ରାଜ୍ୟରେ ତ୍ବରାନ୍ବିତ ହେଉଛି କୋଭିଡ୍ ଟିକାକରଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ତଥା ଓଡ଼ିଶା ରାଜ୍ୟରୂପୀ ନିଜ ବିଶାଳ ପରିବାରର ସବୁ ସଦସ୍ୟଙ୍କୁ ମହାମାରୀ କବଳରୁ ନିରାପଦ ରଖିବା ପାଇଁ ଟିକାକରଣକୁ ସର୍ବାଧିକ ଗୁରୁତ୍ବ ଦେଇଆସିଛନ୍ତି। ସେଥିପାଇଁ ଟିକାକରଣ ସକାଶେ ଗ୍ଲୋବାଲ୍ ଟେଣ୍ଡର୍ ବ୍ୟବସ୍ଥା ମଧ୍ୟ ହୋଇଥିଲା। ସାନ୍ତ୍ବନାର ବିଷୟ ତାଙ୍କ ପରାମର୍ଶକୁ ଗ୍ରହଣ କରି କେନ୍ଦ୍ର ସରକାର ନିଜ ଟିକାକରଣ ନୀତିରେ ବଡ଼ ପରିବର୍ତ୍ତନ ଆଣି ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ନିଃଶୁଳ୍କ ଟିକାକରଣ ବ୍ୟବସ୍ଥା କରାଇଛନ୍ତି। ତେବେ ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମ ଜିଲ୍ଲା ଯାହା ରାଜ୍ୟରେ ଜନସଂଖ୍ୟା ସାଙ୍ଗକୁ ଆୟତନ ଦୃଷ୍ଟିରୁ ଅନ୍ୟତମ ବୃହତ୍ ଜିଲ୍ଲା ଅଟେ ସେଠି ଟିକାକରଣକୁ ବେଶ୍ ତ୍ବରାନ୍ବିତ କରାଯାଉଛି। ଜିଲ୍ଲା ପ୍ରଶାସନ ଏଥିପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। କେବଳ ଗଞ୍ଜାମ ନୁହେଁ, ଗଜପତି କୁହନ୍ତୁ ବା କନ୍ଧମାଳ ଜିଲ୍ଲା, ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିମାନେ ରାଜ୍ୟ ସରକାରଙ୍କ ଟିକାକରଣ ନୀତିକୁ ସଫଳ କରିବାକୁ ଭରପୁର ପ୍ରୟାସ କରୁଛନ୍ତି।

ମେଗା ଟିକାକରଣ ଅଭିଯାନ ଆରମ୍ଭ ହେବାର ଦ୍ବିତୀୟ ଦିନରେ ଗଞ୍ଜାମରେ ରେକର୍ଡ ୩୬,୩୮୨ ଜଣଙ୍କ ଟିକାକରଣ କରାଯାଇଛି। ଏହା ରାଜ୍ୟରେ ସର୍ବାଧିକ। ଏପରିକି ୧୮ରୁ ୪୪ ବର୍ଷୀୟ ଲୋକଙ୍କ ପ୍ରଥମ ଡୋଜ୍ ଟିକାକରଣରେ ମଧ୍ୟ ୩୦,୮୧୯ ଜଣଙ୍କୁ ସାମିଲ କରାଇ ଗଞ୍ଜାମ ଶୀର୍ଷରେ ରହିଛି। ସେହିପରି ୪୫ ବର୍ଷରୁ ଅଧିକ ବୟସର ୪୩୯୨ ଜଣ ପ୍ରଥମ ଡୋଜ୍ ଓ ୧୧୭୧ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ମେଗା ଟିକାକରଣର ପ୍ରଥମ ଦିନରେ ଗଞ୍ଜାମର ୩୨,୭୩୯ ଟିକା ନେଇଥିଲେ। ଉଲ୍ଲେଖନୀୟ ଭାବେ ଜିଲ୍ଲାର ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ଧାର୍ଯ୍ୟ ଲକ୍ଷ୍ୟର ୫୭ ପ୍ରତିଶତ (୫,୫୪,୭୧୮ ଜଣ)ଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଗଲାଣି। ସେହିପରି ୧,୨୧,୦୮୫ ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆସରିଛି। ମୋଟ ଟିକାକରଣରେ ଖୋର୍ଦ୍ଧା ପଛକୁ ଦ୍ବିତୀୟ ସ୍ଥାନରେ ଅଛି ଗଞ୍ଜାମ।

