁ ଯୋଗାଇବେ । ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ମାଗଣା ଟିକା ଦିଆଯିବ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ନୂଆ ଟିକା ନୀତିର ପ୍ରଥମ ଦିନରେ ଆଜି ଅପରାହ୍ନ ୪ଟା ସୁଦ୍ଧା ରେକର୍ଡ ୪୭ ଲକ୍ଷ ୫୧ ହଜାର ୮୦ ଜଣ ଲୋକଙ୍କୁ ଟିକା ଡୋଜ୍ ଦିଆଯାଇଛି ।

ରାଜ୍ୟମାନଙ୍କ ଭାଗର ୨୫%କୁ ମିଶାଇ କେନ୍ଦ୍ର ଟିକା କମ୍ପାନୀଙ୍କ ଠାରୁ ଉତ୍ପାଦନର ୭୫% ଟିକା କିଣିବ । ଅବଶିଷ୍ଟ ୨୫% ଟିକା ପୂର୍ବ ଭଳି ଘରୋଇ ହସ୍ପିଟାଲ କିଣିପାରିବେ । ଘରୋଇ ହସ୍ପିଟାଲରେ ଟିକା ପାଇଁ ଅର୍ଥ ପୈଠ କରିବାକୁ ପଡିବ । କିନ୍ତୁ ସବୁ ସରକାରୀ ହସ୍ପିଟାଲ ଓ କେନ୍ଦ୍ରରେ ମାଗଣା ଟିକା ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ଆରମ୍ଭରେ ନୂଆ ଟିକା ନୀତି ସମ୍ପର୍କରେ ଘୋଷଣା କରିଥିଲେ ।
ଶେଷଥର ଦେଶରେ ଏପ୍ରିଲ ୨ରେ ସର୍ବାଧିକ ୪୨ ଲକ୍ଷ ୬୨ ହଜାର ୧୫୭ ଟିକା ଡୋଜ୍ ଦିଆଯାଇଥିଲା ।

Comments are closed.