ଡବ୍ଲ୍ୟୁଏଚ୍‌ଓ ସହ ଭାରତ ବାୟୋଟେକ୍‌ର ବୈଠକ ଆଜି, କୋଭାକ୍ସିନ ଟିକାକୁ ମିଳିପାରେ ସ୍ୱୀକୃତି

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା ‘କୋଭାକ୍ସିନ’କୁ ଶୀଘ୍ର ସ୍ୱୀକୃତି ଦେଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) । କୋଭାକ୍ସିନ ପାଇଁ ଭାରତ ବାୟୋଟେକ୍ ଦ୍ୱାରା ଦାଖଲ କରାଯାଇଥିବା ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ୍ (ଇଓଆଇ)କୁ ଡବ୍ଲ୍ୟୁଏଚ୍‌ଓ ଗ୍ରହଣ କରିଛି । ଆଜି ଡବ୍ଲ୍ୟୁଏଚ୍‌ଓ ସହିତ ଏକ ପ୍ରି-ସବମିଶନ୍ ବୈଠକରେ ମଧ୍ୟ ଭାରତ ବାୟୋଟେକ୍ ଭାଗ ନେବ ।

ଜୁଲାଇ-ସେପ୍ଟେମ୍ବର ସୁଦ୍ଧା କୋଭାକ୍ସିନ ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଡବ୍ଲ୍ୟୁଏଚ୍‌ଓର ମଞ୍ଜୁରି ମିଳିଯିବ ବୋଲି ଗତମାସରେ ଭାରତ ବାୟୋଟେକ୍ ଆଶାବ୍ୟକ୍ତ କରିଥିଲା ।

ଡବ୍ଲୁଏଚ୍‌ଓ ଗାଇଡ୍ ଲାଇନ୍ ମୁତାବକ ଜରୁରୀକାଳୀନ ବ୍ୟବହାର ତାଲିକାଭୁକ୍ତ ଏକ ଏପରି ପ୍ରକ୍ରିୟା ଯାହା ଦ୍ୱାରା ନୂଆ ଓ ଲାଇସେନ୍ସ ବିହୀନ ଉତ୍ପାଦର ବ୍ୟବହାର ସ୍ୱାସ୍ଥ୍ୟଜନିତ ଜରୁରୀ ସ୍ଥିତିରେ କରାଯାଇ ପାରିବ ।

ପ୍ରି-ସବମିଶନ ବୈଠକରେ ଭାରତ ବାୟୋଟେକ୍‌କୁ ନିଜ ଦ୍ୱାରା ବିକଶିତ ଟିକା ‘କୋଭାକ୍ସିନ’ର ଏକ ସାମଗ୍ରିକ ସଂକ୍ଷିପ୍ତ ତଥ୍ୟ ପ୍ରଦାନ କରିବାକୁ ପଡିବ ।

ଡବ୍ଲୁଏଚ୍‌ଓ ପାଖରେ ୯୦% କାଗଜପତ୍ର ଜମା କରି ଦିଆଯାଇଛି ଏବଂ ଜୁନ୍‌ରେ ଅବଶିଷ୍ଟ ଦସ୍ତାବିତ ଦାଖଲ କରାଯିବ ବୋଲି ଗତମାସରେ କେନ୍ଦ୍ରକୁ ଅବଗତ କରିଥିଲା ଭାରତ ବାୟୋଟେକ୍ । ଭାରତରେ ସମ୍ପ୍ରତି ବ୍ୟବହାର ହେଉଥିବା ତିନି ଟିକା ମଧ୍ୟରୁ କୋଭାକ୍ସିନ ଅନ୍ୟତମ ।

Comments are closed.