ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ଲୀଳାରେ ମାନବୀୟ ଲୀଳା ପରିଦୃଷ୍ଟ। ଯଥା ଦେହି ତଥା ଦେବେ ନ୍ୟାୟରେ ମହାପ୍ରଭୁ ଯେହେତୁ ଦାରବ ତନୁ ଧାରଣ କରିଛନ୍ତି ତଥାପି ସିଏ ମନୁଷ୍ୟ ପରି ଚଳଚଞ୍ଚଳ। ପ୍ରତିବର୍ଷ ସିଏ ଗ୍ରୀଷ୍ମ, ବର୍ଷା, ଶୀତ ଓ ବସନ୍ତ ଋତୁକୁ ଉପଭୋଗ କରିଥାନ୍ତି। ଶୀତ ଋତୁରେ ସମଗ୍ର ଶରୀରକୁ ଶୀତ ବସ୍ତ୍ରରେ ଆବୃତ କରିବା ପରି ଗ୍ରୀଷ୍ମପ୍ରବାହରେ ମହାପ୍ରଭୁ ୪୨ ଦିନ ଚନ୍ଦନ ଲାଗି ସହ ଜଳକ୍ରୀଡ଼ା କରିଥାନ୍ତି। ଜଳକ୍ରୀଡ଼ା ଏକାଦଶୀର ଚାରିଦିନ ପରେ ଲୀଳାମୟ ଠାକୁରଙ୍କ ଅନୁଷ୍ଠିତ ହୋଇଥାଏ ଦେବସ୍ନାନ ପୂର୍ଣ୍ଣିମା। ଏହିଦିନ ୧୦୮ ଜଳରେ ଅଭିଷିକ୍ତ ହେବା ପରେ ମହାପ୍ରଭୁଙ୍କୁ ହୋଇଥାଏ ଜ୍ୱର। ଦୀର୍ଘ ପନ୍ଦର ଦିନ ଏହି ଅବସ୍ଥାରେ ସିଏ ଅନବସର ଲୀଳା କରିଥାନ୍ତି। ତୃତୀୟାରେ ଶରୀର ରୁ ସ୍ନାନପୁର୍ଣିମା ର ଓଦା ବସ୍ତ୍ର ଓଲାଗି ପରେ ଶରୀରର ପୀଡା ଉପଶମ ପାଇଁ ଲାଗି ହୁଅନ୍ତି ‘ ଫୁଲୁରୀ ତେଲ ‘। ଏହା ଆମ ପ୍ରାଚୀନ୍ନ ବୈଦଶାସ୍ତ୍ର ଅନୁସାରେ ପୀଡା ଉପଶମ ର ଏକ ଉପଚାର। ଏହା ଶ୍ରୀଅଙ୍ଗରେ ମର୍ଦ୍ଧନ ହେବା ପରେ ମହାପ୍ରଭୁ ଶରୀର ପୀଡାରୁ ତ୍ରାହି ପାଇଥାନ୍ତି।
ପରମ୍ପରା ଅନୁସାରେ ଏହିତେଲ ପୁରୀର ବଡ ଓଡ଼ିଆ ମଠ ଯୋଗାଇଥାନ୍ତି। ମଠର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଏକ ମାଟି ପାତ୍ର ରେ ଏକବର୍ଷ ଧରି ଏହିତେଲ ପୋତା ହୋଇ ରହିଥାଏ। ଚତୁର୍ଥୀ ଦିନ ଏହାକୁ ବାହାରକୁ କଢାଯାଇ ଶୁଦ୍ଧ ଶୁକ୍ଳ ବସ୍ତ୍ରରେ ଛଣା ଯାଇ ତିନୋଟି ମାଟି କୋଢୁଆରେ ଶ୍ରୀମନ୍ଦିରକୁ ମଠ ତରଫରୁ ପଠା ଯାଇଥାଏ। ଏହି ତେଲ ପ୍ରସ୍ତୁତି ପାଇଁ ଦରକାର ପଡିଥାଏ ରାଶିତେଲ, ବେଣାଚେର, ଚନ୍ଦନ ଗୁଣ୍ଡ, ଜୁଇ, ଯାଇ ଓ ମଲ୍ଲିଫୁଲ। ଏହି ସମସ୍ତ ଦ୍ରବ୍ୟକୁ ମିଶାଇ ମାଟି ମୁଦଦେଇ ପୋତି ଦିଆଯାଇଥାଏ। ଯାହା ଫୁଲୁରୀ ଲାଗି ନୀତିଦିନ ବ୍ୟବହାର କରାଯାଏ। ସୁସ୍ଥ ମଣିଷ ପାଇଁ ଯେପରି ସୁସ୍ଥ ମନ ଓ ଶରୀର ଆବଶ୍ୟକ, ସେହିପରି ଆମ କାଳିଆ ଠାକୁରଙ୍କ ପାଇଁ ଏହିପରି ଔଷଧୀୟ ଦ୍ରବ୍ୟର ଆବଶ୍ୟକ ପଡିଥାଏ। ଆମ ପରମ୍ପରା ଓ ସଂସ୍କୃତିକୁ ନେଇ ପୃଷ୍ଠ ଆମ ଶ୍ରୀଜଗନ୍ନାଥ ସଂସ୍କୃତି।