ଶ୍ରୀମନ୍ଦିର ପ୍ରବେଶ ପଥ ସିଂହଦ୍ଵାର ଗୁମୁଟର ଡାହାଣପଟରେ ବିରାଜମାନ କରିଛନ୍ତି ଶ୍ରୀପତିତପାବନ। ଏହି ପତିତପାବନ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଖାରବିନ୍ଦ। କମନୀୟ କାନ୍ତି ଯୁକ୍ତ ଏହି ମୁଖାରବିନ୍ଦଙ୍କୁ ଦର୍ଶନ କରିବା ମାତ୍ରେ ଭକ୍ତ ମନରେ ଜାଗିଉଠେ ଅଫୁରନ୍ତ ଆନନ୍ଦର ଲହରୀ। କାହିଁ କେତେକାଳରୁ ଏହି ପତିତପାବନ ଆମ ଶ୍ରଦ୍ଧା ଓ ବିଶ୍ୱାସର ପ୍ରତୀକ ଭାବରେ ପ୍ରତ୍ୟେକ ଜନ ମାନସରେ ବିରାଜିତ। ଶ୍ରୀମନ୍ଦିର ଗର୍ଭ ଗୃହରେ ବିରାଜିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବାକୁ ଯେଉଁମାନେ ଅସମର୍ଥ, ସେମାନେ ଏହି ପତିତପାବନଙ୍କୁ ଦର୍ଶନ କରି ନିଜକୁ କୄତାର୍ଥ ମନେ କରନ୍ତି। ଏପରିକି ଅନେକ ବିଦେଶାଗତ ଭକ୍ତମାନେ ଏହାଙ୍କୁ ଦର୍ଶନ କରି ଶ୍ରୀଜଗନ୍ନାଥ ଧାମ ଦର୍ଶନର ଫଳ ଲାଭ କରନ୍ତି। ଆମ୍ଭମାନଙ୍କ ଧର୍ମୀୟ ବିଶ୍ୱାସ ଅଛି ଏହି ପତିତପାବନଙ୍କ ସମ୍ମୁଖ ଦେଇ ଯଦି ମୃତ ଶରୀର ସ୍ୱର୍ଗଦ୍ୱାର ଯାଏ ତେବେ ସିଏ ବିଷ୍ଣୁ ଲୋକକୁ ଗମନ କରିଥାଏ।
ସିଂହଦ୍ଵାରରେ ବିରାଜିତ ଶ୍ରୀପତିତପାବନଙ୍କ ନୀତି ଶ୍ରୀଜଗନ୍ନାଥଙ୍କ ରୀତିନୀତି ଅନୁଯାୟୀ ସମସ୍ତ ବିଧି ସମ୍ପର୍ଣ୍ଣ ହୋଇଥାଏ। ଦୈନିକ ଦ୍ୱାର ଫିଟା, ମଙ୍ଗଳ ଆଳତୀ, ଅବକାଶ ଓ ବିଭିନ୍ନ ଦିବସରେ ବିଭିନ୍ନ ବେଶ ଏଠାରେ କରାଯାଇଥାଏ। ବଡ଼ଦାଣ୍ଡରେ ଭକ୍ତମାନେ ଛିଡ଼ାହୋଇ ତାଙ୍କୁ ଦର୍ଶନ କରି ନିଜ ସ୍ଥୁଳ ଚକ୍ଷୁକୁ ଧନ୍ୟ କରିଥାନ୍ତି। ପତିତପାବନଙ୍କ ସିଂହଦ୍ଵାର ଗୁମୁଟରେ ପ୍ରତିଷ୍ଠା ପଛରେ ରହିଛି ସୁନ୍ଦର କାହାଣୀ।
ଭୋଇ ବଂଶର ରାଜା ଦ୍ଵିତୀୟ ରାମଚନ୍ଦ୍ର ଦେବଙ୍କ ଶାସନ ସମୟର କଥା। ଏହି ସମୟରେ ବଙ୍ଗ ନବାବଙ୍କ ନାଏବ ନଜିମ ତକୀ ଖାଁ ଶ୍ରୀମନ୍ଦିର ଆକ୍ରମଣ କରିଥିଲେ। ଦ୍ଵିତୀୟ ରାମଚନ୍ଦ୍ର ଦେବଙ୍କ ସେନାପତି ଓ ସୈନ୍ୟମାନଙ୍କ ବିଶ୍ୱାସଘାତକତା ଯୋଗୁଁ ରାମଚନ୍ଦ୍ର ଦେବ ଯୁଦ୍ଧରେ ହାରି କଟକ ସ୍ଥିତ ଦୁର୍ଗରେ ବନ୍ଦୀହୋଇ ରହିଲେ। ସେଠାରେ ତକୀ ଖାଁ ଙ୍କ ଭଉଣୀ ରିଜିୟା ରାଜା ରାମଚନ୍ଦ୍ର ଦେବଙ୍କ ରୂପରେ ମୋହିତ ହୋଇ ତାଙ୍କୁ ଭଲ ପାଇ ବସିଲେ। ଏହିକଥା ତକୀ ଖାଁ ଜାଣିବା ପରେ ରାଜା ରାମଚନ୍ଦ୍ର ଦେବଙ୍କୁ ନିଜ ଭଉଣୀ ରିଜିୟା ସହ ବିବାହ କରିବାକୁ ବାଧ୍ୟ କଲେ। ଧମକ ଦେଲେ ଯଦି ରାଜା ତାଙ୍କ କଥା ନ ରଖନ୍ତି ତେବେ ସିଏ ଶ୍ରୀମନ୍ଦିର ଭାଙ୍ଗି ସେହି ସ୍ଥାନରେ ମସଜିଦ ନିର୍ମାଣ କରିବେ। ଓଡ଼ିଆ ଜାତିର ଅସ୍ମିତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁରକ୍ଷା ପାଇଁ ରାଜା ଦ୍ଵିତୀୟ ରାମଚନ୍ଦ୍ର ଦେବ ରିଜିୟାଙ୍କୁ ବିବାହ କରି ନିଜ ଧର୍ମ ପରିବର୍ତ୍ତନ କଲେ। ସ୍ୱୟଂ ମହାପ୍ରଭୁଙ୍କ ପାଇଁ ନିଜର ସ୍ୱାର୍ଥକୁ ବଳି ଦେଇ ଜଣେ ପ୍ରକୃତ ଜଗନ୍ନାଥ ଭକ୍ତର ପରିଚୟ ଦେଲେ। କିନ୍ତୁ କ୍ଷୁଦ୍ର ବୁଦ୍ଧି ମନୁଷ୍ୟ ପକ୍ଷରେ ଏହା ବୁଝିବା ଦୁଷ୍କର ଥିଲା। ତେଣୁ ସେତେବେଳେ ମୁକ୍ତିମଣ୍ଡପ ପଣ୍ଡିତ ସଭା ତାଙ୍କୁ ମନ୍ଦିର ସେବାରୁ ବହିଷ୍କାର କଲେ। ଶ୍ରୀମନ୍ଦିର ଆସିବାକୁ ତାଙ୍କ ପାଇଁ ବାରଣ କରାଗଲା। ରାଜା ଦ୍ଵିତୀୟ ରାମଚନ୍ଦ୍ର ଦେବ ଏପରି ବ୍ୟବହାରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଲେ। କିନ୍ତୁ ଭାବଗ୍ରାହୀ ଭଗବାନ ଭକ୍ତର ମନ କଥା ଜାଣିପାରିଲେ। ରାଜଗୁରୁଙ୍କୁ ସ୍ୱପ୍ନରେ ନିର୍ଦେଶ ଦେଲେ। ନିଜ ଭକ୍ତ ରାମଚନ୍ଦ୍ର ଦେବଙ୍କ ଦର୍ଶନ ପାଇଁ ସିଂହଦ୍ଵାର ଗୁମୁଟରେ ତାଙ୍କ ବିଗ୍ରହ ପତିତପାବନ ନାମରେ ପ୍ରତିଷ୍ଠା ହେବ। ଏହିକଥା କୁ ସେତେବେଳେ ଘୋର ବିରୋଧ କରାଯାଇଥିଲା। ପରବର୍ତ୍ତୀ ସମୟରେ ଶାସ୍ତ୍ରୀୟ ବିଧାନରେ ସମସ୍ତ ପତିତ ମାନଙ୍କୁ ଉଦ୍ଧାର କରିବା ପାଇଁ ଶ୍ରୀପତିତପାବନ ବିଗ୍ରହ ସ୍ଥାପନ କରାଯାଇ ଯଥାଯୋଗ୍ୟ ପୂଜାବିଧି ପ୍ରଚଳନ କରାଗଲା।
Comments are closed.