ନୀରବ ମୋଦିଙ୍କୁ ଝଟକା, ଭାରତ ପ୍ରତ୍ୟର୍ପଣ ବିରୋଧରେ ଆବେଦନ ଖାରଜ

ନୂଆଦିଲ୍ଲୀ: ଭାରତର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ବ୍ରିଟେନର ଏକ କୋର୍ଟରୁ ଝଟକା ଲାଗିଛି। ଭାରତ ପ୍ରତ୍ୟର୍ପଣ ବିରୋଧରେ ବ୍ରିଟେନର ହାଇକୋର୍ଟ ବୁଧବାର ନିରବ ମୋଦିଙ୍କ ଆବେଦନ ଖାରଜ କରିଛନ୍ତି। ସେପଟେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସ୍କାମ୍ ଏବଂ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଏୟାରଲାଇନ୍ସ ସହିତ ଜଡିତ ଠକେଇ ମାମଲାରେ ବ୍ୟାଙ୍କ୍ ଗୁଡ଼ିକୁ ହୋଇଥିବା କ୍ଷତିର ୪୦ ପ୍ରତିଶତ ଟଙ୍କା ମନି ଲଣ୍ଡରିଂ ଆଇନ (ପିଏମ୍ଏଲ୍ଏ) ଅନୁଯାୟୀ ଆଟାଚ୍ ହୋଇଥିବା ସେୟାର ବିକ୍ରି କରି ଭରଣା କରାଯାଇଛି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଏହି ସୂଚନା ଦେଇଛନ୍ତି।

ଇଡି କହିଛି ଯେ ମାଲ୍ୟାଙ୍କୁ ୠଣ ଦେଇଥିବା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଅନୁବନ୍ଧିତ ବ୍ୟାଙ୍କ୍ ସମୂହ ତରଫରୁ ୠଣ ପୁନରୁଦ୍ଧାର କର୍ତ୍ତୃପକ୍ଷ (ଡିଆରଟି) ବୁଧବାର ୟୁନାଇଟେଡ୍ ବ୍ରିଓ୍ବେରିଜ୍ ଲିମିଟେଡ୍ (ୟୁବିଏଲ୍)ର ୫,୮୦୦ କୋଟିରୁ ଅଧିକ ମୂଲ୍ୟର ସେୟାର ବିକ୍ରି କରିଛି, ଯାହାକୁ ପିଏମ୍ଏଲ୍ଏ ନିୟମ ଅନୁଯାୟୀ ବାଜ୍ୟାପ୍ତ କରାଯାଇଥିଲା |

ସେହିପରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୠଣ ଠକେଇ ମାମଲାରେ ନୀରବ ମୋଦି ଓ ତାଙ୍କ ମାମୁଁ ମେହୁଲ୍ ଚୋକସିର ଜବତ ହୋଇଥିବା ସମ୍ପତ୍ତିକୁ ବିକ୍ରି କରାଯାଇଥିବା ଇଡି କହିଛି । ମାଲ୍ୟା, ନୀରବ ଓ ଚୋକସିଙ୍କ ୧୮ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି । ଏଥିମଧ୍ୟରୁ ୯ ହଜାର କୋଟି ଟଙ୍କା କ୍ଷତି ସହିଥିବା ବ୍ୟାଙ୍କ୍ ଓ କେନ୍ଦ୍ରକୁ ଦିଆଯାଇଛି ।

Comments are closed.