ମୋଦିଙ୍କ ଲୁହ ନୁହେଁ ଅକ୍ସିଜେନ ଲୋକଙ୍କୁ ବଞ୍ଚାଇବ, କରୋନା ଉପରେ ଶ୍ୱେତପତ୍ର ଜାରି କଲେ ରାହୁଲ

ନୂଆଦିଲ୍ଲୀ: କରୋନା ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଶ୍ୱେତପତ୍ର ଜାରି କରିଛନ୍ତି । ଏଥିରେ କରୋନା ଲଢ଼େଇରେ ସରକାରଙ୍କ ତ୍ରୁଟି କେଉଁଠି ରହିଲା ଓ ତୃତୀୟ ଲହରୀ ପାଇଁ କଣ ପଦକ୍ଷେପ ନିଆଯିବା ଉଚିତ ସେନେଇ ଉଲ୍ଲେଖ ରହିଛି । ସରକାରଙ୍କୁ ସସମାଲୋଚନା ନୁହେଁ ବରଂ ସହଯୋଗ କରିବାକୁ ଏହି ଶ୍ୱେତପତ୍ରର ଉଦ୍ଦେଶ୍ୟ ବୋଲି ରାହୁଲ କହିଛନ୍ତି । ଲୋକଙ୍କୁ ବଞ୍ଚାଇବା ପାଇଁ ମୋଦିଙ୍କ ଲୁହ ନୁହେଁ ଅକ୍ସିଜେନର ଆବଶ୍ୟକତା ଅଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି କହିଛନ୍ତି ରାହୁଲ ।

କୋଭିଡ୍‌-୧୯ ଉପରେ ଶ୍ୱେତପତ୍ର ଜାରି କରିବା ଅବସରରେ ରାହୁଲ କହିଛନ୍ତି, କୋଭିଡ୍ ଯୋଗୁଁ ଲୋକେ ଯେଉଁଭଳି ଯନ୍ତ୍ରଣା ଭୋଗିଲେ ତାହା ପୂରା ଦେଶ ଜାଣିଛି । କରୋନାରେ ପ୍ରାଣ ହରାଇଥିବା ୯୦% ଲୋକଙ୍କୁ ବଞ୍ଚାଇ ଯାଇପାରନ୍ତା । ଅକ୍ସିଜେନ ଅଭାବ ଯୋଗୁଁ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଚାଲିଗଲା । ଦେଶରେ ଅକ୍ସିଜେନ ଅଭାବ ନାହିଁ, କିନ୍ତୁ ସଠିକ ସମୟରେ ତାହା ରୋଗୀଙ୍କ ପାଖରେ ପହଞ୍ଚି ପାରିନଥିଲା । ମୋଦିଙ୍କ ଲୁହ ନୁହେଁ ଲୋକଙ୍କୁ ବଞ୍ଚାଇବା ପାଇଁ ଅକ୍ସିଜେନର ଆବଶ୍ୟକତା ଥିଲା ।

ରାହୁଲ ଜାରି କରିଥିବା ଶ୍ୱେତପତ୍ରରେ କୁହାଯାଇଛି ଯେ, କରୋନା ଭାଇରସ୍ କ୍ରମାଗତ ମ୍ୟୁଟେଟ୍ ହେଉଥିବାରୁ ଲହରୀ ପରେ ଲହରୀ ଆସିପାରେ । ପୂରା ଦେଶ ଜାଣିସାରିଛି ଯେ, ତୃତୀୟ ଲହରୀ ନିଶ୍ଚୟ ଆସିବ । ଏଥିପାଇଁ ସରକାରଙ୍କୁ ଏବେଠୁ ପ୍ରସ୍ତୁତ ରହିବା ଉଚିତ ବୋଲି ସେ କହିଛନ୍ତି ।

ପ୍ରଥମ ଓ ଦ୍ୱିତୀୟ ଲହରୀର ପରିଚାଳନାରେ ସରକାର ବିଫଳ ହୋଇଥିଲେ । ଅବଶ୍ୟ ଗତକାଲି ରେକର୍ଡ ସଂଖ୍ୟକ ଟିକା ଦିଆଯାଇଛି । କିନ୍ତୁ ସରକାରଙ୍କୁ କେବଳ ଗୋଟିଏ ଦିନର ଫଳାଫଳରେ ସନ୍ତୁଷ୍ଟ ହେବା ଉଚିତ ନୁହେଁ । ଦେଶର ସବୁ ଲୋକଙ୍କ ଟିକାକରଣ ହେବା ଯାଏଁ ଏଭଳି ଉଦ୍ୟମ ହେବା ଆବଶ୍ୟକ ।

ରାହୁଲ କହିଛନ୍ତି, ଗରିବ ଲୋକଙ୍କୁ ଆର୍ଥିକ ସହାୟତା ଦିଆଯିବା ଉଚିତ । କୋଭିଡ୍ ପ୍ରଭାବିତ ପରିବାର ଗୁଡିକୁ ମଧ୍ୟ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଏକ କୋଭିଡ୍ ପାଣ୍ଠି ସ୍ଥାପନ କରିବା ଉଚିତ ।

 

Comments are closed.