ହୀରାକୁଦ ସେଚାଞ୍ଚଳକୁ ସତନ୍ତ୍ର ଫୋକସ୍: ବରଗଡ ଓ ଶାସନ କେନାଲ ପାଇଁ ୪ ଶହ କୋଟିର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

ସମ୍ବଲପୁର : ପଶ୍ଚିମ ଓଡିଶାର ଭାତହାଣ୍ଡି ଭାବେ ପରିଚିତ ହୀରାକୁଦ ସେଚାଞ୍ଚଳର ଚାଷୀଙ୍କ ପାଇଁ ଖୁସି ଖବର । ଏହି ସେଚାଞ୍ଚଳର ଦୁଇ ପ୍ରମୁଖ କେନାଲ ବରଗଡ଼ ଓ ଶାସନର ନବୀକରଣ ପାଇଁ ୪ ଶହ କୋଟି ଟଙ୍କାର ଏକ ବୃହତ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ଏହାଦ୍ବାରା ଦୀର୍ଘ ଦଶନ୍ଧି ଧରି ଲାଗି ରହିଥିବା ଜଳସେଚନ ସମସ୍ୟାର ସମାଧାନ ହୋଇପାରିବ ବୋଲି ଚାଷୀ ମହଲରେ ଆଶାପ୍ରକାଶ ପାଇଛି ।

ବରଗଡ ଏବଂ ଶାସନ କେନାଲ ଦ୍ଵାରା ବରଗଡ଼ , ସମ୍ବଲପୁର ଏବଂ ସୋନପୁର ଜିଲ୍ଲାର ଏକ ବିରାଟ ଅଞ୍ଚଳ ଶସ୍ୟଶ୍ୟାମଳା ହୋଇପାରିଛି । ତେବେ , ଏହି ଦୁଇ କେନାଲ ଦୀର୍ଘ ୬ ଦଶନ୍ଧି ପୁରୁଣା ହୋଇଥିବାରୁ ଏହାର ସଂପୂର୍ଣ୍ଣ ନବୀକରଣ କରିବା ଅତି ଆବଶ୍ୟକ ହୋଇପଡିଛି । ସୁବ୍ୟବସ୍ଥିତ ଜଳସେଚନ ସକାଶେ ଏକ ବୃହତ ପ୍ରକଳ୍ପର ଆବଶ୍ୟକତା ରହି ଆସିଛି । ଏଭଳି ସ୍ଥିତିରେ ଏହି ଦୁଇ କେନାଲର ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀ ୪ ଶହ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ଦେଇଥିବା ବିଭାଗ ସୂତ୍ରରୁ ଜଣାପଡିଛି ।

ସେଥିରୁ ପ୍ରଥମ ପର୍ଯ୍ୟାୟରେ ଶାସନ କେନାଲ ପାଇଁ ପ୍ରାୟ ୧୧୭ କୋଟି ଟଙ୍କାର ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ବି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ , ଜର୍ମାନ୍ ଜ୍ଞାନକୌଶଳରେ ହେବାକୁ ଥିବା ଏହି କେନାଲ ଲାଇନିଂ କାମ ପାଣି ପ୍ରବାହିତ ଥିବା ସତ୍ତ୍ବ ହୋଇପାରିବ । ଏଥିରେ ପ୍ରାୟ ୧୨ ମିମି ଚଉଡା ବିଶିଷ୍ଟ ଏକ ସିମେଣ୍ଟ କାର୍ପଟି କେନାଲର ହିଡ ଏବଂ ଶଯ୍ୟାରେ ବିଛାଇବାକୁ ଯୋଜନା ହୋଇଛି । ଓଡିଶା ନିର୍ମାଣ ନିଗମ ପକ୍ଷରୁ ହେବାକୁ ଥିବା ଏହି କାମରେ ପ୍ରଥମ ପର୍ଯ୍ୟାୟରେ ଶାସନ କେନାଲର ମୁଖ୍ୟ ସ୍ରୋତର ୧୦ କିମି ପର୍ଯ୍ୟନ୍ତ ଅଂଶକୁ ନବୀକରଣ କରାଯିବ ବୋଲି ଜଣାପଡିଛି ।

ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଶାସନ କେନାଲର ଅବଶିଷ୍ଟ ଅଂଶ ସାଙ୍ଗକୁ ବରଗଡ ପାଇଁ ୩ ଶହ କୋଟିରୁ ଅଧିକ ବ୍ୟୟବରାଦ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ , ଏହି ଦୁଇ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହି ତିନି ଜିଲ୍ଲାର ଲକ୍ଷାଧିକ ଚାଷୀ ଉପକୃତ ହୋଇପାରିବେ ବୋଲି କୁହାଯାଉଛି । ସେପଟେ ଚାଷୀ ମହଲରେ ଏଭଳି ପଦକ୍ଷେପକୁ ନେଇ ସାଗତ କରାଯାଇଛି ।

Comments are closed.