ନୀରବ, ଚୋକ୍‌ସି ଓ ବିଜୟ ମାଲ୍ୟାଙ୍କ ଜବତ ୧୮ ହଜାର କୋଟି ସମ୍ପତ୍ତିରୁ ୯ ହଜାର କୋଟି ବ୍ୟାଙ୍କ୍ ଓ କେନ୍ଦ୍ରକୁ ହସ୍ତାନ୍ତର କଲା ଇଡି

ନୂଆଦିଲ୍ଲୀ: ବ୍ୟାଙ୍କ୍ ସ୍କାମ୍‌ରେ ସମ୍ପୃକ୍ତ ଥିବା ନୀରବ ମୋଦି, ମେହୁଲ ଚୋକ୍‌ସି ଓ ବିଜୟ ମାଲ୍ୟାଙ୍କ ପ୍ରାୟ ୧୮,୧୭୦ କୋଟି ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏଥିମଧ୍ୟରୁ ୯ ହଜାର କୋଟି ବ୍ୟାଙ୍କ୍ ଓ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି ବୋଲି ଇଡି ପକ୍ଷରୁ କୁହାଯାଇଛି । ଏହି ତିନି ପଳାତକ ବ୍ୟବସାୟୀ ବିଭିନ୍ନ ବ୍ୟାଙ୍କ୍ ଋଣ ଠକେଇରେ ସମ୍ପୃକ୍ତ ଅଛନ୍ତି ।

ଇଡି ପକ୍ଷରୁ କୁହାଯାଇଛି ଯେ, ମୋଦି, ଚୋକ୍‌ସି ଓ ମାଲ୍ୟାଙ୍କ ଯୋଗୁଁ ଯେଉଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ଗୁଡିକ କ୍ଷତି ସହିଥିଲେ ସେମାନଙ୍କୁ ଏହି ତିନି ବ୍ୟବସାୟୀଙ୍କ ଜବତ ସମ୍ପତିର ଅଧା ଭାଗ ଦିଆଯାଇଛି । ଜବତ ସମ୍ପତ୍ତିର ପ୍ରାୟ ୯୩୭୧.୧୭ କୋଟି ଉକ୍ତ ବ୍ୟାଙ୍କ୍ ଓ କେନ୍ଦ୍ରକୁ ଦିଆଯାଇଛି ।

ମାଲ୍ୟା, ଚୋକ୍‌ସି ଓ ନୀରବ ମୋଦିଙ୍କ ଦ୍ୱାରା ଠକେଇ ରାଶିର ପରିମାଣ ହେଉଛି ୨୨,୫୮୫.୮୩ କୋଟି ଟଙ୍କା । ଇଡି ଏଯାବତ୍ ଏହି ତିନି ପଳାତକ ବ୍ୟବସାୟୀଙ୍କ ୧୮,୧୭୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଛି । ଏଥି ମଧ୍ୟରୁ ବିଦେଶରେ ୯୬୯ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି ।

Comments are closed.