କରୋନା ମୃତକଙ୍କ ପାଇଁ କ୍ଷତିପୂରଣ ରାଶି ସ୍ଥିର କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ନୂଆ ଗାଇଡ୍ ଲାଇନ୍ ଜାରି କରିବାକୁ ଏନ୍‌ଡିଏମ୍‌ଏକୁ ୬ ସପ୍ତାହ ସମୟ

ନୂଆଦିଲ୍ଲୀ: କରୋନାର ପ୍ରାଣ ହରାଇଥିବା ଲୋକଙ୍କୁ କ୍ଷତିପୂରଣ ଦେବା ମାମଲାରେ ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବା ଉଚିତ । କ୍ଷତିପୂରଣ ରାଶି କେନ୍ଦ୍ର ସରକାର ଧାର୍ଯ୍ୟ କରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏଥିସହ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନ୍‌ଡିଏମ୍‌ଏ)କୁ ଏହି ପ୍ରସଙ୍ଗରେ ୬ ସପ୍ତାହ ମଧ୍ୟରେ ନୂଆ ଗାଇଡ୍ ଲାଇନ୍ ଜାରି କରିବାକୁ ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଏମ୍‌ଆର ଶାହାଙ୍କ ନେତୃତ୍ୱାଧୀନ ଏକ ଦୁଇ ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଛଡ଼ା କୋର୍ଟ କହିଛନ୍ତି ଯେ, କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାରକୁ ମୃତ୍ୟୁ ପ୍ରମାଣପତ୍ର ଜାରି କରିବା ପ୍ରକ୍ରିୟା ସରଳ କରାଯିବା ଉଚିତ । ଅର୍ଥ କମିଶନର ପ୍ରସ୍ତାବ ମୁତାବକ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ସରକାର ବୀମା ସୁବିଧା ଉପଲବ୍ଧ କରାଇବା ଉଚିତ ।

କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିବେଦନ କରି ଦାଖଲ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ଏକ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର କହିଥିଲେ ଯେ, ସବୁ କରୋନା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସମ୍ଭବ ନୁହେଁ । ଏହି ମହାମାରୀରେ ପ୍ରାୟ ୪ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ହୋଇପଡିଛି । ଏଭଳି ସ୍ଥଳେ ସବୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେଇହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା । ସୁପ୍ରିମକୋର୍ଟ ଏହି ମାମଲାରେ ଗତ ସପ୍ତାହରେ ରାୟ ସଂରକ୍ଷିତ ରଖିଥିଲେ ।

Comments are closed.