ଲାହୋର: ହାଫିଜ ସଇଦର ଘର ନିକଟରେ ବିସ୍ଫୋରଣ, ୨ ମୃତ, ୧୭ ଆହତ

ଲାହୋର: ପାକିସ୍ତାନର ଲାହୋରର ଯୌହର ସହରରେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଏହସାନ ମମତାଜ ହସ୍ପିଟାଲ ନିକଟ ‘ଇ’ ବ୍ଲକରେ ଏହି ବିସ୍ଫୋରଣ ଘଟିଛି। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ ସଇଦର ଘର ନିକଟରେ ଏହି ବିସ୍ଫୋରଣ ହୋଇଥିଲା।

ଲାହୋରର ସିସିପିଓ ଗୁଲାମ ମହମୁଦ ଡୋଗର ଗଣମାଧ୍ୟମକୁ କହିଛନ୍ତି ଯେ ସମସ୍ତ ଆହତଙ୍କୁ ଜିନ୍ନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ କହିଛନ୍ତି, ଏହି ବିସ୍ଫୋରଣ ଗ୍ୟାସ ପାଇପଲାଇନ କିମ୍ବା ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ହୋଇଛି। ଏ ପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନାହିଁ। ଏହି ବିସ୍ଫୋରଣରେ ନିକଟସ୍ଥ ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ତାଙ୍କ ଘର ମାତ୍ର ୬ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା, ଯାହା ବିସ୍ଫୋରଣରେ ପୂରା ଭାଙ୍ଗି ଯାଇଛି।

ପାକିସ୍ତାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଉସମାନ ବୁଜଦାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏହା ସହିତ ବିସ୍ଫୋରଣରେ ଆହତମାନଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଡାକ୍ତରଖାନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.