ନ୍ୟୁଜିଲାଣ୍ଡ ଜିତିଲା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଟାଇଟଲ୍, ଫାଇନାଲରେ ଭାରତକୁ ୮ ଓ୍ବିକେଟରେ ହରାଇଲା

ସାଉଥମ୍ପଟନ: ନ୍ୟୁଜିଲାଣ୍ଡ ଉଦଘାଟନୀ ବିଶ୍ଵ ଟେଷ୍ଟ ଚାମ୍ପିୟନସିପର ବିଜେତା ହୋଇଛି । ଫାଇନାଲରେ ଭାରତକୁ ୮ ଓ୍ବିକେଟରେ ହରାଇ ନ୍ୟୁଜିଲାଣ୍ଡ ଟାଇଟଲ ଜିତିଛି । ଷଷ୍ଠ ତଥା ରିଜର୍ଭ ଦିବସରେ ଭାରତ ଦ୍ବିତୀୟ ଇନିଂସରେ ମାତ୍ର ୧୭୦ ରନରେ ଅଲ୍ ଆଉଟ୍ ହେବା ପରେ ନ୍ୟୁଜିଲାଣ୍ଡ ଆଗରେ ବିଜୟ ପାଇଁ କେବଳ ୧୩୯ ରନର ଟାର୍ଗେଟ ଧାର୍ଯ୍ୟ ହୋଇଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ମାତ୍ର ୨ ଓ୍ବିକେଟ୍ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ନ୍ୟୁଜିଲାଣ୍ଡ ଶୀଘ୍ର ଦୁଇ ଓପନର ଟମ୍ ଲାଥମ (୯) ଓ ଡେଭନ କନଓ୍ବେ (୧୯)ଙ୍କ ଓ୍ବିକେଟ୍ ହରାଇଥିଲେ ମଧ୍ୟ କ୍ୟାପଟେନ କେନ୍ ଓ୍ବିଲିୟମସନ ଓ ଭେଟେରାନ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ତୃତୀୟ ଓ୍ବିକେଟରେ ଅପରାଜିତ ୯୫ ରନ୍ ଭାଗିଦାରୀ ସହ ଦଳର ବିଜୟ ସୁନିଶ୍ଚିତ କରିଥିଲେ । ଓ୍ବିଲିୟମସନ ୫୨ ଏବଂ ଟେଲର ୪୭ ରନ୍ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ଅଶ୍ବିନ ୨ଟି ଯାକ ଓ୍ବିକେଟ୍ ନେଇଥିଲେ ।
କୋହଲିଙ୍କ ନେତୃତ୍ୱରେ ଭାରତ ତୃତୀୟ ଥର ପାଇଁ ଏକ ଆଇସସି ଇଭେଣ୍ଟରୁ ଖାଲି ହାତରେ ଫେରିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପରାଜୟ ପରେ ତାଙ୍କ ନେତୃତ୍ଵ ଦକ୍ଷତା ଉପରେ ପୁଣି ପ୍ରଶ୍ନ ଉଠିଛି ।

 

Comments are closed.