ଅନ୍‌ଲାଇନ୍ ଶିକ୍ଷାର ନୂଆ ପଦ୍ଧତି: ୟୁ-ଟ୍ୟୁବ୍ କ୍ଲାସ

ସାରା ରାଜ୍ୟର ଲକ୍ଷ ଲକ୍ଷ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଢୁଛନ୍ତି ଇଂରାଜୀ, ଗଣିତ ଏବଂ ଓଡ଼ିଆ। ହେଲେ ଶ୍ରେଣୀ କୋଠରୀରେ ନୁହେଁ, ଚାଲିଛି ଭର୍ଚୁଆଲ୍ କ୍ଲାସ୍। ଅନ୍‌ଲାଇନ୍ ଶିକ୍ଷାର ନୂଆ ପଦ୍ଧତି ଆପଣାଇଛି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ନିକଟରେ ଆରମ୍ଭ ହୋଇଛି ୟୁ-ଟ୍ୟୁବ୍ କ୍ଲାସ୍। ପିଲାଏ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ପ୍ରାୟ ଶ୍ରେଣୀ କୋଠରୀ ଭଳି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ପାଠ ପଢୁଛନ୍ତି। ସନ୍ଦେହମୋଚନ ପାଇଁ ନିଜ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ହ୍ବାଟସ୍ ଆପ୍ ଯୋଗେ ବା ଫୋନ୍ ଯୋଗେ ପଚାରି ବୁଝିଛନ୍ତି। ପୂର୍ବରୁ ଯଦିଓ ଜୁମ୍ ମିଟିଂ, ହ୍ବାଟସ୍ ଆପ୍ ଭିଡିଓ କଲିଂ ଯୋଗେ ପାଠପଢ଼ା ପ୍ରଚଳିତ ଥିଲା, ହେଲେ ଏବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ରାଜ୍ୟର ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରହଣ କରିଥିବା ଏହି ପଦକ୍ଷେପ ବଳରେ ଲକ୍ଷ ଲକ୍ଷ ପିଲା ଉପକୃତ ହେଉଛନ୍ତି।

ମହାମାରୀ ସଙ୍କଟ ସମ୍ପୂର୍ଣ୍ଣ ଟଳିନି। ପୁଣି ସମ୍ଭାବ୍ୟ ତୃତୀୟ ଲହରୀ ବିପଦ ରହିଛି ଯେଉଁଥିରେ ପିଲାଏ ଅଧିକ ସଂକ୍ରମିତ ହେବା ଆଶଙ୍କା କରାଯାଉଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଲକ୍ଷ ଲକ୍ଷ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ନିରାପତ୍ତାକୁ ଗୁରୁତ୍ବ ଦେଇ ପରୀକ୍ଷା ବଦଳରେ ବିକଳ୍ପ ମୂଲ୍ୟାୟନ ଏବଂ ଶ୍ରେଣୀ ଶିକ୍ଷା ବଦଳରେ ଭର୍ଚୁଆଲ୍ କ୍ଲାସ୍ ପ୍ରତି ଗୁରୁତ୍ଵାରୋପ କରି ଆସିଛନ୍ତି। ତାଙ୍କରି ମାର୍ଗଦର୍ଶନ ତଥା ପରାମର୍ଶକ୍ରମେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ପଦ୍ଧତି ଆପଣାଇଛି। ବିଭିନ୍ନ ଜିଲ୍ଲାକୁ ଭିନ୍ନ ଭିନ୍ନ ଶ୍ରେଣୀର ଶିକ୍ଷାଦାନ ଦାୟିତ୍ବ ଦିଆଯାଇଛି। ୨ୟ ଶ୍ରେଣୀ ପାଇଁ ଖୋର୍ଦ୍ଧା, ୪ର୍ଥ ଶ୍ରେଣୀ ସକାଣେ କେନ୍ଦ୍ରାପଡ଼ା, ୫ମ ଶ୍ରେଣୀ ନିମନ୍ତେ ଗଞ୍ଜାମ, ୮ମ ଶ୍ରେଣୀ ପାଇଁ ସୁନ୍ଦରଗଡ ଆଦି ଜିଲ୍ଲା ଶିକ୍ଷା ବିଭାଗକୁ ଦାୟିତ୍ବ ଦିଆଯାଇଛି।

