ଅଣ୍ଡର-୧୭ ମହିଳା ଫିଫା ବିଶ୍ୱକପ୍ ବାତିଲ, ଭାରତରେ ହେବ ୨୦୨୨ ସଂସ୍କରଣ

ନୂଆଦିଲ୍ଲୀ – କୋଭିଡ୍‌-୧୯ ମହାମାରୀ ଯୋଗୁଁ ଭାରତରେ ହେବାକୁ ଥିବା ଅଣ୍ଡର-୧୭ ମହିଳା ବିଶ୍ୱକପକୁ ଫିଫା ବାତିଲ କରିଛି । ଭାରତକୁ ଏବେ ୨୦୨୨ ସଂସ୍କରଣର ଆୟୋଜନ ଅଧିକାର ମିଳିଛି । ଭାରତ ୨୦୨୨ରେ ଅଣ୍ଡର-୧୭ ମହିଳା ବିଶ୍ୱକପ୍ ଆୟୋଜନ କରିବାକୁ ଥିବାବେଳେ କୋଷ୍ଟାରିକା ସେହିବର୍ଷ ଅଣ୍ଡର-୨୦ ମହିଳା ବିଶ୍ୱକପ୍ ଆୟୋଜନ କରିବ । ଭାରତ ଚଳିତ ବର୍ଷ ଅକ୍ଟୋବରରେ ଅଣ୍ଡର-୧୭ ମହିଳା ବିଶ୍ୱକପ୍ ଆୟୋଜନ କରିବାର ଥିଲା । ହେଲେ କରୋନା ସଂକ୍ରମଣ ଯୋଗୁଁ ଏହାକୁ ଆସନ୍ତାବର୍ଷ ଫେବୃଆରୀକୁ ଘୁଞ୍ଚାଇ ଦିଆଯାଇଥିଲା ।

କରୋନା ସ୍ଥିତି ଅପରିବର୍ତ୍ତିତ ରହିବାରୁ ଏହି ସଂସ୍କରଣକୁ ସମ୍ପୂର୍ଣ୍ଣ ବାତିଲ କରିିବାକୁ ଫିଫା ବ୍ୟୁରୋ କାଉନସିଲ ନିଷ୍ପତ୍ତି ନେଇଛି ।
ଅଣ୍ଡର-୧୭ ସହ ଅଣ୍ଡର-୨୦ ମହିଳା ବିଶ୍ୱକପକୁ ବି ବାତିଲ କରାଯାଇଛି । କରୋନା ମହାମାରୀ କାରଣରୁ ଅଣ୍ଡର-୧୭ ମହିଳା ବିଶ୍ୱକପ୍ ପାଇଁ ବିଭିନ୍ନ ଜାତୀୟ ସଂଘର ଯୋଗ୍ୟତା ପର୍ଯ୍ୟାୟ ହୋଇପାରିନାହିଁ । ଗତମାସରେ ୟୁରୋପୀୟ ଫୁଟବଲ ସଂଘ ତାର ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟକୁ ବାତିଲ କରିଥିଲା । ୟୁରୋପୀୟ ସଂଘ ମାନ୍ୟତା ଭିତ୍ତିରେ ସ୍ପେନ୍‌, ଇଂଲଣ୍ଡ ଓ ଜର୍ମାନୀକୁ ଅଣ୍ଡର-୧୭ ବିଶ୍ୱକପକୁ ପଠାଇବାକୁ ସ୍ଥିର କରିଥିଲା । ସେହିପରି ଓସିନିଆ ସଂଘ ମଧ୍ୟ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ କରିବା ପରିବର୍ତ୍ତେ ନ୍ୟୁଜିଲାଣ୍ଡକୁ ନିଜର ପ୍ରତିନିଧି ଭାବେ ବିଶ୍ୱକପକୁ ପଠାଇବାକୁ ମନୋନୀତ କରିଥିଲା ।
କରୋନା ସଂକ୍ରମଣ ଯୋଗୁଁ ବିଶ୍ୱ କ୍ରୀଡ଼ା କ୍ୟାଲେଣ୍ଡର ବି ପ୍ରଭାବିତ ହୋଇଛି । ଅନେକ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଥିବା ବେଳେ ଆଉ କିଛିକୁ ସ୍ଥଗିତ ରଖାଯାଇଛି । ଏବେ ଯାହାବି ସ୍ପୋର୍ଟ୍ସ ଇଭେଣ୍ଟ ହେଉଛି, ସେ ସବୁ ବିନା ଦଶର୍କରେ ଖେଳାଯାଉଛି ।

Comments are closed.