ପୂର୍ବରୁ କରୋନା ମୁକାବିଲା ଦୃଷ୍ଟିରୁ ଅନେକ ନିଆରା ପଦକ୍ଷେପ ନେଇଥିବା ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବେ ଟିକାକରଣକୁ ବ୍ୟାପକ କରିବା ସହ ସମ୍ଭାବ୍ୟ ତୃତୀୟ ଲହରକୁ ପ୍ରତିହତ କରିବାକୁ ଆଗୁଆ ପଦକ୍ଷେପ ନେଇଛି। ସେ ପରିବା ଦୋକାନୀ ହୁଅନ୍ତୁ କିମ୍ବା ରାସନ୍ ଦୋକାନୀ, ବୁଲା ବା ଉଠା ବିକାଳୀ ହୁଅନ୍ତୁ କିମ୍ବା ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ… ସମସ୍ତ ଦୋକାନୀ, ବାଣିଜ୍ୟ ପ୍ରତିଷ୍ଠାନର ମାଲିକମାନେ ଯଥାଶୀଘ୍ର ଟିକା ନିଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ନିଜ ଦୋକାନର କର୍ମଚାରୀମାନଙ୍କୁ ମଧ୍ୟ ଟିକାକରଣ କରାଇବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରଥମ ବା ଉଭୟ ଡୋଜ୍ ନେଇଥିବାର ପ୍ରମାଣପତ୍ର ନିଜ ଦୋକାନ ଆଗରେ ପ୍ରଦର୍ଶନ କରିବେ ବ୍ୟବସାୟୀ। ପ୍ରଶାସନ ଏଥିପାଇଁ ସମସ୍ତ ବ୍ୟବସ୍ଥା କରିଥିବା ଆଶ୍ୱାସନା ଦେଇ ଏହାକୁ ସମସ୍ତେ ମାନି ନିଜକୁ, ନିଜ ପରିବାର ଲୋକଙ୍କୁ, କର୍ମଚାରୀ ଓ ଗ୍ରାହକଙ୍କୁ ମହାମାରୀରୁ ସୁରକ୍ଷିତ ରହିବାକୁ କହିଛନ୍ତି ସେ। ଏହାଦ୍ବାରା ଗ୍ରାହକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ସେମାନେ ସୁରକ୍ଷିତ ଅନୁଭବ କରିବେ। ଦୋକାନୀ ବା ଗ୍ରାହକ ପରସ୍ପର ଠାରୁ ସଂକ୍ରମିତ ହେବା ଭୟ ଦୂର ହେବ ଯାହା ଲୋକଙ୍କ ଜୀବନ- ଜୀବିକା ରକ୍ଷା ସାଙ୍ଗକୁ ଜିଲ୍ଲାର ଅର୍ଥନୀତିକୁ ମଜବୁତ କରିବ ବୋଲି ଦର୍ଶାଇଛନ୍ତି ସେ। ଏପରିକି ଏହାକୁ ବ୍ୟାପକ କାର୍ଯ୍ୟକାରୀ କରାଇବା ପାଇଁ ଜୁଲାଇ ୧ରୁ ଏନ୍‌ଫୋର୍ସମେଣ୍ଟ୍ ଟିମ୍ ଦ୍ଵାରା ପଞ୍ଚସୂତ୍ର ନିୟମ ପାଳନ ସହ ଟିକାଗ୍ରହଣ ପ୍ରମାଣପତ୍ର ଯାଞ୍ଚ କରିବା କଥା ମଧ୍ୟ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ଟିକାକରଣକୁ ପ୍ରୋତ୍ସାହିତ କରିବାରେ ଗଜପତି ଓ କନ୍ଧମାଳ ଜିଲ୍ଲାରେ ମଧ୍ୟ କିଛି କିଛି ଉତ୍ସାହପ୍ରଦ ଖବର ମିଳିଛି। ରାଜ୍ୟରେ ସମ୍ଭବତଃ ପ୍ରଥମ କରି ଗଜପତି ଜିଲ୍ଲାରେ କିନ୍ନରମାନଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା କରାଯାଇଛି । ମଙ୍ଗଳବାର ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଭାକସିନେସନ୍ ସେଣ୍ଟରରେ ଏକାଥରକେ ୧୪ ଜଣ କିନ୍ନର ଟିକା ନେଇଛନ୍ତି।

ସେହିପରି କନ୍ଧମାଳ ଜିଲ୍ଲା ରଣବା ସରପଞ୍ଚ ଭିକାରୀ ମଲ୍ଲିକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ କାନ୍ଧରେ ବୋହି ଆଣି ଟିକାକରଣ କେନ୍ଦ୍ରରେ ପହଞ୍ଚାଇଥିଲେ। ଏଭଳି ଘଟଣା ନିଶ୍ଚିତ ଭାବେ ଆଶ୍ଵସ୍ତିକର ଯେ ସମାଜର ସମସ୍ତ ବର୍ଗର ଯୋଗ୍ୟ ହିତାଧିକାରୀ ଟିକାକରଣରେ ଯେଭଳି ସାମିଲ ହୋଇପାରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ସବୁଆଡ଼େ ବେଶ୍ ତତ୍ପରତା ଦେଖିବାକୁ ମିଳୁଛି ।

Comments are closed.