ସ୍ୱାସ୍ଥ୍ୟକର୍ମୀ, ଗର୍ଭବତୀ ଓ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କୋଭିଡ ଟିକା ପ୍ରଦାନରେ ମିଳିବ ଅଗ୍ରାଧିକାର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କଲା ପରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ଆସିବାକୁ ଥିବା କୋଭିଡ ଟିକା ବଂଟନରେ ସ୍ୱାସ୍ଥ୍ୟକର୍ମୀ, ଗର୍ଭବତୀ, ବରିଷ୍ଠ ନାଗରିକ ( ୬୦ ବର୍ଷରୁ ଅଧିକ ବ୍ୟକ୍ତି )ଙ୍କୁ ପ୍ରାଥମିକତା ଦିଆଯିବ । ଏ କ୍ଷେତ୍ରରେ ଗୁୁରୁତର ରୋଗ ଭୋଗୁଥିବା ରୋଗୀଙ୍କର ଡାଟାବେସ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ କହିଛନ୍ତି । ସମାଜର ବିପଦସଙ୍କୁଳ ବର୍ଗର ବ୍ୟକ୍ତିମାନହ୍‌କୁ ଟିକା ପ୍ରଦାନ ସମୟରେ ବୃତିଗତ, ବୈଜ୍ଞାନିକ, ସଂପୂର୍ଣ୍ଣ ଫଳପ୍ରଦ ଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀ ମନେ ପକାଇଦେଇଛନ୍ତି ଯେ, ଟିକା ନେବା ପର୍ଯ୍ୟନ୍ତ ମାସ୍କ ହିଁ ହେଉଛି ସବୁଠାରୁ ସଫଳ ପ୍ରତିରୋଧକ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ହାତ ଧୋଇବା ଆଦି ସୁରକ୍ଷା ବ୍ୟବସ୍ଥା ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣହ୍‌କୁ ଅନୁରୋଧ କରିଛନ୍ତି । ଆମେରିକା, ପଶ୍ଚିମ ୟୁରୋପ ଓ ଆମ ଦେଶର ଦିଲ୍ଲୀରେ ଯେଭଳି କୋଭିଡର ଦ୍ୱିତୀୟ ପ୍ରବାହ ଆରମ୍ଭ ହୋଇଛି, ତାକୁ ଦୃଷ୍ଟିରେ ରଖି ସତର୍କତାକୁ ଜାରି ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୋଟିଏ ମାସରେ ଆମେରିକାରେ ସଂକ୍ରମଣ ତିନି ଗୁଣ ବଢିବା ରୋଗର ଗୁରୁତର ଦିଗକୁ ସୂଚାଉଛି । ତେଣୁ ଆମକୁ ଶୀତ ଋତୁ ପାଇଁ ସର୍ବଦା ସତର୍କ ରହିବା ସହ କୋଭିଡ ହସପିଟାଲର ଆଇସିୟୁ ଗୁଡିକୁ ମଧ୍ୟ କାର୍ଯ୍ୟକ୍ଷମ କରାଯାଉଛି ବୋଲି ନବୀନ କହିଛନ୍ତି ।
ଆଗୁଆ ଯୋଜନା , ଭିତିଭୂମି ସୃଷ୍ଟି, ଦକ୍ଷତା ଓ ବିଭିନ୍ନ ସ୍ତରରେ ଯୋନାକୁ କାର୍ଯ୍ୟକାରୀ କରିବାରେ ଫଳପ୍ରଦ ତଦାରଖ ଜରିଆରେ ଆମେ ଯେପରି ସଂକ୍ରମଣକୁ ନିୟନ୍ତ୍ରଣ କରିପାରିଲେ, ଟିକାକରଣ ପାଇଁ ମଧ୍ୟ ଏବେଠାରୁ ସେହି ଅନୁଭବକୁ ଉପଯୋଗ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ କହିଛନ୍ତି ।

କୋରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା କିପରି ପରିଚାଳନା କରାଯାଇପାରିବ, ସେ ସଂପର୍କରେ ବିଚାର ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ଦିଗରେ ଭାରତ ସରକାର ଓ ଅନ୍ୟ ରାଜ୍ୟମାନେ କଣ ପଦକ୍ଷେପ ନେଉଛନ୍ତି ,ତାକୁ ମଧ୍ୟ ବିଚାରକୁ ନେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବୈଠକ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ପୂଜା ଋତୁରେ ଜନସାଧାରଣ ଶୃଙ୍ଖଳିତ ଭାବେ ନିୟମ ପାଳନ କରିଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠା ଯୋଗୁଁ ଆଜି ଓଡିଶାରେ ଆରୋଗ୍ୟ ହାର ୯୭ ପ୍ରତିଶତ ବୃଦ୍ଧି ପାଇ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ଟପିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଶେଷ ଧନ୍ୟବାଦ ଜଣାଇଥିଲେ ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଶୀତ ଋତୁରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ବ୍ୟବସ୍ଥା ଓ ଜୀବନଜୀବିକା ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରିଥିଲେ ।

Comments are closed.