ମହାରାଜ ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ପ୍ରତିଷ୍ଠା କଲାପରେ ଚତୁର୍ଦ୍ଧା ବିଗ୍ରହଙ୍କ ସେବାପୂଜା ପାଇଁ ବ୍ରହ୍ମାଙ୍କୁ ନିବେଦନ କରିଥିଲେ। ପିତାମହ ବ୍ରହ୍ମାଙ୍କ ନିର୍ଦେଶରେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ସର୍ବପ୍ରଥମେ ଚତୁର୍ଦ୍ଧା ବିଗ୍ରହଙ୍କ ପାଇଁ ସାତଗୋଟି ସେବାୟତ ନିଯୋଗ ସୃଷ୍ଟିକରି ସେମାନଙ୍କୁ ସାତଗୋଟି ଭିନ୍ନ ଭିନ୍ନ ସେବା ପ୍ରଦାନ କରିଥିଲେ। ସେସବୁ ସେବା ଥିଲା ୧.ପୂଜାପଣ୍ଡା ସେବା ୨.ପ୍ରତିହାରୀ ସେବା ୩.ପାତ୍ର ହୋତାସେବା ୪.ଚରୁହୋତା ସେବା ୫.ବ୍ରହ୍ମସେବା ୬.ବିଶ୍ୱାବସୁ ସେବା ୭.ବିଦ୍ୟାପତି ସେବା। ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ପରବର୍ତ୍ତୀ ସମୟରେ ‘ ସୁତ ସଂହିତା ‘ ରଚିତ ହୋଇଥିବା ମନେ କରାଯାଏ। ଏହିଗ୍ରନ୍ଥରେ ମହାପ୍ରଭୁଙ୍କ ଯାନିଯାତ୍ରା, ସେବାପୂଜା, ଭୋଗରାଗ ସମ୍ବନ୍ଧରେ ଉଲ୍ଲେଖ ରହିଛି। ଏହା ଶ୍ରୀମନ୍ଦିରର ପ୍ରଥମ ବିଧାନବଳୀ ଭାବରେ ବିବେଚିତ।
ବର୍ତ୍ତମାନର ପରିଦୃଶ୍ୟ ମନ୍ଦିର ରାଜା ଚୋଡ଼ଗଙ୍ଗ ଦେବଙ୍କ ଦ୍ଵାରା ଆରମ୍ଭ ହୋଇ ରାଜା ତୃତୀୟ ଅଙ୍ଗଭୀମ ଦେବ ଶେଷ କରିଥିଲେ। ରାଜା ତୃତୀୟ ଅଙ୍ଗଭୀମ ଦେବଙ୍କ ରାଜ୍ୟ ଶାସନ କାଳ ଥିଲା ( ୧୨୧୧ ଖ୍ରୀ:ଅରୁ ଖ୍ରୀ:ଅ ୧୨୩୮ )।ମହାପ୍ରଭୁ ମାନଙ୍କ ସେବପୂଜାକୁ ଶୃଙ୍ଖଳିତ କରିବାକୁ ତୃତୀୟ ଅଙ୍ଗଭୀମ ଦେବ ପ୍ରଥମେ ଛତିଶା ନିଯୋଗ ସୃଷ୍ଟି କରିଥିଲେ। କିନ୍ତୁ କେଉଁ କେଉଁ ନିଯୋଗ ସିଏ ସୃଷ୍ଟି କରିଥିଲେ ତାହା କେଉଁଠାରେ ସ୍ପଷ୍ଟ ଉଲ୍ଲେଖ ନାହିଁ। ତଥାପି ଏହିସବୁ ନିଯୋଗ ମହାପ୍ରଭୁଙ୍କୁ ସମର୍ପିତ। ନିଯୋଗର ଆକ୍ଷରିକ ଅର୍ଥ ହେଉଛି ଗୋଷ୍ଠି। ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ସର୍ବମୋଟ ୧୧୯ ପ୍ରକାରର ସେବକ ଏହି ୩୬ ନିଯୋଗର ଅନ୍ତର୍ଭୁକ୍ତ। ପ୍ରତ୍ୟେକଙ୍କ ସେବା ସ୍ୱତନ୍ତ୍ର ଓ ପୂର୍ବ ନିର୍ଦ୍ଧାରିତ। କେତେକ ସେବା ଏକକ ଥିବାବେଳେ ଅନ୍ୟ କେତେକ ଗୋଷ୍ଠୀଗତ ସେବା ଅନ୍ତର୍ଭୁକ୍ତ ।
ନିମ୍ନୋକ୍ତ ନିଯୋଗ ଗୁଡିକ ବର୍ତ୍ତମାନ ଶ୍ରୀଜୀଉ ଙ୍କ ସେବାରେ ନିୟୋଜିତ। ତାହା ହେଉଛି ୧.ପୁଷ୍ପାଲକ ୨.ପୂଜାପଣ୍ଡା ୩.ଭିତରସେବା ୪.ପ୍ରତିହାରୀ ୫.ଦଇତାପତି ୬.ସୁଆର ମହାସୁଆର ୭.ଗରାବଡୁ ୮.ପତ୍ରୀବଡୁ ୯.ସୁଆର ବଡୁ ୧୦.ଖୁଣ୍ଟିଆ ୧୧.ମେକାପ ୧୨.ମହାଜନ ୧୩.ବଡୁ ସୁଆର ୧୪.ଦର୍ପଣିଆ ୧୫.ଶୁଦ୍ଧ ସୁଆର ୧୬.ଅଣସର ଶୁଦ୍ଧ ସୁଆର ୧୭.ଦତ୍ତ ମହାପାତ୍ର ୧୮.କୋଠ ସୁଆଁସିଆ ୧୯.ପାଣି ଆପଟ ୨୦. ବିମାନ ବଡୁ ୨୧.ଧୋ ପଖାଳ ୨୨.ବିଡ଼ିଆ ବେହେରା ୨୩.ଘଣ୍ଟୁଆ ୨୪.ଘଟୁଆରୀ ୨୫.ମୁଦୁଲି ୨୬.କୋଠଭୋଗ ୨୭.ହଡପ ନାୟକ ୨୮.ପ୍ରଧାନୀ ୨୯.ଚୁନରା ୩୦.ଚାଟରା ୩୧.ସୁଆର ମହାସୁଆର ରୋଷ କମିଟି।