ସମ୍ବଳ ବ୍ୟକ୍ତିତ୍ବ (ରିସୋର୍ସ ପର୍ସନ୍) ଟିଚରମାନେ ବୈଷୟିକ ବିଶେଷଜ୍ଞଙ୍କ ସହାୟତାରେ ପାୱାର ପଏଣ୍ଟ୍ ପ୍ରେଜେଣ୍ଟେସନ୍, ଭିଡ଼ିଓ ଆଦି ପ୍ରସ୍ତୁତ କରୁଛନ୍ତି। ଦିନକ ପୂର୍ବରୁ ୟୁ-ଟ୍ୟୁବ୍ ଲିଙ୍କ୍ ପ୍ରସ୍ତୁତ କରି ରାଜ୍ୟସ୍ତରରୁ ଆରମ୍ଭ କରି ବିଦ୍ୟାଳୟସ୍ତର ପର୍ଯ୍ୟନ୍ତ ସେୟାର୍ କରାଯାଉଛି। ପ୍ରତି ସ୍କୁଲରେ ଶ୍ରେଣୀ ଅନୁଯାୟୀ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଗଠିତ ହୋଇଛି ହ୍ବାଟସ୍ ଆପ୍ ଗ୍ରୁପ୍। ନିର୍ଦ୍ଧାରିତ ସମୟ ହୋଇଗଲେ ଏକାଥରକେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଚାଲୁଛି। ନିଜ ଶ୍ରେଣୀ ଅନୁସାରେ ଲିଙ୍କକୁ ଆଧାର କରି ଛାତ୍ର ଛାତ୍ରୀ ଭର୍ଚୁଆଲ୍ କ୍ଲାସରେ ସାମିଲ ହେଉଛନ୍ତି। ଓସେପା (ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି) ଏଥିପାଇଁ ଟିଚରମାନଙ୍କୁ ପ୍ରୋସାହନ ଭତ୍ତା ମଧ୍ୟ ଦେଉଛି। ଫଳରେ ଏକ ନୂଆ ପ୍ରୟୋଗର ଅନୁଭୂତି ପାଉଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ। ସ୍କୁଲ ନଗଲେ ମଧ୍ୟ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଜାରି ରହିଛି। ଭର୍ଚୁଆଲ୍ କ୍ଲାସରେ ପଢ଼ାଇବା, ବୁଝିବା ଶୈଳୀରେ କଥା କହିବା, ଇ-କଣ୍ଟେଣ୍ଟ୍ ବିକଶିତ କରିବା ଆଦି ଏହି ଯୋଜନାରେ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ନୂଆ ଅନୁଭୂତି ଆଣି ଦେଉଛି।

