ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପୁଣି ବର୍ଷା ବାଧକ, ଚତୁର୍ଥ ଦିବସର ଖେଳ ବାତିଲ୍‌, ପ୍ରଶଂସକ ନିରାଶ

ସାଉଥମ୍ପଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପୁଣି ବର୍ଷା ବାଧକ ସାଜିଛି । ବର୍ଷା ଯୋଗୁଁ ଚତୁର୍ଥ ଦିନର ଖେଳ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି । ରିଜର୍ଭ ଦିବସକୁ ମିଶାଇ ଆଉ ଦୁଇଦିନର ଖେଳ ବାକି ଥିଲେ ମଧ୍ୟ ଏହି ଐତିହାସିକ ମ୍ୟାଚ୍ ଡ୍ର’ରେ ଶେଷ ହେବା ସମ୍ଭାବନା ରହିଛି ।

ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପୂରା ଦିନର ଖେଳ ସମ୍ଭବ ହୋଇପାରି ନାହିଁ । ଏହା ପୂର୍ବରୁ ପ୍ରଥମ ଦିବସ ମଧ୍ୟ ବର୍ଷାରେ ଧୋଇ ହୋଇଯାଇଥିଲା ।
ଆଜି ମଧ୍ୟ ସାଉଥମ୍ପଟନରେ ସକାଳୁ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିଲା । ପ୍ରାୟ ସାଢ଼େ ଚାରି ଘଣ୍ଟା ଅପେକ୍ଷା କରିବା ପରେ ଅମ୍ପାୟର ଚତୁର୍ଥ ଦିନର ଖେଳକୁ ବାତିଲ କରିବା ନେଇ ନିଷ୍ପତ୍ତି ନେଇଥିଲେ । ଲଗାଣ ବର୍ଷା ସତ୍ତ୍ୱେ ହାମ୍ପସାୟର ବାଉଲରେ କିଛି ପ୍ରଶଂସକ ଖେଳ ଆରମ୍ଭ ହେବା ଆଶାରେ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । କିନ୍ତୁ ସେମାନଙ୍କୁ ଶେଷରେ ନିରାଶ ହେବାକୁ ପଡିଥିଲା ।

ବିସିସିଆଇ ଟ୍ୱିଟ୍ କରି କହିଛି ଯେ, ଆମେ ସେହି ପ୍ରଶଂସକଙ୍କ ପ୍ରତି କୃତଜ୍ଞ ଯେଉଁମାନେ ପ୍ରତିକୂଳ ପାଗ ସତ୍ତ୍ୱେ ଉତ୍ସାହ ବଜାୟ ରଖିଥିଲେ । ପୁଣି କାଲି ଦେଖା ହେବ ।’’

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଇନିଂସରେ ମାତ୍ର ୨୧୭ ରନରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦୁଇ ୱିକେଟ୍ ହରାଇ ୧୦୧ ରନ୍ କରିଥିଲା ।

ଖରାପ ଆଲୋକ ଯୋଗୁଁ ଦ୍ୱିତୀୟ ଦିବସରେ ମାତ୍ର ୬୪.୪ ଖେଳ ସମ୍ଭବ ହୋଇପାରିଥିଲା । ଚାରି ଦିନରେ ୩୬୦ ଓଭର ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଏଯାବତ୍ କେବଳ ୧୪୧.୧ ଓଭର ଖେଳ ସମ୍ଭବ ହୋଇପାରିଛି ।

Comments are closed.