ପୁରୀ : ଦଇତାପତିଙ୍କ ଶ୍ରୀମନ୍ଦିର ପ୍ରବେଶ

ଜ୍ୟେଷ୍ଠଶୁକ୍ଳ ପୂର୍ଣ୍ଣିମା ଠାରୁ ଆଷାଢ଼ଶୁକ୍ଳ ଚତୁର୍ଦଶୀ ପର୍ଯ୍ୟନ୍ତ ଅର୍ଥାତ ସ୍ନାନପୁର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସ୍ଵତନ୍ତ୍ର ସେବା କରିଥାନ୍ତି ଦଇତାପତି ସେବକମାନେ। ଏହି ସମୟରେ ସେମାନେ ମୁଖ୍ୟତଃ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷାରେ ରହିଥାନ୍ତି। ଚଳିତବର୍ଷ ଦ୍ଵାଦଶୀ ତିଥି ଯୁକ୍ତ ତ୍ରୟୋଦଶୀ ପଡ଼ୁଥିବାରୁ ଗତକାଲି ମଧ୍ୟ ରାତ୍ରରେ ଦଇତାପତି ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ସ୍ନାନପୁର୍ଣ୍ଣିମା ଦିନ ଚତୁର୍ଦ୍ଧା ବିଗ୍ରହ ସ୍ନାନ ମଣ୍ଡପକୁ ବିଜେ କରିବେ। ସେଥିପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବାପାଇଁ ଦଇତାପତି ସେବକ ଶ୍ରୀଜୀଉଙ୍କୁ ବାହୁକ କଣ୍ଟା ସହ ସେନାପଟା ଲାଗି କରାଇଛନ୍ତି। ଏହାସହ କୋଠ ସୁଆଁସିଆ ମାନେ ରତ୍ନ ସିଂହାସନ ଉପରେ ଚାରମାର ବାନ୍ଧିଛନ୍ତି। ସ୍ନାନପୁର୍ଣ୍ଣିମାର ପରଦିନ ଠାରୁ ଶ୍ରୀଜୀଉଙ୍କ ଅଣସର ନୀତି ଅଵସରରେ ଗୁପ୍ତସେବା ଆରମ୍ଭ ହେବ। ବିଶ୍ୱାବସୁ ବଂଶୀୟ ଦଇତାପତିଗଣ ଏହି ସେବା କରିବେ। ଶ୍ରୀଜଗନ୍ନାଥ ମହାପ୍ରଭୁ ତାଙ୍କର ପ୍ରିୟ ଆଦ୍ୟ ସେବକ ବିଶ୍ୱାବସୁଙ୍କୁ ଏହି ଗୁପ୍ତସେବାର ଅଧିକାର ଦେଇଥିଲେ। ଯେଉଁ ସେବାକୁ ସେଇ ମହାନ ସେବକଙ୍କ ବଂଶଧରମାନେ ପରମ୍ପରା କ୍ରମରେ ଆଜି ପର୍ଯ୍ୟନ୍ତ କରିଆସୁଛନ୍ତି।

Comments are closed.