ରାଜ୍ୟସ୍ତରୀୟ ନିମୋକୋକାଲ କନଜୁଗେଟ ଭାକ୍ସିନ୍ ର ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ବର: ପିଲାମାନଙ୍କୁ ନିମୋକୋକାଲ ରୋଗରୁ ସୁରକ୍ଷା ଦେବା ପାଇଁ ସାର୍ବଜନୀନ ଟୀକାକରଣ ରେ ନିମୋକୋକାଲ କନଜୁଗେଟ୍ ଭାକ୍ସିନ୍ ( PCV ) ର ପ୍ରଚଳନ କରାଯାଇଛି । ନିମୋନିଆ ହେଉଛି ଏକ ଉତ୍କଟ ଶ୍ବାସତନ୍ତ୍ର ଜନିତ ସଂକ୍ରମର , ଏହା ଦ୍ଵାରା ଫୁସ୍‌ଫୁସ୍‌ରେ ପାଣି ଜମିବା ବା ଫୁଲିବା ଭଳି ସମସ୍ୟା ସୃଷ୍ଟି କରିଥାଏ ।

ଷ୍ଟ୍ରେପ୍ଟୋକେକସ ନିମୋନିଆ ( ନିମୋକୋକସ ନାମରେ ପରିଚିତ ) ନାମକ ଏକ ଜୀବାଣୁ ଦ୍ଵାରା ଜାତ ରୋଗ ସମୁହକୁ ନିମୋକୋକାଲ ରୋଗ କୁହାଯାଏ । ନିମୋକୋକାଲ ଜୀବାଣୁ ଶରୀରର ବିଭିନ୍ନ ଅଂଶରେ ପ୍ରବେଶ କରି ଅନେକ ଧରଣର ରୋଗ ସୃଷ୍ଟି କରିଥାଏ । ଷ୍ଟ୍ରେପ୍ଟୋକେକସ ନିମୋନିଆ ପାଂଚ ବର୍ଷରୁ କମ୍ ବୟସର ଶିଶୁ ମାନଙ୍କଠାରେ ବିଜାଣୁ ଜନିତ ନିମୋନିଆର ପ୍ରମୁଖ କାରଣ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ପ୍ରକାଶ କରିଛନ୍ତି ।

ଟୀକାକରଣ ଶିଶୁମାନଙ୍କଠାରେ ନିମୋକୋକାଲ ରୋଗ ଜନିତ ଅସୁସ୍ଥତା ଓ ମୃତ୍ୟୁରୁ ରକ୍ଷା କରିଥାଏ । ଜନ୍ମରୁ ୨୪ ମାସ ପର୍ଯ୍ୟନ୍ତ ଏହି ରୋଗର ଆଂଶକା ଅଧିକ ଥାଏ । ତେଣୁ ଏହି ରୋଗ ବିରୁଦ୍ଧରେ ଟୀକାକରଣ ଏହାକୁ ପ୍ରତିରୋଧ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ ବୋଲି ମନ୍ତ୍ରୀ ଶ୍ରୀ ଦାସ ଆଶା ବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦିପ୍ତ ମହାପାତ୍ର , ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ , ଭାରତ ସରକାରଙ୍କର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶଦାତା ଡ଼ା ପ୍ରଦିପ ହାଲଦାର , ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼ା ବିଜୟ କୁମାର ପାଣିଗ୍ରାହି ଓ ୟୁନିସେଫର ଓଡ଼ିଶା ମୁଖ୍ୟ ମୋନିକା ଓ ନେଲସନ୍ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.