କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟ୍ ବ୍ଲକ୍ କଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ଥମିବାର ନାଁ ଧରୁନି । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ୍ କରାଯିବାକୁ ନେଇ ପୁଣି ନୂଆ ବିବାଦ ସୃଷ୍ଟି ହୋଇଛି । ଆଜି ଟ୍ୱିଟର ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟ୍‌କୁ ପ୍ରାୟ ଘଣ୍ଟାଏ କାଳ ବନ୍ଦ କରିଦେଇଥିଲା । ଆମେରିକାର ଡିଜିଟାଲ ମିଲେନିୟମ କପିରାଇଟ୍ ନିୟମ ଉଲ୍ଲଂଘନ ଦର୍ଶାଇ ଟ୍ୱିଟର ପ୍ରସାଦଙ୍କ ଆକାଉଣ୍ଟକୁ ବ୍ଲକ୍ କରିଥିଲା । ଅବଶ୍ୟ ପରେ ପ୍ରସାଦଙ୍କୁ ଚେତାବନୀ ଦେଇ ତାଙ୍କ ଆକାଉଣ୍ଟକୁ ପୁଣି ଖୋଲିଥିଲା ଟ୍ୱିଟର ।

ନିଜ ଟ୍ୱିଟର ଆକାଉଣ୍ଟ ବ୍ଲକ୍ ହେବା ନେଇ ପ୍ରସାଦ ଆଜି ଟ୍ୱିଟ୍ କରି କହିଥିଲେ – ବନ୍ଧୁଗଣ, ଆଜି ସକାଳେ ଏକ ଅଭୁତ ଘଟଣା ଘଟିଛି । ଟ୍ୱିଟର ମୋର ମୋର ଆକାଉଣ୍ଟ୍ ଘଣ୍ଟାଏ କାଳ ବ୍ଲକ କରି ଦେଇଥିଲା । ମୋ ବିରୋଧରେ ଆମେରିକାନ ମିଲେନିୟମ କପିରାଇଟ୍ ନିୟମ ଉଲ୍ଲଂଘନ ଅଭିଯୋଗ ଆଣି ଟ୍ୱିଟର ଏପରି କରିଥିଲ । ପରେ ମୋତେ ନିଜ ଆକାଉଣ୍ଟର ବ୍ୟବହାର ପାଇଁ ଅନୁମତି ମିଳିଥିଲା ।

ପୂର୍ବରୁ ଟ୍ୱିଟର ଉପରାଷ୍ଟ୍ରପତି ଭେଙ୍କୟା ନାୟୁଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ଚିହ୍ନ ହଟାଇବା ନେଇ ହଙ୍ଗମା ହୋଇଥିଲା । ଏବେ ଆଇନମନ୍ତ୍ରୀଙ୍କ ଆକାଉଣ୍ଟ ବ୍ଲକ୍ କରି ଟ୍ୱିଟର କେନ୍ଦ୍ର ସରକାରଙ୍କ ସହ ବିବାଦକୁ ଆହୁରି ବଢ଼ାଇଛି । ଉଲ୍ଲେଖଯୋଗ୍ୟ ଯେ, ନୂଆ ସୂଚନା ଓ ପ୍ରଯୁକ୍ତି ଆଇନକୁ ନେଇ କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ଜାରି ରହିଛି । ନୂଆ ଆଇଟି ନିୟମ ପାଳନ କରିନଥିବାରୁ ନିକଟରେ କେନ୍ଦ୍ର ସରକାର ଟ୍ୱିଟର ଠାରୁ ଆଇନଗତ ସୁରକ୍ଷା ପ୍ରତ୍ୟାହାର କରିଥିଲେ । କିଛିଦିନ ତଳେ ଏହି ପ୍ରସଙ୍ଗରେ ଟ୍ୱିଟର ଅଧିକାରୀ ସଂସଦୀୟ କମିଟି ଆଗରେ ହାଜର ହୋଇଥିଲେ । ଦେଶର ଆଇନ ମାନିବାକୁ ପଡିବ ବୋଲି ଟ୍ୱିଟର ଅଧିକାରୀଙ୍କୁ ସଂସଦୀୟ କମିଟି ତାଗିଦ୍ କରିଥିଲା । ଆମର ଏଠି ଦେଶର ଆଇନ ସର୍ବେସର୍ବା, ତୁମ ନୀତି ନୁହେଁ ବୋଲି ସଂସଦୀୟ କମିଟି ଏହି ମାଇକ୍ରୋ ବ୍ଲଗିଂ କମ୍ପାନୀକୁ କହିଥିଲା ।

Comments are closed.