ରାଫେଲ ଡିଲ୍ ଦୁର୍ନୀତି ଅଭିଯୋଗର ଜେପିସି ତଦନ୍ତ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ପାଇଁ ହୋଇଥିବା ଡିଲର ତଦନ୍ତ ଆରମ୍ଭ କରିଛି ଫ୍ରାନ୍ସର ପବ୍ଲିକ ପ୍ରସିକ୍ୟୁସନ ସର୍ଭିସ (ପିଏନଏଫ) । ଜଣେ ବିଚାରପତିଙ୍କ ତତ୍ତ୍ଵାବଧାନରେ ଏହାର ତଦନ୍ତ ହେବ ‌। ଚୁକ୍ତିରେ ଭ୍ରଷ୍ଟାଚାର ସହିତ ପକ୍ଷପାତିତା ଅଭିଯୋଗର ମଧ୍ୟ ଯାଞ୍ଚ୍ କରାଯିବ।

ଫ୍ରାନ୍ସରେ ରାଫେଲ ଡିଲର ଯାଞ୍ଚ ସାମ୍ନାକୁ ଆସିବା ପରେ କଂଗ୍ରେସ ଏହି ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରି ମୋଦି ସରକାରଙ୍କ ଉପରେ ଆକ୍ରମଣ ଜୋରଦାର କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ତଥା ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଫେଲ ଡିଲରେ ଦୁର୍ନୀତିର ଗନ୍ଧ ବାରି ହେଇଯାଉଛି।

ଫ୍ରାନ୍ସରେ ରାଫେଲ୍ ଡିଲ୍ ରେ ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଥିବା ବେଳେ, ମୋଦି ସରକାର କାହିଁକି ଏହାର ଜେପିସି ଯାଞ୍ଚ୍ କରୁନାହାଁନ୍ତି ବୋଲି ସୁରଜେୱାଲା ପ୍ରଶ୍ନ କରିଛନ୍ତି । ଯଦି କିଛି ଅନିୟମିତତା ହୋଇନାହିଁ ସରକାର ତଦନ୍ତକୁ ଭୟ କରୁଛନ୍ତି କାହିଁକି? ସୁରଜେୱାଲା କହିଛନ୍ତି ଯେ ଏହା ଦେଶର ସୁରକ୍ଷା ସହ ଜଡିତ, ତେଣୁ ଜେପିସି ତଦନ୍ତ ହେବା ଉଚିତ। ସେ କହିଛନ୍ତି ଯେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ଦୁର୍ନୀତିମୁକ୍ତ ଶାସନ ଯୋଗାଇବା ସରକାରଙ୍କ ସାମ୍ବିଧାନିକ ଦାୟିତ୍ବ ।

ଫ୍ରାନ୍ସ ଏବଂ ଭାରତ ମଧ୍ୟରେ ରାଫାଲ ବିମାନ ପାଇଁ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ୭.୮ ବିଲିୟନ ୟୁରୋ (୭୦ ହଜାର କୋଟି) ଚୁକ୍ତିରେ ଭାରତ ୩୬ଟି ଯୁଦ୍ଧ ବିମାନ ପାଇବ। ଡାସଲ୍ଟ ଆଭିଏସନ ଏବଂ ଭାରତ ସରକାରଙ୍କ ମଧ୍ୟରେ ଏହି ଚୁକ୍ତି ହୋଇଥିଲା। ଏହି ଚୁକ୍ତିକୁ ନେଇ କଂଗ୍ରେସ ଦୁର୍ନୀତି ଅଭିଯୋଗ କରିଆସିଛି। ଏହି ଡିଲ୍ ସମ୍ବନ୍ଧରେ ୨୦୧୮ରେ ଫ୍ରାନ୍ସର ଏକ ଏନଜିଏ ଶେର୍ପା ଅଭିଯୋଗ ଦାଖଲ କରିଥିଲା ​​ଏବଂ ସେହି ସମୟରେ ପିଏନ୍ଏଫ୍ ଏନେଇ ତଦନ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା।

Comments are closed.