କରୋନା କାଳରେ ଦେବଦୂତ ସାଜି ଲୋକଙ୍କ ଜୀବନ ରକ୍ଷା କରିଛନ୍ତି ଡାକ୍ତର: ମୋଦି

ନୂଆଦିଲ୍ଲୀ: ଜାତୀୟ ଡାକ୍ତର ଦିବସ ଅବସରରେ ଦେଶର ଡାକ୍ତରୀ ସମୁଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗତ ଦେଢ଼ ବର୍ଷ ମଧ୍ୟରେ ଡାକ୍ତରମାନେ ଦିନରାତି କାର୍ଯ୍ୟ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। କରୋନା କାଳରେ ଡାକ୍ତରମାନେ ‘ଦେବଦୂତ’ ହୋଇ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ଏହି ମହାମାରୀ ସମୟରେ ଡାକ୍ତରମାନେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି ଏବଂ ଏହି କାରଣରୁ ଡାକ୍ତରମାନଙ୍କୁ ଭଗବାନଙ୍କର ଦ୍ବିତୀୟ ରୂପ କୁହାଯାଏ ବୋଲି ମୋଦି କହିଛନ୍ତି ।

ସେ କହିଛନ୍ତି ଯେ ଦେଶର ସ୍ୱାସ୍ଥ୍ୟ ସୁବିଧା ପୂର୍ବ ଅପେକ୍ଷା ଉନ୍ନତ ହୋଇଛି। ଆଜି ଦେଶର ଚିକିତ୍ସା ଭିତ୍ତିଭୂମି ନିର୍ମାଣ କରାଯାଉଛି। କରୋନା କାଳରେ ପ୍ରାଣ ହରାଇଥିବା ଡାକ୍ତରମାନଙ୍କୁ ପ୍ରଧାନମନ୍ତ୍ରୀ ସଲାମ ଜଣାଇବା ସହ ଡାକ୍ତରମାନେ ପ୍ରତ୍ୟେକ ଆହ୍ବାନର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଚଳିତ ବର୍ଷ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟ୍ ଆବଣ୍ଟନ ଦ୍ୱିଗୁଣିତ ହୋଇଛି ଅର୍ଥାତ୍ ଦୁଇ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟ ବରାଦ ହୋଇଛି। ଯେଉଁଠାରେ ସ୍ୱାସ୍ଥ୍ୟ ସୁବିଧାର ଅଭାବ ରହିଛି, ଆମେ ଏପରି ଅଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ୫୦ ହଜାର କୋଟି ଟଙ୍କାର ଏକ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ପ୍ରସ୍ତୁତ କରିଛୁ ବୋଲି ସେ କହିଛନ୍ତି |

Comments are closed.