ସୁପ୍ରିମକୋର୍ଟ ପ୍ୟାନେଲର ଦାବି, ଆବଶ୍ୟକତା ଠାରୁ ଚାରିଗୁଣ ଅଧିକ ଅକ୍ସିଜେନ ମାଗିଥିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦ୍ୱିତୀୟ ଲହରୀ ସମୟରେ ଦିଲ୍ଲୀର ଆବଶ୍ୟକତା ଠାରୁ ଚାରିଗୁଣ ଅଧିକ ଅକ୍ସିଜେନ ଦାବି କରିଥିଲେ ଅରବିନ୍ଦ୍ର କେଜ୍ରିୱାଲ ସରକାର । ଅକ୍ସିଜେନ ସଙ୍କଟର ଯାଞ୍ଚ୍ ପାଇଁ ଗଠିତ ସୁପ୍ରିମକୋର୍ଟ ପ୍ୟାନେଲ ରିପୋର୍ଟରେ ଏଭଳି ଦାବି କରାଯାଇଛି । ଏହି ପ୍ୟାନେଲର ରିପୋର୍ଟ ଅନୁଯାୟୀ ଦିଲ୍ଲୀକୁ ୨୮୯ ମେଟ୍ରିକ୍ ଟନ୍‌ର ଅକ୍ସିଜେନ ଦରକାର ଥିଲା । କିନ୍ତୁ କେଜ୍ରିୱାଲ ସରକାର ୧୨୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ମାଗିଥିଲେ ।

ସୁପ୍ରିମକୋର୍ଟ ପ୍ୟାନେଲଙ୍କ ରିପୋର୍ଟ ପରେ ଏବେ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିଛି । କେଜ୍ରିୱାଲ ସରକାର ଦିଲ୍ଲୀ ପାଇଁ ଆବଶ୍ୟକତା ଠାରୁ ଅଧିକ ଅକ୍ସିଜେନ ଦାବି କରିବାରୁ ଅନ୍ୟ ୧୨ ରାଜ୍ୟ ପ୍ରଭାବିତ ହୋଇଥିଲେ । ସେହି ରାଜ୍ୟ ଗୁଡିକରେ ଅକ୍ସିଜେନ ଅଭାବ ଦେଖା ଦେଇଥିଲା ଏବଂ ଏଥିପାଇଁ ବହୁ ରୋଗୀଙ୍କ ଜୀବନ ଯାଇଥିଲା ।

ସୁପ୍ରିମକୋର୍ଟ ପ୍ୟାନେଲ ରିପୋର୍ଟକୁ ଆଧାର କରି ବିଜେପି ଏବେ କେଜ୍ରିୱାଲ ସରକାରକୁ ଟାର୍ଗେଟ୍ କରିଛି । ସେପଟେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ଦ୍ୱିତୀୟ ଲହର ସଂକ୍ରମଣ ଶୀର୍ଷରେ ଥିବାବେଳେ ଦେଶର ଅନେକ ରାଜ୍ୟରେ ଅକ୍ସିଜେନର ଉତ୍କଟ ଅଭାବ ଦେଖା ଦେଇଥିଲା । ଦିଲ୍ଲୀ ମଧ୍ୟ ଏଥିରୁ ବାଦ୍ ପଡିନଥିଲା । ଦିଲ୍ଲୀରେ ମଧ୍ୟ ଅକ୍ସିଜେନ ସଙ୍କଟ ଦେଖା ଦେଇଥିଲା । ଏଥିପାଇଁ କିଛି ହସ୍ପିଟାଲରେ ଅନେକ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିଲା ।

Comments are closed.