ପଶ୍ଚିମବଙ୍ଗ ସରକାରଙ୍କ ରିଭ୍ୟୁ ପିଟିସନ ଖାରଜ କଲେ ହାଇକୋର୍ଟ, ନିର୍ବାଚନ ପରବର୍ତ୍ତୀ ହିଂସାର ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ

କୋଲକାତା: ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ଦ୍ୱାରା ନିର୍ବାଚନ ପରିବର୍ତ୍ତୀ ହିଂସା ଘଟଣାର ତଦନ୍ତ କରାଯିବା ସମ୍ପର୍କିର୍ତ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ପଶ୍ଚିମବଙ୍ଗ ସରକାର କରିଥିବା ଆବେଦନକୁ କଲିକତା ହାଇକୋର୍ଟ ଖାରଜ କରିଦେଇଛନ୍ତି । ମୂଳ ଆଦେଶ ଉପରେ ରୋକ୍ ଲଗାଇବା କିମ୍ବା ପରିବର୍ତ୍ତନ କରିବାର କୌଣସି କାରଣ ନାହିଁ ବୋଲି ଏକ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ।
ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଘଟିଥିଲା । ଏହାର ତଦନ୍ତ କରିବା ପାଇଁ ଜୁନ୍ ୧୮ରେ କଲିକତା ହାଇକୋର୍ଟ ଜାତୀୟ ମାନବାଧିକାର କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ନିର୍ବାଚନ ପରବର୍ତ୍ତୀ ହିଂସା ସମ୍ପର୍କିତ ସବୁ ତଥ୍ୟ ଦାଖଲ କରିବା ପାଇଁ ଉପଯୁକ୍ତ ସମୟ ଦିଆଯାଇ ନାହିଁ ବୋଲି ଦର୍ଶାଇ ପଶ୍ଚିମବଙ୍ଗ ସରକାର ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାୟର କରିଥିଲେ । ଏନ୍‌ଏଚ୍‌ଆରସି ଦ୍ୱାରା ତଦନ୍ତ ଆଦେଶ ପ୍ରତ୍ୟାହାର କରିବାକୁ ପଶ୍ଚିମବଙ୍ଗ ସରକାର ଅନୁରୋଧ କରିଥିଲେ ।

ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିବା ସହ ଯେଉଁ ଅଞ୍ଚଳରେ ଏଭଳି ଘଟଣା ନେଇ ମାମଲା ରୁଜୁ ହୋଇଛି ତାର ତଦନ୍ତ କରିବାକୁ ଜାତୀୟ ମାନବାଧିକାର କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତଦନ୍ତ କମିଟିରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ଏବଂ ରାଜ୍ୟ ମାନବାଧିକାର କମିଶନର ସଦସ୍ୟଙ୍କୁ ବି ସାମିଲ କରିବାକୁ କହିଥିଲେ କୋର୍ଟ । ତଦନ୍ତରେ ଏହି କମିଟିକୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

Comments are closed.