ତୃଣମୂଳସ୍ତରରେ ପ୍ରତି ବିଦ୍ୟାଳୟର ବିଷୟଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ସିଧାପ୍ରସାରଣ ପାଠପଢ଼ାକୁ ନିୟମିତ ଦେଖିବେ, ନିଜ ବିଦ୍ୟାଳୟର ପିଲାଙ୍କ ସନ୍ଦେହମୋଚନ ବ୍ୟବସ୍ଥା କରିବେ, ପିଲାଙ୍କ ଉପସ୍ଥାନ ବା ସମ୍ପୃକ୍ତି ନେଇ ତଥ୍ୟ ଲିପିବଦ୍ଧ କରିବେ ବୋଲି ନିର୍ଦ୍ଦେଶ ରହିଛି। ବିଷୟ ଅନୁଯାୟୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଷୟ ଓ ଶ୍ରେଣୀ ଅନୁସାରେ ପ୍ରତି ଚାପ୍ଟରର କାର୍ଯ୍ୟଫର୍ଦ୍ଦ (ଓ୍ବାର୍କ ସିଟ୍) ଓ ଆକଳନ ଫର୍ଦ୍ଦ (ଆସେସମେଣ୍ଟ ସିଟ୍) ପ୍ରସ୍ତୁତ କରି ହ୍ବାଟସ୍ ଆପ୍ ମାଧ୍ୟମରେ ପିଲାଙ୍କ ଘରକୁ ପଠାଉଛନ୍ତି। ଯେଉଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆଣ୍ଡ୍ରଏଡ଼୍ ମୋବାଇଲ୍ ସେଟ୍ ରହିଛି ସେମାନଙ୍କ ତାଲିକା ସ୍କୁଲସ୍ତରରେ ପ୍ରସ୍ତୁତ କରି ହ୍ବାଟସ୍ ଆପ୍ ଗ୍ରୁପ୍ ମାଧ୍ୟମରେ ସମସ୍ତଙ୍କୁ ଯୋଡ଼ା ଯାଉଛି। ସେମାନଙ୍କ ମଧ୍ୟରେ ଏଥିପାଇଁ ସଚେତନତା ମଧ୍ୟ ସୃଷ୍ଟି କରଯାଇଛି। ଯାହାଦ୍ବାରା ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସ ସାଫଲ୍ୟମଣ୍ଡିତ ହେବା ଆଶା ଉଜ୍ଜଳ ହୋଇ ଉଠୁଛି।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାର ବିଭିନ୍ନ ବର୍ଗର ବିଦ୍ୟାଳୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଭିନ୍ନ ସମୟରେ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି। ୯ମ ଓ ୧୦ମ ଶ୍ରେଣୀ କଥା କହିବାକୁ ଗଲେ ସେମାନଙ୍କୁ ‘ପରୀକ୍ଷା ଦର୍ପଣ’ ପୁସ୍ତକ ଯୋଗାଇଦେବା ସହ ଟିଭି ଚ୍ୟାନେଲ୍ ଜରିଆରେ କ୍ଲାସ୍ ଜାରି ରହିଛି। ଏଥିସହ ‘ମଧୁ ଆପ୍’ ଏବଂ ‘ଦୀକ୍ଷା ଆପ୍’ ଭଳି ଆଧୁନିକ କୌଶଳ ମଧ୍ୟ ପ୍ରୟୋଗ କରାଯାଇ ଥିଲା। ଏବେ ୟୁ-ଟ୍ୟୁବ୍ କ୍ଲାସ୍ ସେଥିରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବେ ଠାରୁ ଆମ ରାଜ୍ୟରେ ଅଡିଓ ଭିଜୁଆଲ୍ ଶିକ୍ଷା, ତାହା ପୁଣି ଭର୍ଚୁଆଲ୍ ମାଧ୍ୟମରେ ପ୍ରଦାନ ଭବିଷ୍ୟତର ନାଗରିକଙ୍କ ପାଇଁ ବେଶ୍ ସହାୟକ ସାବ୍ୟସ୍ତ ହେବାର ଆଶା କରାଯାଉଛି।

ବର୍ତ୍ତମାନ ସୋମବାରରୁ ଶୁକ୍ରବାର ୟୁ-ଟ୍ୟୁବ୍ ଟିଚିଂ ହେଉଛି। ଆଗାମୀ ଦିନରେ ଅନ୍ୟାନ୍ୟ ପାଠ୍ୟକ୍ରମକୁ ମଧ୍ୟ ସାମିଲ କରାଯିବା ଯୋଜନା ରହିଛି। ସ୍କୁଲକୁ ଆସିପାରୁ ନଥିବା ବେଳେ ଶ୍ରେଣୀ ଶିକ୍ଷାରୁ ବଞ୍ଚିତ ରହି ବିବ୍ରତ ହେଉଥିବା ବିଦ୍ୟାର୍ଥୀମାନେ ଏବେ ୟୁ-ଟ୍ୟୁବ୍ କ୍ଲାସ୍ କରି ଖୁସି ହେଉଛନ୍ତି। ଅପରପକ୍ଷରେ ଅଭିଭାବକଙ୍କ ଦ୍ଵାରା ମୋଟା ଅଙ୍କର ଅର୍ଥ ପଇଠ ପରେ ଘରୋଇ ବା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାଇ ଏଭଳି ସୁବିଧା ପାଉଥିଲେ ଅଳ୍ପ କେଇ ହଜାର ଛାତ୍ରଛାତ୍ରୀ। କିନ୍ତୁ ଏବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏହି ଯୋଜନା ସାରା ରାଜ୍ୟର ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଯୁଗପଯୋଗୀ ଶିକ୍ଷାଗ୍ରହଣର ନୂଆ ମାଧ୍ୟମ ଖୋଲି ଦେଇଛି। ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ‘ସଭିଏ ପଢ଼ନ୍ତୁ, ସଭିଏ ବଢ଼ନ୍ତୁ’କୁ ଏଭଳି ଅଭିନବ ବିକଳ୍ପ ପଦକ୍ଷେପ ସାକାର କରିବାରେ ବେଶ୍ ସହାୟକ ହେଉଛି। ମହାମାରୀ ସଙ୍କଟ ସମୟରେ ବି ଶିକ୍ଷା ବ୍ୟବସ୍ଥା ସୂଚାରୁ ରୂପେ ଚାଲିଛି।

Comments are closed.